ମେସିଙ୍କୁ ନେଇ ମହାଭାରତ: ଷ୍ଟାଡିୟମରେ ବିଭ୍ରାଟ- ଆୟୋଜକ ଆରେଷ୍ଟ

ମେସିଙ୍କ ଝଲକ ପାଇବାକୁ ୫ହଜାରରୁ ୪୫ହଜାର ଟଙ୍କିଆ ଟିକଟ। ଟିକଟ କାଟି ଆସିଥିଲେ ୫୦ହଜାର ଦର୍ଶକ। ହେଲେ ମେସିଙ୍କୁ ଘେରିରହିଥିଲେ ୫ଶହ ଲୋକ। ଆଉ ମାତ୍ର ୧୦ ମିନିଟରେ ଫେରିଯାଇଥିଲେ ମେସି। ଦର୍ଶକ ନା ଦେଖିପାରିଲେ ନା ସେମାନଙ୍କ ଆଶା ପୂରଣ ହେଲା। ଟଙ୍କା ପାଣିରେ ପଡିଲା। ମନକୁ ବି ଭାରି କଷ୍ଟ ହେଲା। ସେଥିଲାଗି ଆୟୋଜକଙ୍କ ଉପରେ ସବୁତକ ରୋଷ ଝାଡ଼ିଦେଇଥିଲେ। ମେସିଙ୍କ ସହ ଶାହାରୁଖ ଆସିବେ ବୋଲି ଦର୍ଶକଙ୍କୁ କହି ଟିକଟ ବିକ୍ରି କରାଯାଇଥିଲା। ମେସି ମୈଦାନରେ ନା ବଲ୍ କିକ୍ କଲେ ନା ପେନାଲ୍ଟି କଲେ। ଶାହାରୁଖ ବି ଆସିଲେନି। ଆଉ ଏହାକୁ ନେଇ ତାତିଥିଲେ ଲୋକେ। ହୋର୍ଡିଂ ଭାଙ୍ଗିବା ସହ ଚେୟାର ଫିଙ୍ଗାଫୋପଡ଼ା କରି ଭାଙ୍ଗିଥିଲେ। ପୁରା ଷ୍ଟାଡିୟମ ସାଜିଥିଲା ରଣକ୍ଷେତ୍ର। ପରସ୍ଥିତି ସମ୍ଭାଳିବାକୁ ପୁଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ସଲଟ ଲେକ ଷ୍ଟାଡିୟମରେ ବଡ଼ ବିଭ୍ରାଟ ହେଲା। ଏହି ବଡ଼ ଦୁର୍ନୀତିର ତଦନ୍ତ ହେଉ। ଆୟୋଜକଙ୍କ ଟିକଟ ସ୍କାମ ବିରୁଦ୍ଧରେ ଆକ୍ସନ ହେଉ ବୋଲି ଦାବି କରିଛନ୍ତି ଦର୍ଶକ।ମେସିଙ୍କୁ ନେଇ ସୃଷ୍ଟି ହୋଇଥିଲା ଏଭଳି ମହାଭାରତ। ସେପଟେ ମେସି ଓ ତାଙ୍କ ସମର୍ଥକଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଭଳି ବିଭ୍ରାଟର ତଦନ୍ତ ଲାଗି ବିଚାର ବିଭାଗୀୟ କମିଟି ଗଠନ କରିଛନ୍ତି ସରକାର। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅସୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏହି କମିଟି ତଦନ୍ତ କରି ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବ। ଡିଜି ରାଜୀବ କୁମାର କହିଛନ୍ତି, ଏ ବିଭ୍ରାଟରେ ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି। ଆୟୋଜକ କମିଟିର ପରିଚାଳନାଗତ ତୃଟିରୁ ଏଭଳି ଉପୁଜିଲା। ଫ୍ୟାନଙ୍କୁ ଟିକଟ ପଇସା ଫେରସ୍ତ କରିବ ଆୟୋଜକ କମିଟି। ମୁଖ୍ୟ ଆୟୋଜକଙ୍କୁ ପୁଲିସ ଅଟକ ରଖିବା ପରେ ଗିରଫ କରାଯାଇଛି। ଏହି ବିଭ୍ରାଟକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ଟିଏମସି ପୁରା ପ୍ରୋଗ୍ରାମକୁ ହାଇଜାକ୍ କରିନେଲା। ଟିଏମସିର ପ୍ରାୟ ମନ୍ତ୍ରୀ ସଂପୃକ୍ତ। ଟିକଟ କଳାବଜାରୀ ହୋଇଛି। ମେସିଙ୍କ କାର୍ଯ୍ୟକ୍ରମରେ ଏଭଳି ବିଶୃଙ୍ଖଳା କେଉଁଠି ହୋଇନଥିଲେ ସୁଦ୍ଧା ପଶ୍ଚିମବଙ୍ଗରେ କାହିଁକି ହେଲା କହି ବିଷୋଦଗାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର। ଟିଏମସି କହିଛି, ଏ ଘଟଣା ଦୁର୍ଭାଗ୍ୟଜନକ। ମେସିଙ୍କୁ କିଛି ଲୋକ ଏମିତି ଘେରିଥିଲେ ଯେ, ଯାହା ଲାଗି ଗ୍ୟାଲେରିରୁ ଦର୍ଶକ ମେସିଙ୍କୁ ଦେଖିନପାରି ବଞ୍ଚିତ ହୋଇଗଲେ। କିଛି ଲୋକ ଲଜ୍ଜାଜନକ ଓ ଅପସଂସ୍କୃତି ଭଳି ବ୍ୟବହାର କଲେ। ଫୁଟବଲ ଫ୍ୟାନ୍ସଙ୍କ ଭାବାବେଗକୁ ସମ୍ମାନ କରୁଛୁ। କୁନାଲ ଘୋଷ କହିଛନ୍ତି, କିଛି ଦଳ ଏ ଘଟଣାରେ କୋଲକାତାକୁ ବଦନାମ କରାଯାଉଛି କହି ରାଜନୀତିର ଶାଗୁଣା ସାଜିଲେଣି। ମେସିଙ୍କୁ ନେଇ କେବଳ ବିଜନେସ କରାଯିବା ଉଚିତ କି। ଏହା ପ୍ରାଇଭେଟ୍ ସଂଗଠନର ଆୟୋଜନ। ସରକାରଙ୍କୁ କେତେ ସହଯୋଗ ମାଗିଥିଲା ଆୟୋଜକ ସଂସ୍ଥା, ତାହାର ତଦନ୍ତ ହେଉ। ଏଭଳି ବିଭ୍ରାଟ ପାଇଁ ସମସ୍ତେ ଭୋଗିଲେ। ମେସିଙ୍କ ଭଳି ଆନ୍ତର୍ଜାତୀୟ ଖେଳାଳୀଙ୍କ ଝଲକ ପାଇବାକୁ ତୁମୁଳକାଣ୍ଡ ଘଟିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *