ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା ଏବଂ ସେଥିରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକ ସନ୍ତୋଷ ପରିଡ଼ାଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହାଛଡ଼ା ସମ୍ୱେଦନଶୀଳ ଅଞ୍ଚଳରେ ୨୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଓ ଜଣଙ୍କୁ ନିଯୁକ୍ତି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now