ବିନା ବିଧାୟକରେ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ। ଜଣେ ହେଲେ ବିହାର ବିଜେପି ସଭାପତି ଦିଲ୍ଲୀପ ଜୟସଓ୍ୱାଲ, ହାମ୍ ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ ସୁମନ ଓ ଆରଏଲଏମ ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହାଙ୍କ ପୁଅ ଦୀପକ ପ୍ରକାଶ। ଦିଲ୍ଲୀପ ଜୟସଓ୍ୱାଲ ବିହାର ବିଜେପି ସଭାପତି ସହ ବିଧାନ ପରିଷଦ ସଦସ୍ୟ। ବିଧାନ ପରିଷଦ କୋଟାରୁ ସେ ନୀତିଶଙ୍କ ମନ୍ତ୍ରିମଣ୍ଡଳକୁ ପୁଣି କମ୍ବ୍ୟାକ୍ କରିଛନ୍ତି। ଦିଲ୍ଲୀପ ମନ୍ତ୍ରୀ ହେବା ପରେ ଏବେ ବିହାର ବିଜେପି ଅଧ୍ୟକ୍ଷ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି। ଦିଲ୍ଲୀପଙ୍କ ବଦଳରେ ନୂଆ ଚେହେରା ବିହାର ବିଜେପିର କମାଣ୍ଡ ସମ୍ଭାଳିବେ। ଗୋଟିଏ ନେତା, ଗୋଟିଏ ପଦ ସିଦ୍ଧାନ୍ତ ଆଧାରରେ ବିଜେପି ଏହି ନିଷ୍ପତ୍ତି ନେବ। ଜୟସଓ୍ୱାଲ ପୂର୍ବରୁ ବି ନୀତିଶଙ୍କ କ୍ୟାବିନେଟରେ ଥିଲେ। ବିଜେପି ସଭାପତି ଥିବା ସମ୍ରାଟ ଚୌଧୁରୀ ଗଲା ବର୍ଷ ଜୁଲାଇରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀପଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ମିଳିଥିଲା। ବିହାର ବିଜେପି ଅଧ୍ୟକ୍ଷ ହେବା ପରେ ସେ ଚଳିତବର୍ଷ ଫେବୃଆରୀରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିଭଳି ସନ୍ତୋଷ ସୁମନ ବି ବିଧାନ ପରିଷଦ ସଦସ୍ୟ। ଆରଏଲଏମର ପ୍ରମୁଖ ଉପେନ୍ଦ୍ର କୁଶଓ୍ୱାହାଙ୍କ ପତ୍ନୀ କୁଶଓ୍ୱାହା ନିର୍ବାଚନ ଜିତିଥିଲେ ବି ତାଙ୍କୁ ମନ୍ତ୍ରୀ ପଦ ନ ଦେଇ ପୁଅ ଦୀପକ ପ୍ରକାଶଙ୍କୁ ମନ୍ତ୍ରୀ କରାଯାଇଛି। ଯେବେକି ଦୀପକ ନା ବିଧାନ ପରିଷଦ ସଦସ୍ୟ ନା ବିଧାୟକ। ବାପା ଉପେନ୍ଦ୍ର କୁଶଓ୍ୱାହା ରାଜ୍ଯସଭା ସାଂସଦ। ମାଆ ବିଧାୟିକା। କିନ୍ତୁ ବିନା ନିର୍ବାଚନ ଲଢ଼ି, ବିନା ରାଜନୈତିକ ଅଭିଜ୍ଞତାରେ ମନ୍ତ୍ରୀ ହୋଇ ସିଧା ପଲିଟିକ୍ସରେ ଏଣ୍ଟ୍ରି କରିଛନ୍ତି ସଫ୍ଟଓ୍ୱେର ଇଞ୍ଜିନିୟର ଦୀପକ। ମନ୍ତ୍ରୀ ପଦରେ ରହିବାକୁ ହେଲେ ୬ ମାସ ଭିତରେ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟ ହେବାକୁ ପଡ଼ିବ। ଜିନ୍ସ, ଟି-ସାର୍ଟ ପିନ୍ଧି ଶପଥ ନେଇଥିଲେ ଆଜି ଦୀପକ। ବିହାରରେ ଆରଏଲଏମ ୪ଟି ଆସନରେ ଜିତିଥିଲେ ହେଁ, କାହା ଉପରେ ଭରସା କରିପାରିଲେନି ଉପେନ୍ଦ୍ର। ଏପରିକି ନିଜ ପତ୍ନୀ ସ୍ନେହଲତା କୁଶଓ୍ୱାହା ବି ସାସାରାମ ଆସନରୁ ଜିତିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now