୩ କୋଟିର କାର୍ ପାଇଁ ୩୧ ଲକ୍ଷ ଟଙ୍କାର ଭିଆଇପି ନମ୍ୱର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ରାଜସ୍ଥାନ ଜୟପୁରର ରାହୁଲ ତନେଜା ପୁଅକୁ କାର୍ ଉପହାର ଦେବା ବେଳେ ଆରଟିଓରୁ ଭିଆଇପି ନମ୍ୱର ପାଇବାକୁ ପାଣି ଭଳି ଟଙ୍କା ଉଡ଼ାଇଛନ୍ତି। କାରର ନମ୍ୱର RJ 60 CM 0001। ରାହୁୁଲ ତନେଜା ଜଣେ ବଡ଼ ଇଭେଣ୍ଟ ମ୍ୟାନେଜର ଭାବେ ଜଣାଶୁଣା। ଜୟପୁରରେ ଏକଦା ଅଟୋ ରିକ୍ସା ଚଳାଉଥିଲେ। ହୋଟେଲରେ ଓ୍ୱେଟର କାମ କରିଥିଲେ। ତାଙ୍କ ବାପା ସାଇକେଲର ପମ୍ପଚର ପକାଉଥିଲେ। କିନ୍ତୁ ତାଙ୍କ ପରିଶ୍ରମ ଓ ଭାଗ୍ୟ ଆଜି ତାଙ୍କୁ ବଡ଼ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିଛି। ଆଉ ଆଜି ମହଙ୍ଗା କାର୍ କିଣି ଭିଆଇପି ନମ୍ୱର ପାଇଁ ଏତେ ଟଙ୍କା ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ରାହୁଲ ତନେଜା ୨୦୧୮ରେ ଜାଗୁଆର୍ ଏକ୍ସ ଜେଏଲ କାର୍ ଲାଗି ଭିଆଇପି ନମ୍ୱର RJ CG 0001 ନେଇଥିଲେ। ସେତେବେଳେ ବି ତାହା ରାଜସ୍ଥାନର ସବୁଠୁ ଦାମୀ ଭିଆଇପି ନମ୍ୱର ଥିଲା। ଏବେ ରାହୁଲ ୩ କୋଟିର ଅଡି କାର୍ ପାଇଁ ଜୟପୁର ଆରଟିଓଙ୍କ ପାଖରେ ୩୧ଲକ୍ଷ ଜମା କରି ଭିଆଇପି ନମ୍ୱର ପାଇଛନ୍ତି। ୨୦୧୧ରେ ନିଜର ପ୍ରଥମ ଲଗଜରି ବିଏମଡବ୍ଲୁ -ସେଭେନ ସିରିଜ୍ ପାଇଁ ନିଲାମରେ ୧୦ଲକ୍ଷ ଟଙ୍କା ଦେଇ RJ 14CP 0001 ନେଇଥିଲେ। ପୁଅ ରେହାନର ୧୮ତମ ଜନ୍ମଦିନରେ ରାହୁଲ ଅଡି କାର୍ ଗିଫ୍ଟ କରିଛନ୍ତି। ତେବେ ରାହୁଲଙ୍କ ଏହି ବିଳାସମୟ ଜୀବନ ଓ ଭିଆଇପି ନମ୍ୱର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବା ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। ଆଉ ଜବାବରେ ରାହୁଲ କହିଛନ୍ତି, ସେ ଆଜିକୁ ନେଇ ବଞ୍ଚନ୍ତି। ଯେଉଁ ସାମଗ୍ରୀରେ ତାଙ୍କୁ ଖୁସି ମିଳେ, ସେ ତାହା କରିବାକୁ ପ୍ରୟାସ କରନ୍ତି। ତାଙ୍କ ଖୁସି ତାଙ୍କ ପୁଅ ଖୁସିରେ ସେ ଦେଖନ୍ତି। ତାଙ୍କ ପୁଅ ରେହାନର ଖୁସି କାର୍ ଓ ଭିଆଇପି ନମ୍ୱରରେ ଥାଏ। ସେଥିଲାଗି ଏ ସବୁ କରିବା ପୂର୍ବରୁ ସେ ଏତେ ଭାବନ୍ତିନି। ୧୧ ବର୍ଷ ବୟସରୁ ରାହୁଲ ସଂଘର୍ଷ କରିଥିଲେ। ଦୁଇ ବର୍ଷ ଧରି ଢାବାରେ କାମ କରିବା ପରେ ୫ ବର୍ଷ ଧରି ଦିପାବଳୀରେ ବାଣ, ହୋଲିରେ ରଙ୍ଗ, ମକର ସଂକ୍ରାନ୍ତିରେ ଗୁଡ଼ି, ରାକ୍ଷୀ ପୂର୍ଣ୍ଣିାମାରେ ରାକ୍ଷୀ ତିଆରି କରି ବିକୁଥିଲେ। ଏହା ସହ ଖରା ଛୁଟିରେ କମିକ୍ସ ବିକୁଥିଲେ। କୋରିୟର ସର୍ଭିସରେ କାମ କରି ହକର ଭାବେ ଖବରକାଗଜ ପକାଇ ଗୁଜୁରାଣ ମେଣ୍ଟାଉଥିଲେ। ୧୯ ବର୍ଷରେ ଫେସନ ସୋରେ ମଡେଲିଂ କାମ ଆରମ୍ଭ କରିଥିଲେ। ୧୧ ମାସ ମଡେଲିଂ କରି ୧୯୯୯ରେ ମଡେଲିଂରେ ମିଷ୍ଟର ଜୟପୁର, ମିଷ୍ଟର ରାଜସ୍ଥାନ ଓ ମେଲ୍ ଅଫ ଦି ୟିଅରର ଟାଇଟଲ ଜିତିଥିଲେ। ଏହା ସହ ଚମଡ଼ା ଜ୍ଯାକେଟ୍, ଡିଜିଟାଲ ଘଡ଼ି ଓ ଇମ୍ପୋର୍ଟେଡ ଚକୋଲେଟ୍ ବ୍ୟବସାୟ କରିଥିଲେ। ୨୦ ବର୍ଷରେ ୨୦୦୦ ମସିହାରେ ରାହୁଲ ଲାଇଭ କ୍ରିଏସନ ନାଁରେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଆରମ୍ଭ କରିିଥିଲେ। ୨୦୧୦ରେ ମୁମ୍ୱାଇରେ ଅଫିସ୍ ଖୋଲି ଇଣ୍ଡିଆନ ଆର୍ଟିଷ୍ଟ ଡଟ୍ କମ୍ ନାଁରେ ଆର୍ଟିଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ ଓ୍ୱେଡିଂ ମ୍ୟାନେଜମେଣ୍ଟ କାମ ଆରମ୍ଭ କଲେ। ଆଉ ୫ ବର୍ଷ ଭିତରେ ବେଶ୍ ନାଁ କମାଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now