ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ଜୀବନ ଗଲା। ଏହି ଅଗ୍ନିକାଣ୍ଡ ଲାଗି ଦାୟୀ କିଏ। କାହାର ଅବହେଳାରୁ ଏତେ ବଡ଼ ଅଘଟଣ ଘଟିଲା। ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଥିଲା କି ନାହିଁ। ଏହାର ତନାଘନା ଜାରି ଭିତରେ ନାଇଟ କ୍ଲବ ମାଲିକ ଚମ୍ପଟ ମାରିଛନ୍ତି। ଇଣ୍ଡିଗୋ ଫ୍ଲାଇଟରେ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ରବିବାର ସକାଳ ସାଢ଼େ ୫ଟାରେ ଦେଶ ଛାଡ଼ି ଫୁକେତକୁ ଚାଲିଯାଇଛନ୍ତି। ବର୍ଚ୍ଚ ବାୟ ରୋମିଓ ଲେନ ନାଇଟକ୍ଲବରେ ଡିସେମ୍ୱର ୬ ରାତିର ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ୨୦ ଷ୍ଟାଫ ମେମ୍ୱର ଓ ୫ ପର୍ଯ୍ୟଟକ। ବାକି ଆହତ ୫ ଜଣଙ୍କ ଚିକିତ୍ସା ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ନାଇଟ କ୍ଲବର ମାଲିକ ସୌରଭ ଓ ଗୌରବ ଲୁଥ୍ରା। କିନ୍ତୁ ନିଆଁ ଲାଗିବାର କିଛି ଘଣ୍ଟା ପରେ ହିଁ ଡିସେମ୍ୱର ୭ରେ ସେମାନେ ଫୁକେତ୍ ଛୁ ମାରିଛନ୍ତି। ଗୋଆ ପୁଲିସର ଅପିଲ କ୍ରମେ ଲୁଥ୍ରା ଭାଇଙ୍କ ବିରୁଦ୍ଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଛି। ଯେବେ ଅଧିକାରୀ ମୁମ୍ୱାଇର କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ସହ ସମ୍ପର୍କ କରିଥିଲେ। ଜଣାପଡ଼ିଛି ଯେ, ଦୁହେଁ ଇଣ୍ଡିଗୋର 6E1073 ଫ୍ଲାଇଟରେ ଫୁକେଟ୍ ପଳାଇଛନ୍ତି। ଶନିବାର ବିଳମ୍ୱିତ ରାତିରେ ନିଆଁ ଲାଗିଲା। ଆଉ ରବିବାର ଭୋରରୁ ଏମାନେ ଫେରାର୍ ହୋଇଗଲେ। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କହିଥିଲେ, ବାଣ ଫୁଟାରୁ ନିଆଁ ଲାଗିଯାଇଥିଲା। ଗୋଆ ନାଇଟ୍ କ୍ଲବକୁ ୨୦୨୩ରେ ଅନୁମତି ଦେବା ପଛରେ ଅବହେଳାର ଆରୋପରୁ୩ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ତଦନ୍ତର ରିପୋର୍ଟ ସପ୍ତାହକ ଭିତରେ ଆସିବ। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।ନିଆଁ ଲାଗିବା ବେଳେ କ୍ଲବରେ ଓ୍ୱିକେଣ୍ଡ ପାର୍ଟି ଚାଲୁଥିଲା। ଫ୍ଲୋରରେ ପ୍ରାୟ ଶହେ ଲୋକ ନାଚୁଥିଲେ। ଧୂଆଁ ଓ ନିଆଁ ଦେଖି ଲୋକେ ଘାବରେଇ ଦୌଡ଼ିଥିଲେ। କିନ୍ତୁ ଭୁଲରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରେ ପଶିଯାଇଥିଲେ। ସେଠାରେ ପୂର୍ବରୁ ଥିବା ଷ୍ଟାଫ୍ ଫସିରହିଥିଲେ। ମାତ୍ର କେଇଟା ମୂହୂର୍ତ୍ତରେ ପୁରା କ୍ଲବକୁ ଗିଳିଦେଇଥିଲା ନିଆଁର ଆଁ।ନାଇଟ୍ କ୍ଲବ କର୍ମଚାରୀ ଭରତ କୋହଲିଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପୁଲିସ ନେଇଛି। ଏହାରି ଭିତରେ ସମସ୍ତ ୨୫ ମୃତକଙ୍କ ପୋଷ୍ଟମର୍ଟମ ସରି ଶବକୁ ସେମାନଙ୍କ ପରିବାର ପରିଜନକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ କ୍ଲବର ଜେନେରାଲ ମ୍ୟାନେଜରଙ୍କ ସମେତ ୪ଜଣ ଷ୍ଟାଫ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଲୁଥ୍ରା ବ୍ରଦର୍ସଙ୍କ ଦିଲ୍ଲୀସ୍ଥିତ ଘରେ ସର୍କୁଲାର ନୋଟିସ ମାରିଛି ପୁଲିସ। ଏହାକୁ ଗଣ୍ଠି କରିଛନ୍ତି ବିରୋଧୀ। ୨୫ ଜୀବନ ଚାଲିଗଲା। ଆଉ ଗୁରୁତର ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ଗୋଆ ଓ ଦିଲ୍ଲୀରେ ଚାଲିଥିବା ଡବଲଇଞ୍ଜିନ ସରକାର କରୁଛନ୍ତି କଅଣ। ଘୋଷିତ ଅପରାଧୀ ବିଦେଶକୁ କେମିତି ଚାଲିଗଲେ। ମାଲ୍ୟା, ନୀରବ ମୋଦିଙ୍କ ଭଳି ଅନେକ ପଳାତକ ଆରାମରେ ବିଦେଶକୁ ଚାଲିଯାଇଛନ୍ତି। ଇଣ୍ଡିଗୋ ସଂକଟରେ ଯାତ୍ରୀ ଦୟନୀୟ ହେଉଥିଲା ବେଳେ ଲୁଥ୍ରା ବ୍ରଦର୍ସ କେମିତି ମ୍ୟାନେଜ୍ କରି ଚାଲିଗଲେ। ଏତେ ବଡ଼ ଅଘଟଣ ଲାଗି ଯିଏ ମୁଖ୍ୟ ଉତ୍ତରଦାୟୀ। ସେ କେମିତି ବିଦେଶକୁ ଖସିଗଲେ। ଲୁକଆଉଟ ସର୍କୁଲାର ନୋଟିସ ନେଇ ସରକାର କେତେ ସିରିୟସ ଓ ଅପରାଧୀ କେତେ ଭୟଭୀତ, ତାକୁ ନେଇ ଛିଗୁଲାଇଛନ୍ତି ବିରୋଧୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now