ଭୁବନେଶ୍ୱର: କଟକ ନଗର କଂଗ୍ରେସ କଳି ବଢ଼ୁଛି। ମୋକିମଙ୍କ ପକ୍ଷଛେଦନ ସକାଶେ ଧୀରେ ଧୀରେ ତାଙ୍କ ଅନୁଗତଙ୍କ ପାଇଁ କଂଗ୍ରେସ ନେତୃତ୍ୱ କବାଟ କିଳିବାକୁ ବସିଲାଣି। ଶରତଙ୍କ ନେତୃତ୍ୱକୁ ବିରୋଧ କରି ଯେଭଳି ନେତା ଓ କର୍ମୀଙ୍କ ଇସ୍ତଫାର ସୁଅ ଛୁଟାଇ ମୋକିମ୍ ପିସିସିକୁ ଅକଳରେ ପକାଇଲେଣି। ଅନୁରୂପ ଭାବରେ ମୋକିମଙ୍କ ଚେର କାଟିବାକୁ ଶରତ ବି ଅନୁରୂପ ଅଭିଯାନ ଆରମ୍ଭ କରିଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଭିତରେ ଜାରି ବିବାଦ ସିଧାସଳଖ ସଂଗଠନକୁ ବିପଦରେ ପକାଇଲାଣି। କଟକ ନଗର କଂଗ୍ରେସ ସଭାପତି ପଦରୁ ଅଚାନକ ଗିରିବାଳା ବେହେରାଙ୍କୁ ବାହାର କରି ନିଜର ଖାସ୍ ଅନୁଗତ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ଶରତ ପଟ୍ଟନାୟକ। ଆଉ ଏହା ପଛର ରହସ୍ୟ ବି ଜଳଜଳ କରି ଦିଶୁଛି। ତିନି ଦିନ ଭିତରେ କଟକରୁ ନେଇ ଭୁବନେଶ୍ୱର ଯାଏ। ଅନେକ ମୋକିମଙ୍କ ଦୃଢ଼ ସମର୍ଥକ ଦଳ ଛାଡ଼ିଥିବାରୁ ଏହାର କଡ଼ା କାଉଣ୍ଟର ଏଭଳି ବାଗରେ କରିଛନ୍ତି ଶରତ। ଗିରିବାଳା କହିଛନ୍ତି, ଏହା ତାଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ ଆକ୍ସନ। ଅଗଣତାନ୍ତ୍ରିକ ଭାବରେ ବିଦା କରାଯାଇଛି। କିଛି ଦଲାଲଙ୍କ ପାଇଁ ଦଳ ଦୁର୍ବଳ ହେବାକୁ ବସିଛି। କଟକ ମେୟର ପ୍ରାର୍ଥୀ ଥିଲେ ସେ। ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଭୋଟ ପାଇଥିଲେ।
ସେପଟେ ନବନିଯୁକ୍ତ ନଗର କଂଗ୍ରେସ ସଭାପତି ସୁରେଶଙ୍କ କହିବା କଥା, ତାଙ୍କର କାହା ସହ ବିବାଦ ନାହିଁ। ମୋକିମ୍ କି ଗିରିବାଳା। କାହା ସାଙ୍ଗରେ ତାଙ୍କର କାମ କରିବାରେ କୌଣସି ସମସ୍ୟା ନାହିଁ। ଆଉ ବିଧାୟକ ମୋକିମ କହିବା ଛଳରେ କଟାକ୍ଷ କରିଛନ୍ତି କି, ଦଳ ବୋଧହୁଏ ଅଧିକ ମଝଭୁତ ସକାଶେ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ। ସେ କଂଗ୍ରେସରେ ଅଛନ୍ତି ଓ ରହିବେ।
ସେପଟେ ପିସିସି ସଭାପତିଙ୍କ କହିବା କଥା, ଦଳକୁ ମଜଭୁତ କରିବାକୁ ସମସ୍ତେ ଆଗେଇ ଆସନ୍ତୁ। ପଦରେ ରହିଲେ କଅଣ କାମ କରିହେବ ନଚେତ ନୁହେଁ କି ବୋଲି ପାଲଟା ପଚାରିଛନ୍ତି। ଏହା କାହା ବିରୁଦ୍ଧରେ କୌଣସି ଆକ୍ରୋଶମୂଳକ ପଦକ୍ଷେପ ନୁହେଁ। ଏମିତିରେ ସୁରେଶ ଓ ମୋକିମଙ୍କ ଶିବିର ଭିତରେ ଶୀତଳଯୁଦ୍ଧ ଲାଗିରହିଛି। ଶରତ ସଭାପତି ହେବା ଦିନଠୁ ଅନେକ କାର୍ଯ୍ୟକ୍ରମରେ ମୋକିମଙ୍କୁ ଦେଖିବାକୁ ମିଳୁନଥିଲା। ଆଉ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ମୋକିମ୍। ମୋକିମ୍ ଆଗକୁ କଂଗ୍ରେସରେ ରହିବେ କି ନା, ତାକୁ ନେଇ ସସପେନ୍ସ ଜାରି ଭିତରେ ଉଭୟ ପକ୍ଷ ପରସ୍ପରର ପକ୍ଷଛେଦନ ଲାଗି ଯେମିତି କଟକକୁ ହବ୍ କରିଦେଲେଣି।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now