ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାର୍ଶ୍ଵ ଡାଇକ୍ ର ୧୩ଟି ଓ ଡାହାଣ ପାର୍ଶ୍ଵ ଡାଇକ୍ ର ୭ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୦ ହଜାର ୪୩୮ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍, ଅନ୍ୟାନ୍ୟ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୦ ହଜାର ୬୧୪ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତନ ସୋମବାର ଅପରାହ୍ନ ୩ଟା ସୁଦ୍ଧା ୬୨୦.୨୫ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି।
ଗତ ୨୪ ଘଣ୍ଟାରେ ଜଳ ଭଣ୍ଡାରର ଉପର ମୁଣ୍ଡରେ ୩.୮୩ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୧.୫୪ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବା ଆରମ୍ଭ ହୋଇଛି । ଗତ ୫ ତାରିଖ ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ୍ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ପରବର୍ତି ସମୟରେ ସ୍ଥିତିକୁ ଦୃଷ୍ଟିରେ ରଖି ସେହିଦିନ ମଧ୍ୟାହ୍ନରେ ୫ଟି ସ୍ଲୁଇସ୍ ଗେଟ୍ ଏବଂ ପରେ ଅପରାହ୍ନରେ ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now