ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଜ୍ୱଳ ରେବନ୍ନା। ବିଚାରପତିଙ୍କ ରାୟ ଶୁଣିବା ମାତ୍ରେ କୋର୍ଟ ପରିସରରେ କାନ୍ଦି ପକାଇଥିଲେ ପ୍ରଜ୍ୱଳ। ଜେଡିଏସର ପୂର୍ବତନ ସାଂସଦ ଅଟନ୍ତି ପ୍ରଜ୍ୱଳ। ଦୁଷ୍କର୍ମ ମାମଲାରେ ମହତ୍ତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଶାଢ଼ୀକୁ କୋର୍ଟରେ ହାଜର କରାଯାଇଥିଲା। ଅଭିଯୋଗ ଥିଲା ଯେ, ଏହି ପୂର୍ବତନ ସାଂସଦ ଘରୋଇ ସହାୟିକାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିଲେ। ଘଟଣାର ଭିଡ଼ିଓ ରେକର୍ଡିଂ ବି କରିଥିଲେ ପ୍ରଜ୍ୱଳ। କିନ୍ତୁ ଯେଉଁ ଶାଢ଼ୀ ପିନ୍ଧିଥିବା ବେଳେ ପ୍ରଜ୍ୱଳ ଦୁଷ୍କର୍ମ କରିଥିଲେ, ସେ ଶାଢ଼ୀକୁ ସମ୍ଭାଳି ରଖିଥିଲେ ପୀଡ଼ିତା। କାଲି ଏହାର ସଜ୍ଜା ଶୁଣାଇବେ କୋର୍ଟ। ବେଙ୍ଗାଲୁରୁସ୍ଥିତ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଜଡ଼ିତ ମାମଲାର ଶୁଣାଣୀ ଲାଗି ଗଠିତ ସ୍ୱତନ୍ତ୍ର ଅଦାଲତ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ରାୟ ଏତଲା ରୁଜୁ ହେବାର ୧୪ ମାସ ପରେ ଆସିଛି। ପ୍ରଜ୍ୱଳ ରେବନ୍ନାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ମହୀଶୁରର କେଆର ନଗରର ଜଣେ ଘରୋଇ ସହାୟିକାଙ୍କ ଅଭିଯୋଗ ଆଧାରରେ ସିଆଇଡି ସାଇବରକ୍ରାଇମ୍ ଥାନାରେ ଏତଲା ରୁଜୁ ହୋଇଥିଲା। ସିଆଇଡିର ଏସଆଇଟି ଟିମ୍ ଘଟଣାର ତଦନ୍ତ କରି ପ୍ରାୟ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଯାଞ୍ଚରେ ମୋଟ୍ ୧୨୩ ସାକ୍ଷୀପ୍ରମାଣ ନେଇଥିଲା ଏସଆଇଟି। ଏହି ମାମଲାର ଶୁଣାଣୀ ଡିସେମ୍ୱର ୩୧, ୨୦୨୪ରେ ଆରମ୍ଭ ହୋଇଥିଲା। ଅଦାଲତ ୨୩ ସାକ୍ଷୀଙ୍କ ବୟାନ ନେଇଥିଲେ। ଭିଡ଼ିଓ କ୍ଲିପ୍ସର ଫରେନସିକ ରିପୋର୍ଟ ଓ ଘଟଣାସ୍ଥଳର ନିରୀକ୍ଷଣ ରିପୋର୍ଟର ବି ସମୀକ୍ଷା କରିଥିଲେ ଅଦାଲତ। ଟ୍ରାଏଲ ମାତ୍ର ୭ ମାସ ଭିତରେ ସରିଥିଲା। ଦୁଇ ପକ୍ଷର ଦଲିଲ ଶୁଣି ବିଚାରପତି ଜଷ୍ଟିସ ସନ୍ତୋଷ ଗଜାନନ ଭଟ୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଜ୍ୱଳ ରେବନ୍ନା ଗଲା ୧୪ ମାସ ଧରି ଜେଲରେ ବନ୍ଦୀ ଅଛନ୍ତି। ମହିଳାଙ୍କ ସହ ଯୌନଶୋଷଣ ଓ ଦୁଷ୍କର୍ମ ମାମଲାରେ ୨ ତାରିଖରେ ଦଣ୍ଡବିଧାନ କରିବେ ଅଦାଲତ। ଏ ମାମଲା ସେତେବେଳେ ଜୋର ଧରିଥିଲା, ଯେତେବେଳେ ଅନେକ ମହିଳାଙ୍କ ସହ ଯୌନଶୋଷଣ ଓ ଦୁଷ୍କର୍ମର ଆରୋପ ଆସିଥିଲା ପ୍ରଜ୍ୱଳଙ୍କ ଉପରେ। ସୋସିଆଲ ମିଡିଆରେ ଶତାଧିକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୁଲିସ ତାଙ୍କୁ ଗିରଫ କରିଥିଲା। ୨୬ ସାକ୍ଷୀଙ୍କ ବୟାନ, ପ୍ରମାଣ ଓ ମେଡିକାଲ ରିପୋର୍ଟ ଆଧାରରେ କୋର୍ଟ ପ୍ରଜ୍ୱଳଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଜ୍ୱଳ ଅନେକ ଥର ଜାମିନ୍ ଲାଗି ଆବେଦନ କରିଥିଲେ। କିନ୍ତୁ କୋର୍ଟ ସବୁଥର ଖାରଜ କରିଥିଲେ। ଯେହେତୁ ପ୍ରଜ୍ୱଳ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି। ସେଥିଲାଗି ମାମଲାକୁ ପ୍ରଭାବିତ କରିବାର ଆଶଙ୍କା ଥିଲା। ହାଇକୋର୍ଟରୁ ନେଇ ସୁପ୍ରିମକୋର୍ଟଙ୍କ ଯାଏ, ତାଙ୍କର ଜାମିନ ଆବେଦନ ଖାରଜ ହୋଇସାରିଛି। ପ୍ରଜ୍ୱଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡ଼ାଙ୍କ ନାତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now