ଅପରାଧୀକୁ ଥାନାକୁ ଆଣିବା ବେଳେ ସଂଘବଦ୍ଧ ଆକ୍ରମଣରେ ପୁଲିସ ଅଧିକାରୀଙ୍କ ମୃତ୍ୟୁ!

ଜଣେ ଅପରାଧୀକୁ ଧରିବାକୁ ଗଲା ବେଳେ ଅଚାନକ ସଂଘବଦ୍ଧ ଆକ୍ରମଣର ଶୀକାର ହେଲା ପୁଲିସ ଟିମ୍। ଆଉ ଏଥିରେ ଏଏସଆଇ ରାଜୀବ ରଞ୍ଜନ ମଲ୍ ତଳେ ପଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଅନମୋଲ ଯାଦବ ନାମକ ଅପରାଧୀକୁ ପୁଲିସ ଟିମ୍ ଧରିକି ଥାନାକୁ ନେଉଥିଲା ବେଳେ ଗ୍ରାମବାସୀ ଘେରିଯାଇଥିଲେ। ଅପରାଧୀକୁ ଛଡ଼ାଇନେବା ସହ ରାଜୀବଙ୍କୁ ହତ୍ୟା କରିଦେବା ଘଟଣାକୁ ନେଇ ଘମାସାନ ହୋଇଛି ବିହାର ରାଜନୀତି। ବିହାରର ଅରରିୟାରେ ଏହି ଘଟଣା ଘଟିଛି। ରାଜୀବଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆକ୍ରମଣରୁ ମୃତ୍ୟୁ ହେଲା ନା ଆଉ କିଛି କାରଣ ରହିଛି, ତାହାର ଛାନଭିନ୍ ଜାରି ରହିଛି। ଲକ୍ଷ୍ମୀପୁର ପଞ୍ଚାୟତରେ ଅପରାଧୀ ଅନମୋଲ ଲୁଚିଥିବା ସୂଚନା ପାଇବା ପରେ ପୁଲିସ ଟିମ୍ ଯାଇଥିଲା। ବିଜେପି ଓ ଜେଡିୟୁ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ତଦନ୍ତରେ ଯିଏ ବି ଦୋଷୀ , ସେମାନଙ୍କୁ ନିସ୍ତାର ନାହିଁ ବୋଲି କହିଛନ୍ତି। ନୀତିଶ ସରକାର ଅମଳରେ ଅପରାଧ ଓ ଅପରାଧୀଙ୍କୁ ବରଦାସ୍ତ କରାଯିବନି। ପୁଲିସର ମନୋବଳ ବୃଦ୍ଧି ଦିଗରେ ସରକାର ସବୁବେଳେ ସଚେତନ। ଗାଁରେ ବ୍ୟାପକ ଚଢ଼ାଉ ସହ ଅନେକ ଅଭିଯୁକ୍ତ ଓ ସନ୍ଦିଗ୍ଧଙ୍କୁ ଧରପଗଡ଼ ଆରମ୍ଭ ହୋଇସାରିଛି। ଆରଜେଡି କହିଛି, ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି। ପୁଣି ଜଙ୍ଗଲରାଜ ଆରମ୍ଭ ହୋଇଛି। ଡିଜିପି ବିନୟ କୁମାର କହିଛନ୍ତି, ହାର୍ଟଆଟାକରୁ ଏଏସଆଇଙ୍କ ମୃତ୍ୟୁ ହୋଇଛି। ରାଜୀବଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଖବରରେ କୌଣସି ସତ୍ୟତା ନାହିଁ। ଶବ ବ୍ୟବଛେଦ ପ୍ରାଥମିକ ରିପୋର୍ଟ ଅନୁସାରେ ରାଜୀବଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ରାଜୀବଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ରାଜୀବ ପୂର୍ବରୁ ରୋଗଗ୍ରସ୍ତ ଥିଲେ। ଅନମୋଲକୁ ଛଡ଼ାଇବାକୁ ତା ପରିବାର ପ୍ରୟାସ କରୁଥିଲେ। ଧକ୍କାରେ ଏଏସଆଇ ରାଜୀବ କୁମାର ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅପରାଧୀକୁ ଛଡ଼ାଇବାକୁ ପ୍ରୟାସ କରୁଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅନମୋଲ ଏବେ ବି ଫେରାର୍ ଅଛି। ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *