ବିହାର ବାଜିଗର- ଏନଡିଏ ନା ମହାମେଣ୍ଟ ?

ବିହାର ଶାସନଗାଦିରେ କାହାକୁ ବସାଇଲେ ଜନତା ଜନାର୍ଦ୍ଦନ, ୧୪ରେ ସ୍ପଷ୍ଟ ହେବ। ଏକଜିଟ୍ ପୋଲର ପୂର୍ବାନୁମାନ ସତ ହେବ ନା ବାଜି ପଲଟିଯିବ। ଏନଡିଏର ଏକପାଖିଆ ଜିତ୍‌ରେ ମୋହର ଲଗାଇସାରିଥିବା ସର୍ଭେ ସଂସ୍ଥାଗୁଡ଼ିକର ଆକଳନ ସଠିକ୍ ରହିବ ନା ବିହାରରେ ପରିବର୍ତ୍ତନର ଲହର ସପକ୍ଷରେ ଭୋଟ୍ ଦେଇ ମହାଗଠବନ୍ଧନକୁ ଭରସା କରିଛନ୍ତି ଜନତା। ଏ ତମାମ ପ୍ରଶ୍ନ, ଆକଳନ, ଆରୋପ ପ୍ରତ୍ୟାରୋପ ଭିତରେ ଅଙ୍କକଷାକୁ ନେଇ ଘମାସାନ ହୋଇଛି ରାଜନୀତି। ଏନଡିଏ ମେଣ୍ଟ ଏକଜିଟ୍ ପୋଲ୍ ପୂର୍ବାନୁମାନ ଦେଖି ସେଲିବ୍ରେସନ ଆରମ୍ଭ କରିସାରିଲାଣି। ବିହାରର ଜନତା ଜାତିବାଦ, ପରିବାରବାଦ ଓ ଭ୍ରଷ୍ଟାଚାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ବୋଲି ବିଜେପି ଦାବି କରିଛି। ଲାଲୁ, ତେଜସ୍ୱୀ, ରାହୁଲଙ୍କୁ ନୁହେଁ। ବିହାର ବିକାଶ ଲାଗି ଜନତା ଭୋଟ୍‌ ଦେଇଛନ୍ତି। ଏଥର ବିହାରରେ ମୋଦି- ନୀତିଶଙ୍କ ବିକାଶର ଟ୍ରାକ୍ ରେକର୍ଡ ଓ ନେତୃତ୍ୱକୁ ଭୋଟ୍ କରିଛନ୍ତି ଜନତା। ୨୦୧୦ରେ ୨୦୬ ଆସନ ଜିତିଥିଲା ଏନଡିଏ। ଏଥର ବଡ଼ ଜିତ୍ ହାସଲ କରିବ। ଆରଜେଡି କହିଛି, ବିହାରରେ ମହାଗଠବନ୍ଧନ ସରକାର ହେବା ଥୟ। ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ। ବିହାରରେ ପରିବର୍ତ୍ତନର ହାଓ୍ୱା ଚାଲିଛି। ଯାହା ଜନତା ନିଜ ଭୋଟରେ ପ୍ରମାଣିତ କରିଛନ୍ତି। ଏକଜିଟ୍ ପୋଲ୍ ଜନତାର ମୁଡ୍ କୁ ଚାପବର୍ତ୍ତୀ କରିବାକୁ ଚେଷ୍ଟା କରିଛି। ଆଉ ୧୪ରେ ରେଜଲ୍ଟ ବାହାରିବା ପରେ ବିହାରର ଜନତା ଅସଲ ସେଲିବ୍ରେସନ କରିବେ। ବିହାରରେ ଥିବା ଏନଡିଏ ସରକାର ୨୪ ଘଣ୍ଟାର ଅତିଥି। ଶୁକ୍ରବାରରୁ ନୂଆ ସକାଳ ଓ ନୂଆ ସରକାର। ତେଜସ୍ୱୀ ବି କହିସାରିଛନ୍ତି, ୧୪ରେ ମହାଗଠବନ୍ଧନ ସରକାର। ସେ ୧୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେପଟେ କିଛି ଷ୍ଟ୍ରଙ୍ଗରୁମ ବାହାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଇଭିଏମ ସିଲ୍ ପରେ ଷ୍ଟ୍ରଙ୍ଗରୁମକୁ କେମିତି ବିଳମ୍ୱିତ ରାତିରେ ଟ୍ରକରେ ଲୋଡ୍ ହୋଇଥିବା ଖାଲି ବାକ୍ସ ଆସିଲା। ସାସାରାମରେ ଏହାକୁ ନେଇ ତାତିଥିଲେ ଆରଜେଡି କର୍ମୀ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲାଠି ଚାର୍ଜ କରିଥିଲା। ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ରୋହତାସ ଜିଲ୍ଲାପାଳ କହିଛନ୍ତି, ଗଣତି ପରେ ଇଭିଏମକୁ ପ୍ୟାକିଂ କରିବାକୁ ଖାଲି ବାକ୍ସ ଆସିଥିଲା। ଏହାର ଯାଞ୍ଚ ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇଥିଲା।  ପାଟନା ଜିଲ୍ଲାପାଳ କହିଛନ୍ତି, ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଶାସନ ତୀକ୍ଷ୍ନ ନଜର ରହିଛି। ବିହାରରେ କାଲି ୪୬ କେନ୍ଦ୍ରରେ ଗଣତି ହେବ। ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଓ ସାଢ଼େ ୮ଟାରେ ଇଭିଏମ୍ ଖୋଲିବ। ବକ୍ସରରେ ଜିଲ୍ଲାପାଳ  ଏସପି ମିଳିତ ଭାବେ ଷ୍ଟ୍ରଙ୍ଗରୁମ ସୁରକ୍ଷାକୁ ନେଇ ଅନୁଧ୍ୟାନ କରିଛନ୍ତି। ପାଟନାରେ ନୀତିଶଙ୍କ ପାଇଁ ଟାଇଗର ଅଭି ଜିନ୍ଦା ହୈ ପୋଷ୍ଟର ଲାଗିସାରିଲାଣି। ନଭେମ୍ୱର ୧୬ ଯାଏଁ କେହି ବି ଜିତିବା ସେଲିବ୍ରେସନ କରିପାରିବେନି ବୋଲି ପାଟନା ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି। ଆଦର୍ଶ ଆଚରଣ ବିଧିର ଅବଧି ନଭେମ୍ୱର ୧୬ ଯାଏଁ ବଢ଼ାଇ ଦିଆଯାଇଛି। କୌଣସି ବିଜୟ ଶୋଭାଯାତ୍ରା, ସଭା, ସେଲିବ୍ରେସନ ବା ଡିଜେ ବାଜିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *