ବନ୍ଧୁ ସହ ଡିନର କରିବାକୁ କ୍ୟାମ୍ପସ ବାହାରକୁ ଯାଇଥିଲେ। ଫେରିଲା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ଘୋଷାରି ନେଇ ଗଣଦୁଷ୍କର୍ମ କରିଥିଲେ। ବନ୍ଧୁଙ୍କୁ ସେଠାରୁ ଭୟ ଦେଖାଇ ତଡ଼ିଦେଇଥିଲେ। ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଓଡ଼ିଶାର ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ହଇଚଇ ଖେଳାଇଦେଇଛି। ଘଟଣା ଶୁକ୍ରବାର ରାତିର। ପୀଡ଼ିତା ଜଣକ ଜଳେଶ୍ୱରର। ଦୁର୍ଗାପୁର ମେଡିକାଲ କଲେଜ ପରିସର ବାହାରେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ପୀଡ଼ିତା। ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ପୀଡ଼ିତାଙ୍କ କହିବା କଥା, ରାସ୍ତାରୁ ଜବରଦସ୍ତି ଟାଣି ପାଖ ଜଙ୍ଗଲକୁ ଟେକିନେଇଥିଲେ ଦୁର୍ବୃତ୍ତ। ଆଉ ତାଙ୍କ ସହ ପାଶବିକ ଅତ୍ୟାଚାର କରିଥିଲେ। କିଛି ସମୟ ପରେ ତାଙ୍କ ବନ୍ଧୁ ସେଠାରେ ପହଞ୍ଚିଥିଲେ ଓ ତାଙ୍କୁ ଉଦ୍ଧାର କରି କଲେଜକୁ ଆଣିଥିଲେ। ଖବର ପାଇବା ପରେ ଆଜି ପୀଡ଼ିତାଙ୍କ ବାପା ମାଆ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆଉ ପୁଲିସରେ ଏତଲା ଦେଇଛନ୍ତି। ମେଡିକାଲ କଲେଜରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରଶାସନ ଓ ପୁଲିସର ଅସହଯୋଗକୁ ନେଇ ଆରୋପ ଲଦିଛନ୍ତି ଅଭିଭାବକ। ପୀଡ଼ିତାଙ୍କ ସହପାଠୀ ଛାତ୍ରର ଭୂମିକାକୁ ନେଇ ସନ୍ଦେହ କରିଛନ୍ତି ପରିବାର। ଯାହା ସହ ତାଙ୍କ ଝିଅ କ୍ୟାମ୍ପସ ବାହାରକୁ ଯାଇଥିଲେ, ସେ କେମିତି ରକ୍ଷା କରିବାକୁ ପ୍ରୟାସ ବଦଳରେ ସେଠାରୁ ପଳାଇଥିଲେ ବୋଲି ପଚାରିଛନ୍ତି। ଦୁର୍ବୃତ୍ତଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ପାଇଁ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ଦୁର୍ଗାପୁର ନ୍ୟୁ ଟାଉନ ଥାନାରେ ମାମଲା ରୁଜୁ କରି ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ମେଡିକାଲ କର୍ମଚାରୀ ଓ ଛାତ୍ରୀଙ୍କୁ ପଚରାଉଚୁରା କରିଛି। ଏ ଘଟଣାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଆରଜି କର ମେଡିକାଲ୍ ଦୁଷ୍କର୍ମ ଘଟଣାକୁ ତୁଳନା କରି ବିଜେପି କହିଛି, ବଙ୍ଗରେ ଆଇନଶୃଙ୍ଖଳା ଆଉ ନାହିଁ। ଏ ଘଟଣାରେ ରାଷ୍ଟ୍ରୀୟ ମହିଳା ଆୟୋଗ ବି ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି। ଆୟୋଗର ଏକ ଟିମ୍ ଦୁର୍ଗାପୁର ପହଞ୍ଚିଥିଲା।ପୀଡ଼ିତାଙ୍କୁ ଭେଟି ପୁରା ମାମଲାକୁ ନେଇ ଆଲୋଚନା କରିଛନ୍ତି। ସରକାର କହିଛନ୍ତି, ଦୋଷୀଙ୍କୁ ଗିରଫ କରାଯିବା ସହ କଠୋରରୁ କଠୋର କାର୍ଯାନୁଷ୍ଠାନ ନିଆଯିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ କହିଛନ୍ତି। ସେ ଏ ଖବର ଶୁଣି ଗଭୀର ମର୍ମାହତ ବୋଲି କହିଛନ୍ତି। ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାବି କରିଛନ୍ତି। ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା ସହ ପଶ୍ଚିମବଙ୍ଗ ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଦେବାକୁ କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଡିନର ପରେ ଗଣଦୁଷ୍କର୍ମ। ଅଭିଯୁକ୍ତଙ୍କୁ ଚିହ୍ନଟ ଲାଗି ପୁଲିସ ତଦନ୍ତକୁ ଜୋରଦାର କରିଛି। ଫରେନସିକ ଟିମ୍ ଯାଞ୍ଚ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now