ସାପ କାମୁଡ଼ାରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାପ କାମୁଡ଼ାରେ ମାଇଁ ଭାଣିଜୀଙ୍କ ଜୀବନ ଚାଲିଯାଇଥିଲା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦୁପୁରରେ ମାଆ ପୁଅଙ୍କ ଜୀବନ ଯାଇଛି। ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବିଲୁଗାଁ ଗାଁରେ ବୁଧବାର ରାତିରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି ୨୬ ବର୍ଷୀୟା ମାଇଁ ଦମୟନ୍ତୀ ଶବର ଓ ୧୨ ବର୍ଷୀୟା ଭାଣିଜୀ ଲିମି କାର୍ଜି। ଗୋଟିଏ କୋଠରୀରେ ଶୋଇଥିଲା ବେଳେ ଉଭୟଙ୍କୁ ବିଷଧର ସାପ କାମୁଡ଼ି ଦେଇଥିଲା। ଚିକିତ୍ସା ଲାଗି ଡାକ୍ତରଖାନାକୁ ନେବା ଆଗରୁ ଉଭୟଙ୍କ ଜୀବନ ଚାଲିଯାଇଛି। ଉଭୟଙ୍କ ଶବ ବ୍ୟବଛେଦ ବ୍ରହ୍ମପୁରରେ ହୋଇଥିଲା। ଘସିପୁରା ଥାନା ଅନ୍ତର୍ଗତ ରାଧିକାଦେଇପୁର ଗାଁରେ ସାପ କାମୁଡ଼ାରେ ମାଆ ଜେମାମଣୀ ମୁଣ୍ଡାଙ୍କ ସହ ୧୦ ବର୍ଷର ପୁଅ ଗଣେଶଙ୍କ ମୃତ୍ୟୁ ଘଟିଛି। ବୁଧବାର ଘରେ ତଳେ ଶୋଇଥିଲା ବେଳେ ବିଳମ୍ୱିତ ରାତିରେ ମାଆ ପୁଅ ଅଚାନକ ଗୁରୁତର ହୋଇପଡ଼ିଥିଲେ।ଜେମାମଣୀଙ୍କ ସ୍ୱାମୀ ସୁନୀଲ୍ ଉଭୟଙ୍କୁ ନିଜ ବାଇକରେ ବସାଇ ନିକଟସ୍ଥ କେଶଦୁରପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ମେଡିକାଲକୁ ରେଫର୍ କରାଯାଇଥିଲା। କିନ୍ତୁ ଆମ୍ୱୁଲାନ୍ସ ନ ମିଳିବାରୁ ପ୍ରାଇଭେଟ କାର ଭଡ଼ା କରି ମେଡିକାଲ ନେବାକୁ ବାହାରିଥିଲେ ସୁନୀଲ। କିନ୍ତୁ ମେଡିକାଲରେ ପହଞ୍ଚିବା ଆଗରୁ ପୁଅ ଆଖି ବୁଜିଦେଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିଲା। ସର୍ପାଘାତ ମାମଲା ବଢ଼ିଚାଲିଛି। ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗଲା ୨ ବର୍ଷ ଭିତରେ ୧୮୫୯ଟି ସାପକାମୁଡ଼ା ମୃତ୍ୟୁ ମାମଲା ଘଟିଛି। ବିଶେଷ କରି ବର୍ଷା ଦିନରେ ସାପକାମୁଡ଼ା ସଂଖ୍ୟା ବଢ଼ୁଛି। ଆଉ ବନ୍ୟା ପ୍ରଭାବିତ ଅଞ୍ଚଳରେ ତ ସାପୁ କାମୁଡ଼ାର ଡର ସବୁବେଳେ ରହିଆସିଛି। ସାପ କାମୁଡ଼ିଲେ ତୁରନ୍ତ ହସ୍ପିଟାଲ ନେବା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଲୋକେ ସାପୁଆ କେଳାଙ୍କ ପାଖକୁ ନେଇ ଝଡ଼ାଫୁଙ୍କାରେ ମାତିଥାଆନ୍ତି। ଫଳରେ ଜୀବନକୁ ସଂକଟକୁ ଠେଲିଦେଇଥାଆନ୍ତି। ଆରଏମଆରସି ଏଥିଲାଗି ଷ୍ଟେଟ ଆକ୍ସନ ପ୍ଲାନ୍ କରିଛି। ପ୍ରତି ବର୍ଷ ହଜାରେରୁ ଉର୍ଦ୍ଧ୍ୱ ସାପକାମୁଡ଼ା ଘଟଣା ଆସୁଛି। ୨୦୩୦ ସୁଦ୍ଧା ୫୦ ପ୍ରତିଶତ ସାପକାମୁଡ଼ା ସଂଖ୍ୟା କମାଇବାକୁ ଟାର୍ଗେଟ ରହିଛି। ସାପ କାମୁଡ଼ାରୁ ଅକାଳରେ ଚାଲିଯାଉଛି ଜୀବନ। ସେଥିଲାଗି ସତର୍କତା ଓ ସଚେତନତା ସହ ସ୍ୱାସ୍ଥ୍ୟଭିତ୍ତିଭୂମି ଥିଲେ ଅମୂଲ୍ୟ ଜୀବନ ବଞ୍ଚିପାରନ୍ତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now