ଅଯୋଧ୍ୟା ରାମମନ୍ଦିର ଶୀଖରରେ ଉଡ଼ିଲା ଧର୍ମଧ୍ୱଜ। ଆଜି ଦିନ ୧୨ଟାରେ ରାମଲାଲାଙ୍କ ମନ୍ଦିର ଶୀଖରରେ ଗେରୁଆ ବାନା ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବାନା ତ୍ରିକୋଣର। ଏହାର ଉଚ୍ଚତା ୧୦ ଫୁଟ ଓ ଲମ୍ୱ ୨୦ ଫୁଟ୍। ମର୍ଯାଦା, ଏକତା ଓ ସାଂସ୍କୃତିକ ସମନ୍ୱୟର ବାର୍ତ୍ତା ଦେଉଥିଲା। ରାମ ରାଜ୍ୟର ଆଦର୍ଶର ବାହକ ସାଜିଛି। ଧର୍ମଧ୍ୱଜାରୋହଣ ପୂର୍ବରୁ ସପ୍ତମଣ୍ଡପରେ ପୂଜାର୍ଚ୍ଚନା କରିଥିଲେ ମୋଦି। ସପ୍ତମନ୍ଦିରରେ ମହର୍ଷି ବଶିଷ୍ଟ, ମହର୍ଷି ବିଶ୍ୱନାଥ, ମହର୍ଷି ଅଗସ୍ତ୍ୟା, ମହର୍ଷି ବାଲ୍ମିକୀ, ଦେବୀ ଅହଲ୍ୟା, ନିଶାଦରାଜ ଗୁହା ଓ ମାତା ସାବରୀଙ୍କ ଆଶୀର୍ବାଦ ନେଇଥିଲେ ପ୍ରଧାନମନ୍ତ୍ରୀ। ଏହା ପରେ ଶେଷବତାର ମନ୍ଦିର ଦର୍ଶନ କରିଥିଲେ। ଯେଉଁ ମନ୍ଦିରରେ ରାମଙ୍କ ଅନୁଜ ଲକ୍ଷ୍ମଣ ପୂଜା ପାଉଛନ୍ତି। ଏହା ପରେ ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ। ଆରଏସଏସ ମୁଖ୍ୟ ମୋହନ ଭାଗଓ୍ୱତ ବି ଯୋଗ ଦେଇଥିଲେ। ଏହା ପରେ ରାମ ଦରବାରର ଗର୍ଭଗୃହକୁ ଯାଇଥିଲେ ମୋଦି। ସେଠାରେ ବେଦମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ପରିବେଶ। ସରସଂଘଚାଳକ ମୋହନ ଭାଗଓ୍ୱତଙ୍କ ସହ ପୂଜାର୍ଚ୍ଚନା କରିଥିଲେ। ଏହି ଧ୍ୱଜାରୋହଣ ମନ୍ଦିର ନିର୍ମାଣର ପୂର୍ଣ୍ଣତା ଓ ଏକ ବଡ଼ ସାଂସ୍କୃତିକ ଉତ୍ସବର ପ୍ରତୀକ ବୋଲି ବିବେଚନା କରାଯାଉଛି। ପାରମ୍ପରିକ ନାଚଗୀତରେ ଦୁଲୁକୁଥିଲା ଅଯୋଧ୍ୟା ନଗରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଧର୍ମଧ୍ୱଜା ଭାରତୀୟ ସଭ୍ୟତାର ପୁନଃଜାଗରଣର ଧ୍ୱଜା ଅଟେ। ଗେରୁଆ ରଙ୍ଗରେ ଚିତ୍ରିତ ସୂର୍ଯ୍ୟବଂଶର ଖ୍ୟାତି ରାମରାଜ୍ୟର କୀର୍ତ୍ତିକୁ ପ୍ରତିଫଳିତ କରୁଛି। ଏହି ଧ୍ୱଜ ସଫଳ, ସଂକଳ୍ପ ଓ ସଂଘର୍ଷର ଗାଥା କହୁଛି। ସନ୍ଥଙ୍କ ସାଧନା ଓ ସମାଜର ସହଭାଗିତାର ସାର୍ଥକ ପରିଣତି ଅଟେ। ଏହି ଧର୍ମଧ୍ୱଜ ପ୍ରଭୂ ରାମଙ୍କ ରାସ୍ତାରେ ଯିବାକୁ ଅନୁପ୍ରାଣିତ କରିବ। ସତର ହିଁ ଜିତ୍ ବୋଲି ଏହି ପତାକା ସବୁବେଳେ ମନେ ପକାଇବ। ସତ୍ୟରେ ହିଁ ଧର୍ମ ସ୍ଥାପିତ ହୁଏ। ଯାହା କହିବ, ତାହା କରିବ ବୋଲି ଏହା ସନ୍ଦେଶ ଦେବ। କର୍ମ ଓ କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ଶିକ୍ଷା ଦେବ। ସମାଜରେ ଭେଦଭାବକୁ ଦୂର କରି ଶାନ୍ତିସମୃଦ୍ଧି ପ୍ରତିଷ୍ଠାର ବାର୍ତ୍ତା ଦେବ ଏହି ଧ୍ୱଜ। ଅଯୋଧ୍ୟାରେ ଆଦର୍ଶ ଆଚରଣରେ ବଦଳିଥାଏ। ଏହି ଭୂମି ହିଁ ଶିକ୍ଷା ଦେଇଛି, ସମାଜର ଶକ୍ତି ଓ ସାମର୍ଥ୍ୟରେ ଜଣେ ବ୍ୟକ୍ତିଙ୍କୁ କେମିତି ପୁରୁଷୋତ୍ତମ କରିଥାଏ। ବନବାସରେ ରାମଙ୍କ ତ୍ୟାଗ ଓ ସମର୍ପଣକୁ ତୁଳନା କରି ବିକଶିତ ଭାରତ ପାଇଁ ଏହି ଶକ୍ତି ଓ ସାମର୍ଥ୍ୟର ଆବଶ୍ୟକତା ଅଛି ବୋଲି ଭାରତୀୟଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଧ୍ୱଜାରୋହଣ କେବଳ ଏକ ପୂର୍ଣ୍ଣାହୁତି ବା ଯଜ୍ଞ ନୁହେଁ। ବରଂ ଗୋଟିଏ ନୂଆ ଯୁଗର ଶୁଭାରମ୍ଭ। ଏହି ପତାକା ଧର୍ମ, ସମନ୍ୱୟ, ସତ, ନ୍ୟାୟ ଓ ରାଷ୍ଟ୍ରଧର୍ମର ପ୍ରତୀକ ଅଟେ। କୋଟି କୋଟି ରାମଭକ୍ତ, କରସେବକ, ସାଧୁସଂଥ, ସର୍ବୋପରି ରାମଜନ୍ମଭୂମି ଆନ୍ଦୋଳନରେ ସାମିଲ୍ ସିପାହୀଙ୍କ ଲାଗି ବଡ଼ ଦିନ। ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ସାଜିବ ଏହି ଧ୍ୱଜା। ସନାତନ ଧର୍ମ ପାଇଁ ଏହା ସବୁଠୁ ବଡ଼ ପ୍ରେରଣା ସାଜିବ। ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଅଯୋଧ୍ୟାର ମହର୍ଷି ବାଲ୍ମୀକି ଏୟାରପୋର୍ଟ ପହଞ୍ଚିଥିଲେ। ସେଠାରୁ ହେଲିକେପ୍ଟରରେ ସାକେତ ମହାବିଦ୍ୟାଳୟ ଯାଇଥିଲେ। ଆଉ ସେଠାରୁ ରୋଡ୍ ସୋ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆଧ୍ୟାତ୍ମିକ ରୂପରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ଥିଲା। ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା। ଅଯୋଧ୍ୟା ନଗରୀରେ ପୁରା ଭକ୍ତିମୟ ପରିବେଶରେ ଧ୍ୱଜର ଅଭିଷେକ ହୋଇଥିଲା। ଗେରୁଆ ରଙ୍ଗର ପତାକାରେ ରହିଛି ଉଜ୍ୱଳ ସୂର୍ଯ୍ୟ ଓ ଓମ୍ ଲେଖାଯାଇଛି। ଏହି ଧ୍ୱଜ କେମିତି ସତ, ସାଧନା, ସଂକଳ୍ପର ପ୍ରତୀକ ସାଜିଛି, ତାକୁ ଅବତାରଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now