ଧନବର୍ଷା ପ୍ରଲୋଭନରେ ପଡ଼ି କେମିତି ଲୋକେ ଠକାମୀର ଶୀକାର ହୁଅନ୍ତି, ଏହାର ଏକ ନଜିର ଆସିଛି ମଧ୍ୟପ୍ରଦେଶରୁ। ଜଣେ ଫିଲ୍ଡ ମ୍ୟାନେଜର ଓ ତାଙ୍କ ସାଥୀଙ୍କୁ ଜାଦୁ ଖେଳର ଆଳରେ ୩ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଠକ। ୫ଲକ୍ଷ ଟଙ୍କାକୁ ୧୨ କୋଟି କରିଦେବାର ଲୋଭ ଦେଖାଇ ଏଭଳି ଠକେଇ ହୋଇଛି। ମୁଖ୍ୟ ଅଭିଯୁକ୍ତ ଜଣେ ମୁସଲିମ ବାବା। ଯିଏ ଠକିବାକୁ ସନାତନ ଧର୍ମର ଓଢ଼ଣୀ ଘୋଡ଼େଇଥିଲା। କୋତଓ୍ୱାଲି ଥାନା ଅନ୍ତର୍ଗତ ଏ ଘଟଣା। କୁମ୍ଭାରଖେଡ଼ା ନିବାସୀ ଫିଲ୍ଡ ମ୍ୟାନେଜର ବିକ୍କି ଚୌହ୍ୱାନ ନିଜର ପରିଚିତ ହରିଶ ଜୈନ ଓ ପ୍ରୋପର୍ଟି ବ୍ରୋକର ରାଜୁ ଅୱସ୍ତିଙ୍କ ସହ ଯାଇ ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁସାରେ, ସେ ଏକ ପୋଲ ପାଖରେ ଛିଡ଼ା ହୋଇଥିଲେ। ସେତେବେଳେ ଏକ ଧଳା ଫୋର୍ଡ କାର୍ ଆସି ପହଞ୍ଚିଥିଲା। ସେଥିରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଓହ୍ଲାଇଥିଲେ। ରିତିକ କଙ୍ଗାଲି, ଗୋବିନ୍ଦ ମହାରାଜା ଓ ନେହା ଶର୍ମା ବୋଲି ପରିଚୟ ଦେଇ କହିଥିଲେ, ସେମାନେ ଯାଦୁ କରି ଟଙ୍କା ବର୍ଷା କରନ୍ତି। ଯଦି ୫ଲକ୍ଷ ଦେବେ, ତାକୁ ୧୨ କୋଟି କରିଦେବେ। କେବଳ ପୂଜା ପାଇଁ କିଛି ସାମଗ୍ରୀ ଆଣିବାକୁ ପଡ଼ିବ ଓ କ୍ରିୟା କରିବାକୁ ଗୋଟିଏ ଘର ଦରକାର। ଆଉ ନିଜ ଘରକୁ ନେଇ ବିକ୍କି ତାଙ୍କୁ ଷ୍ଟୋର ରୁମରେ ମାଠିଆ, ମହମବତୀ, ନାଲି କପଡ଼ା, ମିଠା, ଫୁଲ ଆଦି ଦେଇଥିଲେ। ଏହା ସହ ୩ ଲକ୍ଷ ଟଙ୍କା ନଗଦ ଦେଇଥିଲେ। ଯାହାକୁ ଗୋବିନ୍ଦ ମହାରାଜ ଓ ନେହା ଶର୍ମା ଲାଲ କପଡ଼ାରେ ରଖି ମାଠିଆରେ ବନ୍ଦ କରିଦେଇଥିଲେ। ଆଉ କିଛି ସମୟ ପରେ ଗୋବିନ୍ଦ ମହାରାଜ ଓରଫ ଶେଖ୍ ରେହେମାନ ବିକ୍କିକୁ କହିଥିଲେ, କିଛି ସମୟ ଭିତରେ ଶ୍ମଶାନରୁ ଶକ୍ତି ଆସିବ ଓ ୩ଲକ୍ଷ ୧୨ କୋଟି ହୋଇଯିବ। ସେଥିଲାଗି ବିକ୍କି ଶ୍ମଶାନକୁ ଯାଇ ମନ୍ତ୍ର ଜପ କରନ୍ତୁ। ଆଉ ବିକ୍କି ଶ୍ମଶାନ ଯିବା ମାତ୍ରେ ଏମାନେ ଛୁ ମାରିଥିଲେ। ଷ୍ଟୋର ରୁମ୍ ଖୋଲି ଦେଖିଲା ବେଳକୁ ମାଠିଆ ଭିତରେ ଥିବା ୩ଲକ୍ଷ ଗାଏବ ହୋଇଯାଇଛି। ପୁଲିସ ଏତଲା ପାଇବା ପରେ ତୁରନ୍ତ ସମ୍ଭାବ୍ୟ ରାସ୍ତାର ସିସିଟିଭିକୁ ଅନୁଧ୍ୟାନ କରି କାରକୁ ଚିହ୍ନଟ କରିଥିଲା। ଆଉ ୩ ଜଣଙ୍କୁ ଗିରଫ କରିଛି। ଠକି ନେଇଥିବା ୩ଲକ୍ଷ ଟଙ୍କା ଓ ଘଟଣାରେ ବ୍ୟବହୃତ କାରକୁ ଜବତ କରିଛି ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now