ଅଟଳ- ରାଷ୍ଟ୍ରପ୍ରେମର ରୋଲମଡେଲ୍

ଦଳ ହେବ, ଭାଙ୍ଗିବ। ହାରଜିତ୍ ଲାଗିରହିବ। ଆଜି ଯିଏ କ୍ଷମତାରେ କାଲି କ୍ଷମତାରେ ନଥିବ। ସତ୍ତାର ଖେଳ ଚାଲିଥିବ। କିନ୍ତୁ ଦେଶ ରହିବା ଜରୁରୀ। ଦେଶର ଲୋକତନ୍ତ୍ର ବଞ୍ଚିକି ରହିବା ଦରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଏହି ବୟାନ ଶୁଣିଲେ ଆଜି ବି ଲୋମଟାଙ୍କୁରି ଯାଏ। ରାଷ୍ଟ୍ରପ୍ରେମ ଆଗରେ ଆଉ ସବୁ ତୁଛ ବୋଲି କହୁଥିଲେ ଅଟଳ। ଆଉ ଆଜି ଅଟଳଙ୍କ ପୂଣ୍ୟତିଥି ତଥା ଶ୍ରାଦ୍ଧବାର୍ଷିକୀ। ଭାରତ ପ୍ରତି ତାଙ୍କର ଅବଦାନକୁ ମନେ ପକାଇ ଅଟଳ ସ୍ମୃତିସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି। ଅଟଳ ଏକ ବ୍ୟକ୍ତି ନଥିଲେ, ବିଚାର ଥିଲେ। ଅଟଳ ଏକ ଜୀବନ ନଥିଲେ, ବରଂ ସଂସ୍କାର ଥିଲେ। ମହାନ୍ ରାଷ୍ଟ୍ରବାଦୀ, ବିଜେପିର ପ୍ରତିଷ୍ଠାତା ସଦସ୍ୟ ରାଜନୀତିର ମୂଲ୍ୟବୋଧକୁ ନେଇ ବଞ୍ଚୁଥିଲେ। ବିକାଶ, ସୁଶାସନ ଓ ସାଂସ୍କୃତିକ ରାଷ୍ଟ୍ରବାଦକୁ ନୂଆ ପରିଚୟ ଦେଇଥିଲେ ଅଟଳ। ନରସିଂହା ରାଓ ପ୍ରଧାନମନ୍ତ୍ରୀ ଥିଲା ବେଳେ ଭାରତର ପକ୍ଷକୁ ରଖିବାକୁ ଜେନେଭାକୁ ସେତେବେଳେ ବିରୋଧୀ ଦଳ ନେତା ଥିଲା ବେଳେ ଅଟଳଙ୍କୁ ପଠାଇଥିଲେ। ଯାହାକୁ ନେଇ ପାକିସ୍ତାନ ତାଜୁବ୍ ହୋଇଯାଇଥିଲା। ବିଜେପିର ପ୍ରତିଷ୍ଠାତାରୁ ପ୍ରଧାନମନ୍ତ୍ରୀ ହେବା ଯାଏଁ, ସେ ସବୁବେଳେ ରାଷ୍ଟ୍ରହିତକୁ ସର୍ବୋଚ୍ଚରେ ରଖିଥିଲେ। ୟୁପିର ବଲରାମପୁର ଲୋକସଭା ଆସନରୁ ପ୍ରଥମ ଥରି ଜିତି ୧୯୫୭ରେ ରାଜନୀତିକ କ୍ୟାରିଅର ଆରମ୍ଭ କରିଥିଲେ ବାଜପେୟୀ। ଲକ୍ଷ୍ନୌରେ ୫ ଥର ଲୋକସଭାକୁ ଯାଇଥିଲେ। ଆଉ ପ୍ରଧାନମନ୍ତ୍ରୀ ହୋଇଥିଲେ।୧୦ଥର ଲୋକସଭା ସାଂସଦ, ୨ଥର ରାଜ୍ୟସଭା ସାଂସଦ ଅଟଳ ପୀଢ଼ି ପରେ ପୀଢ଼ିକୁ ଅନୁପ୍ରାଣିତ କରୁଥିବ। ପ୍ରଖର ବକ୍ତା, କବି ହୃଦୟ ଓ ଯୁଗଦ୍ରଷ୍ଟା ଥିଲେ ବାଜପେୟୀ। ଶାନ୍ତିର ଦୂତ ଥିଲେ ସତ। କିନ୍ତୁ ସଶକ୍ତ ଭାରତ ଲାଗି ଓ ଶାନ୍ତିକୁ ସୁନିଶ୍ଚିତ ଲାଗି ଭାରତ ନିଜ ଶକ୍ତି ବି ପ୍ରଦର୍ଶନ କରିପାରେ। ତାକୁ ପୋଖରାନ ଟେଷ୍ଟରୁ ନେଇ କାରଗିଲ ଯୁଦ୍ଧ ଯାଏଁ ଏହାର ନଜିର ଦେଖାଇଥିଲେ ଅଟଳ। ସେହି ସ୍ୱଦେଶୀ ଜାଗରଣ, ଶକ୍ତି ଓ ଶାନ୍ତିର ସନ୍ତୁଳନ ଓ ସର୍ବୋପରି ଆତ୍ମନିର୍ଭର ଭାରତର ମାର୍ଗ ଦେଖାଇଥିବା ଅଟଳଙ୍କ ରାସ୍ତାରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଚାଲିଥିବା କହିଛି ବିଜେପି। ଭାରତୀୟ ରାଜନୀତିର ଅଜାତଶତୃ ଥିଲେ ଅଟଳ। ଶବ୍ଦର ଜାଦୁଗର,ବାଣୀର ବୀର, ସତ୍ୟର ପଥରେ ଚାଲି ରାଷ୍ଟ୍ରହିତକୁ ଧର୍ମ କରିଥିବା ଅଟଳଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *