ବିଧାନସଭାରେ ବିଧାୟକ ହାତାହାତି-ଧସ୍ତାଧସ୍ତି

() ବିଧାନସଭାରେ ବିରଳ ଏମିତି ଘଟଣା ଆଗରୁ ଘଟିନଥିଲା। ହାତାହାତି ହେଲେ ବିଧାୟକ। ପରସ୍ପରକୁ ଠେଲାପେଲା, କଲର ଧରି ଟଣାଓଟରା ଭଳି ଅଭାବନୀୟ ସ୍ଥିତି ଦେଖିଲା ଗଣତନ୍ତ୍ରର ପବିତ୍ର ମନ୍ଦିର ଗଣତାନ୍ତ୍ରିକ ଉପାୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ଆୟୁଧ କରି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି, ଗୃହ କମିଟି ଗଠନ ଓ ସ୍ପଷ୍ଟ ନୀତି ଆଣିବା ଦାବି କରି କଂଗ୍ରେସ ହଟ୍ଟଗୋଳ କରୁଥିଲା। ଆଉ ଓଡ଼ିଆ ଅସ୍ମିତାରେ ବିଜେପିର ଦୋମୁହାଁ ନୀତି ଚଳିବନି କହି ବିଜେଡି ବି ହଙ୍ଗାମା କରୁଥିଲା। ତେବେ ଏହି ହଙ୍ଗାମା ଭିତରେ ବାଚସ୍ପତି ପ୍ରଶ୍ନୋତ୍ତର କାଳ ଜାରି ରଖିଥିଲେ। ବିରୋଧୀ ବି ଏଥିରେ ଉତକ୍ଷିପ୍ତ ହୋଇ ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ି ମାଇକ ଭିଡ଼ିବାକୁ ଉଦ୍ୟତ ହୋଇଥିଲେ। ଏତିକିରେ ମନ ଶାନ୍ତ ହେଲାନି। ବିଧାନସଭା ପ୍ରେସଟେବୁଲ୍ ଉପରେ ଚଢ଼ି କର୍ମଚାରୀଙ୍କୁ କାମ କରିବାକୁ ଦେଇନଥିଲେ। ଏଭଳି ପରିସ୍ଥିତି ଭିତରେ ବି ପ୍ରଶ୍ନକାଳ ଜାରି ରଖିଥିଲେ ବାଚସ୍ପତି। ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ଦେବା ବେଳେ ବିଧାୟକ ବାହିନୀପତି ତାଙ୍କ ପାଖକୁ ଯାଇ ହାତ ଯୋଡ଼ି ଗୁହାରି ଶୁଣ ବୋଲି ଅନୁନୟ ହେଉଥିଲା ବେଳେ ଘଟିଥିଲା ବିଚିତ୍ର ସ୍ଥିତି। ମନ୍ତ୍ରୀଙ୍କ ମାଇକ୍‌ ଛଡ଼ାଇବାରୁ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି। ଜୟନାରାୟଣ ମିଶ୍ର କୁଆଡ଼େ ଲିଡ୍‌ କରିଥିଲେ। ବାହିନୀପତିଙ୍କ କଲର ଧରିଥିଲେ ଜୟନାରାୟଣ। ସିଏସ ରାଜେନ ଏକ୍କାଙ୍କ ସହ ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଶାସକ ଓ ବିରୋଧୀ ସଂଘବଦ୍ଧ ହୋଇ ପରସ୍ପର ପ୍ରତି ମାଡ଼ିଆସିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ କିଛି ବରିଷ୍ଠ ତୁରନ୍ତ ମଝିରେ ପଶି ପରିସ୍ଥିତିକୁ ଶାନ୍ତ କରିଥିଲେ। ବାହିନୀପତି କହିଛନ୍ତି, ବାଚସ୍ପତି ପକ୍ଷପାତିତା କରୁଛନ୍ତି। ଜୟନାରାୟଣଙ୍କ ଭଳି ପାଗଳ ବ୍ୟକ୍ତିତ୍ୱଙ୍କଠୁ ଆଉ କଣ ଆଶା କରାଯିବ। କିଏ କାହାକୁ ଆଗ ବାଡ଼େଇଲା, କଲର ଧରିଲା, ତଦନ୍ତ ହେଉ। ବିଜେଡି କହିଛି, ଜୟନାରାୟଣଙ୍କ ଭଳି ବିଭାଜନକାରୀ ତତ୍ତ୍ୱକୁ ଆକଟ କରିବେ କଅଣ ସରକାର। ପାଲଟା ଏଭଳି ତତ୍ତ୍ୱଙ୍କୁ ଆଗରେ ରଖି ଗୁଣ୍ଡାଗିରି କରୁଛି ମୋହନ ସରକାର। ସେପଟେ ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ପ୍ରତିବାଦ ଜାରି ରଖିଥିଲା ବେଳେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ବନ୍ଦେ ଉତ୍କଳ ଜନନୀ ଗାନ କରି ବିଖଣ୍ଡିତ ଓଡ଼ିଶା ଲାଗି ହେଉଥିବା ବିଛିନ୍ନତାବାଦୀ ମାନସିକତାକୁ ଧିକାର କରିଥିଲା ବିଜେଡି। କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ କହି ବିଧାନସଭା ପରିସରରେ ବିଜେଡି ଲଣ୍ଠନ ଧରି ଖୋଜିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସ ଆଗରେ ବିଜେଡି ପ୍ରତିବାଦ କରିଥିଲା। ଶାସକ ଦଳ କହିଛି, ଗୃହ ଭିତରେ ବିରୋଧୀ ଯେଭଳି ବିଶୃଙ୍ଖଳିତ ଆଚରଣ କଲେ, ତାହା ନିନ୍ଦନୀୟ। ମହିଳା ବାଚସ୍ପତିଙ୍କୁ ଅସମ୍ମାନ ସହ ଗୃହର ମର୍ଯ୍ୟାଦା ହାନୀ କଲା ଭଳି ଆଚରଣ ସମସ୍ତଙ୍କୁ ବ୍ୟଥିତ ଓ ବିଚଳିତ କରିଛି। ମହିଳା ସମ୍ମାନ କଥା କହୁଥିବା କଂଗ୍ରେସ ବାଚସ୍ପତିଙ୍କ ଉପରକୁ କାଗଜ ଓ ବ୍ୟାନର ଫିଙ୍ଗିଲା। ବିଜେଡି ବିଶୃଙ୍ଖଳାର ସୀମା ପାର୍ କରିଗଲା। ଜାଣିଶୁଣି ଗୃହ କାର୍ଯ୍ୟକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କଲେ। ରାଜ୍ୟବାସୀ ସବୁ ଦେଖୁଛନ୍ତି। ଶାସକ ଦଳ ଦାବି କରିଛି, ବିଶୃଙ୍ଖଳିତ ସଦସ୍ୟଙ୍କ ବିରୁଦ୍ଧରେ ଆକ୍ସନ ହେଉ। ସେମାନଙ୍କୁ ଗୃହରୁ ନିଲମ୍ୱନ କରାଯାଉ। ବିଜେପି ବିଧାୟକ ଦଳ ବୈଠକରେ ଏଭଳି ବିଶୃଙ୍ଖଳିତ ଆଚରଣକୁ ନେଇ ବିଚାରବିମର୍ଶ ହୋଇଥିଲା। ଜୟନାରାୟଣ ମିଶ୍ର କହିଛନ୍ତି, ଯାହା ହୋଇଛି ସବୁ ରେକର୍ଡ ରହିଛି। ଚାହିଁଲେ ଦେଖିପାରିବେ। କାହା ପ୍ରତି କୌଣସି କାର୍ଯାନୁଷ୍ଠାନ ହେଉ ସେ ଚାହୁଁନାହାନ୍ତି। କିନ୍ତୁ ମନ୍ତ୍ରୀ ଉତ୍ତର ରଖୁଥିଲା ବେଳେ ମାଇକ୍ ମୋଡ଼ିବା, ପଢ଼ୁଥିବା କାଗଜ ଛଡ଼େଇ ନେବା କଦାପି ଘଟିନଥିଲା। ହାତାହାତି, ଧସ୍ତାଧସ୍ତି ଭଳି ଅଭାବନୀୟ ଘଟଣା ଘଟିଲା ବିଧାନସଭା ଭିତରେ। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *