ବର୍ଷାରେ ବେହାଲ ମୁମ୍ୱାଇ- କୁଲୁରେ ବାଦଲଫଟା ବର୍ଷାର ବିଭୀଷିକା

ହିମାଚଳପ୍ରଦେଶର କୁଲୁରେ ପୁଣି ବାଦଲଫଟା ବର୍ଷାର ବିଭୀଷିକା। ଅନେକ ଦୋକାନ, ଗାଡ଼ି ଓ ପୋଲ ଭାସିଯାଇଛି। ବାଦଲଫଟା ବର୍ଷାରୁ ବନ୍ୟା ସ୍ଥିତି ଉପୁଜିଛି। କୁଲୁ ଓ ବଞ୍ଜାରରେ ସ୍କୁଲ ଓ କଲେଜ ବନ୍ଦ କରିଦେଇଛି ପ୍ରଶାସନ। ଲଗଘାଟିର କନ୍ନୋନର ଉଚ୍ଚା ପାହାଡ଼ରେ ବିଳମ୍ୱିତ ରାତି ସାଢ଼େ ୨ଟା ପାଖାପାଖି ବାଦଲ ଫାଟି ଥିଲା। ସଖରିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପୋଲ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଅନେକ ରାସ୍ତା ଧୋଇଯାଇଛି। ୧୫ରୁ ଅଧିକ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ନଦୀ କୂଳକୁ ନଯିବାକୁ ଲୋକଙ୍କୁ ସତର୍କ କରାଇଛି ପ୍ରଶାସନ। ବାଦଲଫଟା ବର୍ଷା, ତା ସାଙ୍ଗକୁ ଫ୍ଲାସ୍ ଫ୍ଲଡ ଓ ଭୂସ୍ଖଳନର ବିପତ୍ତି ଘେରରେ ଯେମିତି ପଡ଼ିଯାଇଛି କୁଲୁ। ଆଜି ପାଇଁ କୁଲୁ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ପ୍ରାକୃତିକ ବିପତ୍ତିରୁ ଜୁନ୍ ୨୦ ତାରିଖରୁ ଆଜି ଯାଏଁ ୨୬୮ ଜଣଙ୍କ ମୃତ୍ୟୁ ହେଲାଣି। ୩୭ ଜଣ ଏବେ ବି ନିଖୋଜ ଅଛନ୍ତି। ବର୍ଷା ଓ ଭୂସ୍ଖଳନରୁ ୨ଟି ଜାତୀୟ ରାଜପଥ ଓ ୩୮୭ ରାସ୍ତା ବନ୍ଦ ଅଛି। ୭୬୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର ନଷ୍ଟ ହେବାରୁ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଜଳଯୋଗାଣ ବି ବାଧାପ୍ରାପ୍ତ ହୋଇଛି। ସତଲୁଜ ନଦୀ ପାଖରେ ଭୂସ୍ଖଳନରୁ ସୋମବାର ସିମଲା-ମଣ୍ଡି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। କଙ୍ଗ୍ରା ଜିଲ୍ଲାର ପୋଙ୍ଗ ଡ୍ୟାମର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ବୁଧବାର ସକାଳୁ ଡ୍ୟାମରୁ ପାଣି ଛଡ଼ାଯିବ। ସେପଟେ ମାୟାନଗରୀ ମୁମ୍ୱାଇରେ ଲଗାଣ ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ମଙ୍ଗଳବାର ସକାଳୁ ବର୍ଷାର ପରିମାଣ ବଢ଼ିଛି। ତଳିଆ ଅଞ୍ଚଳବାସୀଙ୍କ ଦୁର୍ଦଶା କହିଲେ ନ ସରେ। ଅନେକ ଜାଗାରେ ଲୋକାଲ ଟ୍ରେନ ବିଳମ୍ୱରେ ଚାଲିଥିଲା ବେଳେ ଟ୍ରାଫିକ୍ ଜାମରେ ଘଣ୍ଟା ଘଣ୍ଟା ଧରି ଫସିରହୁଛନ୍ତି ଲୋକେ।  ପାଣିପାଗ ବିଭାଗର ରେଡ୍ ଆଲର୍ଟ ଲାଗି ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ପାଲଘର, ଠାଣେ, ରାୟଗଡ଼, ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ କଲେଜ ବନ୍ଦ ଘୋଷଣା ହୋଇଛି। କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ ପାଇଁ କମ୍ପାନୀଗୁଡ଼ିକ ଅନୁମତି ଦେବାକୁ ଅପିଲ୍ କରିଛି ପ୍ରଶାସନ। ଇଣ୍ଡିଗୋ ସମେତ ଅନେକ ଏୟାରଲାଇନ୍ସ ଆଡଭାଇଜୋରି ଜାରି କରିଛନ୍ତି। ମୁମ୍ୱାଇରେ ପ୍ରବଳ ବର୍ଷାରୁ ବିମାନବନ୍ଦରର ଅନେକ ମାର୍ଗରେ ପାଣି ଚାଲୁଛି। ସେଥିଲାଗି ପ୍ରସ୍ଥାନ ଓ ଆଗମନରେ ବିଳମ୍ୱ ହେଉଛି ବୋଲି ଇଣ୍ଡିଗୋ କହିଛି। ବୋରିବଲି, ଅନ୍ଧେରି, ସାୟନ, ଦାଦର ଓ ଚେମ୍ୱୁର ସମେତ ସହରର ଅନେକ ଅଞ୍ଚଳରେ ରାତିଠୁ ବର୍ଷା ଜାରି ରହିଛି ଯେ ଛାଡ଼ିବାର ନାଁ ଧରୁନି। ମଙ୍ଗଳବାର ସକାଳ ୫ଟାରୁ ୬ଟା ଭିତରେ ମୁମ୍ୱାଇ ସେଣ୍ଟ୍ରାଲ, ପରେଲ, ଗ୍ରାଣ୍ଟରୋଡ୍, ମାଲାବାର ହିଲ୍, ଦାଦର, ବର୍ଲିରେ ୪୦ରୁ ୬୫ ମିମି ବର୍ଷା ରେକର୍ଡ ହୋଇଛି। ହାଇଓ୍ୱେ, ରେଲଓ୍ୱେ ଷ୍ଟେସନ, ଏୟାରପୋର୍ଟ ସବୁଠି ପାଣି ହିଁ ପାଣି। କୁର୍ଲାରୁ ଡୋମ୍ୱିବଲି ଯାଏ ହାହାକାର ସ୍ଥିତି ଉପୁଜିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଲଗାଣ ବର୍ଷାରୁ ୭ଜଣଙ୍କ ଜୀବନ ଯାଇଛି। ନାନ୍ଦେଣ୍ଡ ଜିଲ୍ଲାରେ ୨ଶହରୁ ଅଧିକ ଲୋକ ଫସିଛନ୍ତି। ସେମାନଙ୍କୁ ରେସକ୍ୟୁ ଲାଗି ସେନାକୁ ମୁତୟନ କରାଯାଇଛି। କୋଙ୍କଣରେ କିଛି ନଦୀର ଜଳସ୍ତର ବିପଦସଙ୍କେତ ପାଖାପାଖି ପହଞ୍ଚିଗଲାଣି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ସ୍ଥିତିର ସଂଜ୍ଞାନ ନେଇ ଆପାତକାଳୀନ ନିୟନ୍ତ୍ରଣ କକ୍ଷକୁ ଯାଇ ଅନୁଧ୍ୟାନ କରିଛନ୍ତି।ଲଗାଣ ବର୍ଷା, ବାଦଲଫଟା ବର୍ଷା, ଫ୍ଲାସଫ୍ଲଡ୍, ଭୂସ୍ଖଳନ ବିପତ୍ତିରେ ଫସିଯାଇଛନ୍ତି ଲୋକେ। ସାଧାରଣ ଜନଜୀବନ ଘୋର୍ ପ୍ରଭାବିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *