୮ ବର୍ଷ ପରେ ଭାରତ ପୁଣି ଥରେ ଏସିଆ କପ୍ ବିଜୟର ସ୍ୱାଦ ଚାଖିଛି। ଏହା ସହ ଷଷ୍ଠ ଥର ଏସିଆ କପ୍ ଜିତିବା ଲକ୍ଷ୍ୟ ରଖିଥିବା ଦକ୍ଷିଣକୋରିଆର ସ୍ୱପ୍ନକୁ ବି ଭାଙ୍ଗି ଚୁରମାର୍ କରିଦେଇଛି ଭାରତ। ବିହାରର ରାଜିଗିରିରେ ହୋଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଚତୁର୍ଥ ଥର ପାଇଁ ଏସିଆ ମହାଦେଶୀୟ ମୁକୁଟ ହାସଲ କରିଛି। ଏସିଆ କପ୍ ମୁକୁଟ ପିନ୍ଧିବା ସହ ବିଶ୍ୱକପକୁ ଭାରତ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ପ୍ରଥାମାର୍ଦ୍ଧ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ଥିଲା। ଦିଲପ୍ରୀତ ସିଂ ୨୭ ମିନିଟରେ ଗୋଲ୍ କରି ୨-୦ରେ ଗୋଲ ସ୍କୋର ରଖିଥିଲେ। ତୃତୀୟ କ୍ୱାର୍ଟରରେ ଫର୍ମକୁ ଫେରିବାକୁ ଦକ୍ଷିଣ କୋରିଆ ପୁରା ପ୍ରୟାସ କରିଥିଲା। ଆଉ ଲଗାତାର ପେନାଲ୍ଟି କର୍ଣ୍ଣର ବି ପାଇଥିଲା କୋରିଆ। କିନ୍ତୁ ଭାରତୀୟ ଡିଫେନ୍ସଙ୍କ ଆଗରେ କୌଣସି ଚାଲ୍ ଚାଲିପାରିଲାନି। ୪୪ ମିନିଟରେ ଦିଲପ୍ରୀତ ସିଂ ନିଜର ଦ୍ୱିତୀୟ ଗୋଲ୍ ଦେଇ ୩-୦କୁ ସ୍କୋର ପହଞ୍ଚାଇଦେଇଥିଲେ। ଆଉ ୪୯ ମିନିଟରେ ଅମିତ ରୋହିଦାସ ଅନ୍ତିମ କ୍ୱାର୍ଟରରରେ ଗୋଲ୍ କରି ଭାରତର ସ୍କୋରକୁ ଏକପାଖିଆ କରିଦେଇଥିଲେ। ଅବଶ୍ୟ ଏହାର ମିନିଟକ ପରେ କୋରିଆର ଡୈନ ସନ ଗୋଟିଏ ଗୋଲ୍ କରିଥିଲେ। କିନ୍ତୁ ତା ପରେ ଭାରତୀୟ ଟିମର ଗୋଲ ପୋଷ୍ଟକୁ ଆଉ ବଲ୍ ଆଣିବାରେ ସକ୍ଷମ ହୋଇପାରିନଥିଲା ଦକ୍ଷିଣ କୋରିଆ। ଭାରତ ନିଜର ଦବଦବା ଜାହିର ରଖିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଛା ଜ୍ଞାପନ କରିଥିଲେ। ଭାରତର ଏହି ଜିତ୍ ବିହାର ମାଟିରୁ ହୋଇଛି। ଏହାକୁ ନେଇ ବିହାର ସରକାର ମୋଦିଙ୍କ ଖେଲୋ ଇଣ୍ଡିଆ ଅଭିଯାନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଜୟ ପରେ ପୁରା ମୈଦାନ ବନ୍ଦେ ମାତରମ ଗୀତରେ ଝୁମିଥିଲା।
ଏସିଆ କପ୍ ବିଜୟରେ ଓଡ଼ିଆଙ୍କ ଝଲକ ବି ଦେଖିବାକୁ ମିଳିଥିଲା। ଯୁବ ଫରଓ୍ୱାର୍ଡ ଶିବାନନ୍ଦ ଲାକ୍ରା ଓ ଅଭିଜ୍ଞ ଅଲମ୍ପିଆନ୍ ଅମିତ ରୋହିଦାସ ଏହି ଟିମରେ ସାମିଲ୍ ଥିଲେ। ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ବି ଫାଇନାଲରେ ଅତିଥି ଥିଲେ। ଶିବାନନ୍ଦ ପ୍ରଥମ ଥର ଓ ଅମିତ ଦ୍ୱିତୀୟ ଥର ଏସିଆ କପ୍ ପଦକ ଜିତିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଓ ୨୦୧୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଅଭିନନ୍ଦନ ଜଣାଇଛନ୍ତି।
ଏସିଆ କପ୍ ହକିରେ ଆରମ୍ଭରୁ ବିଜୟ ଅଭିଯାନ ଜାରି ରଖିଥିଲା ଟିମ୍ ଇଣ୍ଡିଆ। ଏଥର ଫାଇନାଲରେ ବାଜି ମାରିବା ପରେ ବିଶ୍ୱକପ୍ ହାତେଇବ ବୋଲି ଆଶାବାଦୀ। ୨୦୦୩, ୨୦୦୭, ୨୦୧୭ ପରେ ୨୦୨୫ ଚାମ୍ପିଅନ ଟିମ୍ ଇଣ୍ଡିଆ ସମସ୍ତଙ୍କୁ ଗୌରବାନ୍ୱିତ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now