ଆସନ୍ତା୧୪ ତାରିଖରେ ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ସଜେଇ ହେଲାଣି ଦୋଳବେଦୀ। ଦୋଳ ପୂର୍ଣ୍ଣିମାରେ ଦୋଳ କୁଞ୍ଜରେ ଦୋଳି ଖେଳିବେ ଶ୍ରୀଦୋଳଗୋବିନ୍ଦ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦୀକୁ ପ୍ରସ୍ତୁତ କରାଯାଉଛି। ଶ୍ରୀମନ୍ଦିର ସମସାମୟିକ ଦୋଳବେଦି ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକରେ ରହିଛି। ତ୍ରୟୋଦଶ ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ସମୟରେ ଏହି ଦୋଳବେଦି ନିର୍ମାଣ କରାଯାଇଥିଲା I ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ରାଜା ବୀରକିଶୋର ଦେବଙ୍କ ରାଜାମାତାଙ୍କ ଦ୍ବାରା ୧୭୩୭ରୁ ୧୭୯୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ନୂଆ ଦୋଳବେଦି ନିର୍ମାଣ କରାଯାଇଥିଲା। ଏହାର ଓସାର ପ୍ରାୟ ୮୦ ଫୁଟ ଓ ଲମ୍ବ ପ୍ରାୟ ୮୦ ଫୁଟ ଏବଂ ଏହାର ୪ଟି କୋଣ ରହିଛି। ଦୋଳବେଦୀ ଉପରେ ଆଉ ଏକ ୪ ଇଞ୍ଚ ଉଚ୍ଚତାର ମଣ୍ଡପ ରହିଛି, ଯାହାର ଲମ୍ବ ୩୫ ଫୁଟ ଓ ଓସାର ୩୦ ଫୁଟ । ଗବେଷକଙ୍କ ମତରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ମହାପ୍ରଭୁଙ୍କ ଦୋଳବେଦୀ ପ୍ରାୟ ତିନିଶହ ବର୍ଷ ପୁରୁଣା। ଗତବର୍ଷ ଦୋଳବେଦୀକୁ ଦିଆଯାଇଥିଲା ନୂଆ ରୂପ।
ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀ ଉପରେ ସ୍ଵତନ୍ତ୍ର ନୀତି କାନ୍ତି ହେବ। ଠିକ ସମୟରେ ନୀତି ସଂପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲାପାଳ ତଥା ଶ୍ରୀ ମନ୍ଦିର ଉପ ମୁଖ୍ୟପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଆସନ୍ତା ମେଣ୍ଢା ପୋଡ଼ି, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତା ୧୩ ଓ ୧୪ ତାରିଖ ମେଣ୍ଢା ପୋଡ଼ି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ। ଦୋଳପୂର୍ଣ୍ଣିମା ଦିନ ଏହି ବେଦୀକୁ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ଚଳନ୍ତି ପ୍ରତିମା ବିଜେ କରିଥାନ୍ତି। ଠାକୁରମାନେ ଦୋଳବେଦୀ କୁଞ୍ଜରେ ଝୁଲିଥାନ୍ତି । ଶ୍ରଦ୍ଧାଳୁମାନେ ଦେବଦେବୀଙ୍କୁ ଦର୍ଶନ କରିବା ସହ ଭୋଗ, ପୂଜାର୍ଚ୍ଚନା ଏବଂ ଅବିର ଲାଗି କରିଥାନ୍ତି।
ରଥରେ ବାମନରୂପୀ ଶ୍ରୀଜଗନ୍ନାଥଙ୍କୁ, ଚାପରେ ମଧୁସୂଦନଙ୍କୁ ଏବଂ ଦୋଳ ଝୁଲଣରେ ଶ୍ରୀଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୁକ୍ତି ଲାଭ କରିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now