ଭାରତୀୟ ନିର୍ବାଚନରେ ଆମେରିକାର ଫଣ୍ଡିଂକୁ ନେଇ ବିବାଦ ଘନେଇଛି। ଏହାକୁ କିକବ୍ୟାକ୍ ସ୍କିମ୍ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସରଳ ଭାଷାରେ କହିବାକୁ ଗଲେ ଏକ ପ୍ରକାର ଲାଞ୍ଚ ଯୋଜନା। ଯାହା ଟଙ୍କା ଦିଆଯାଉଥିଲା, ସେଥିରେ ବଡ଼ ହେରଫେର୍ ହେଉଥିଲା। ଭାରତରେ ମତଦାନ ହାର ବଢ଼ାଇବାକୁ ୨୧ ମିଲିୟନ ଆମେରିକୀୟ ଡଲାର ଆବଣ୍ଟିତ ହୋଇଥିଲା ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି ଟ୍ରମ୍ପ। ଭାରତୀୟ ମୁଦ୍ରାରେ ୧୮୨ କୋଟି ଟଙ୍କା। ଗଲା ବାଇଡେନ୍ ପ୍ରଶାସନର ଭାରତ ନିର୍ବାଚନରେ ଅଯଥା ହସ୍ତକ୍ଷେପ ବୋଲି ଇଙ୍ଗିତ କରିଛନ୍ତି ଟ୍ରମ୍ପ।
ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ ମସ୍କ ବି ଆମେରିକା ଅନୁଦାନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଏଭଳି ଫଣ୍ଡିଂକୁ ରୋକିବାକୁ ପରାମର୍ଶ ଦେଇଛନ୍ତି ମସ୍କ। ୟୁଏସଏଡ୍ ବା ୟୁନାଇଟେଡ୍ ଷ୍ଟେଟସ ଏଜେନ୍ସି ଫର୍ ଇଣ୍ଟରନାସନାଲ ଡେଭେଲପମେଣ୍ଟ ଆମେରିକାର ସରକାରୀ ଏଜେନ୍ସି। ଯିଏ ବିକାଶଶୀଳ ଦେଶକୁ ସହାୟତା ପ୍ରଦାନ କରେ। କିନ୍ତୁ ଟ୍ରମ୍ପଙ୍କ ଆରୋପ ହେଉଛି ଯେ, ଭାରତରେ ଏହି ଅର୍ଥ ରାଜନୀତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଥିଲା। ସେପଟେ ଏଭଳି ସଙ୍ଗୀନ ଆରୋପ ପରେ ଭାରତ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଜେପି ଓ କଂଗ୍ରେସ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି। ବିଜେପି କହିଛି, ଭାରତ ବିରୋଧୀ ଗତିବିଧିରେ ରାହୁଲ ହିଁ ସାମିଲ୍ ଅଛନ୍ତି। ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ବିଦେଶୀ ଶକ୍ତି ସହ ହାତ ମିଳାଇଥିଲେ ରାହୁଲ। କଂଗ୍ରେସ ଭାରତ ବିରୋଧୀ ପାର୍ଟି ହୋଇଛି। କଂଗ୍ରେସ କହିଛି, ବିଜେପି ମିଛ ଖବରରେ ମାତିଛି। ଏହି ପାଣ୍ଠି ବାଲାଂଦେଶ ପାଇଁ ଯାଇଛି। ମୋ ଭୋଟ ମୋ ଯୋଜନା ନାଁରେ ଏହି ଅର୍ଥ ବାଂଲାଦେଶକୁ ଆମେରିକା ଦେଇଛି। ବିଜେପି ଉତ୍ତର ଦେଉ, ଭାରତର ଲୋକତନ୍ତ୍ରକୁ ନେଇ ମିଛ ଖବର ବିଜେପି କାହିଁକି ପ୍ରଚାର କରୁଛି। ଦେଶବିରୋଧୀ କାମ କାହିଁକି କରୁଛି ବିଜେପି। ଟ୍ରମ୍ପ୍ ଓ ମସ୍କ କାହିଁକି ଭାରତକୁ ବାରମ୍ୱାର ଅପମାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କାହିଁକି ନୀରବ। କେନ୍ଦ୍ର ବର୍ହିବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ୟୁଏସଏଡ୍ ଫଣ୍ଡିଂର ଯାଞ୍ଚ ଆରମ୍ଭ କରିଦେଇଛି। ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପ ଚିନ୍ତାଜନକ ବୋଲି କହିଛି ମନ୍ତ୍ରଣାଳୟ।
କଥା ପଡ଼ିଛି। ଭାରତରେ ନିର୍ବାଚନକୁ ପ୍ରଭାବିତ କରିବାକୁ କିଏ ପ୍ରୟାସ କରିଥିଲା। ଏମିତି ସତରେ ହୋଇଥିଲେ, ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଏହା ସିଧାସଳଖ ଆକ୍ରମଣ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଚର୍ଚ୍ଚା ଭିତରେ ବୀଣା ରେଡ୍ଡୀଙ୍କ କଥା ଉଠିଛି। ବୀଣା ରେଡ୍ଡୀ ହେଉଛନ୍ତି ଆମେରିକାର କୂଟନୀତିଜ୍ଞ। ଯିଏ ଅଗଷ୍ଟ ୫, ୨୦୨୧ରେ ୟୁଏସଏଡର ମିଶନ ନିର୍ଦେଶିକା ଭାବେ ଭାରତ ଅଫିସରେ ସାମିଲ୍ ହୋଇଥିଲେ। ଭାରତ ଓ ଭୂଟାନରେ ୟୁଏସଏଡକୁ ଲିଡ୍ କରୁଥିବା ପ୍ରଥମ ଭାରତୀୟ ଆମେରିକୀୟ ମହିଳା ହେଉଛନ୍ତି ବୀଣା। ୟୁଏସଏଡର ପୂର୍ବ ଭାରତୀୟ ନିର୍ଦେଶକ ବୀଣାଙ୍କ ଭୂମିକାକୁ ନେଇ ବିଜେପି ସାଂସଦ ମହେଶ ଜେଠମଲାନୀ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ୨୦୨୪ରେ ଭାରତର ମତଦାନ ହାର ବୃଦ୍ଧି ଲାଗି ମିଶନ ସାରି ବୀଣା ପୁଣି ଆମେରିକା ଫେରିଯାଇଛନ୍ତି। ଲୋକସଭା ନିର୍ବାଚନ ସରିବାର ମାସକ ପରେ ଜୁଲାଇ ୧୭ରେ ବୀଣା ଆମେରିକା ପଳାଇଥିଲେ। ଅବଶୋଷ ହେଉଛି ଯେ, ସେ ଆମେରିକା ଚାଲିଯିବା ଆଗରୁ ଏଠାରେ ଥିବା ଏଜେନ୍ସି ଥରେ ହେଲେ ବି ଏଭଳି ପାଣ୍ଠିର ଦୁରୁପଯୋଗକୁ ନେଇ ବୀଣାଙ୍କୁ ପ୍ରଶ୍ନ କଲେନି। ଏବେ କଥା ପଡ଼ିଛି, କିକବ୍ୟାକ୍ ସ୍କିମରେ ସତରେ କିଏ କାର୍ପଟଦାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now