ରଘୁରାଜପୁର, ଧଉଳି ଶାନ୍ତିସ୍ତୁପ, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଆଜି କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ ଶିଳ୍ପ ଆଦି କଳାକୃତିର ପ୍ରତ୍ୟକ୍ଷ ଅନୁଭୂତି ନେବା ସହିତ କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଆସ ଗୋପାଳନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରଘୁରାଜପୁରର ଶିଳ୍ପୀମାନେ ଶହଶହ ବର୍ଷର ଭାରତୀୟ ସଂସ୍କୃତି,ପରମ୍ପରା ଓ ଲୋକ କଥାକୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ମାଧ୍ୟମରେ ଉଜ୍ଜୀବିତ କରି ରଖିଛନ୍ତି ଯାହାର ଯେତେ ପ୍ରଶଂସା କଲେ କମ ହେବ ବୋଲି ନିର୍ବାଚନ କମିଶନର ଶ୍ରୀ କୁମାର ପ୍ରକାଶ କରିଛନ୍ତି । ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ରଘୁରାଜପୁରରେ ମୁଖ୍ୟ ନିର୍ବାଚନ କମିଶନର କୁନି କୁନି ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଗୋଟିପୁଅ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ।

ରଘୁରାଜପୁରରେ ପୁରୀ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ କୁମାର ସିଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

ଭୁବନେଶ୍ୱର ଫେରିବା ବାଟରେ ସେ ଧଉଳି ଶାନ୍ତିସ୍ତୁପ ଓ ପାଖରେ ଥିବା ଶିଳାଲେଖ ପରିଦର୍ଶନ କରି ବୌଦ୍ଧ ସଂସ୍କୃତି ଓ ଏହାର ଇତିହାସ ସମ୍ବନ୍ଧରେ ବୌଦ୍ଧ ସନ୍ୟାସୀଙ୍କ ଠାରୁ ଅବଗତ ହୋଇଥିଲେ । ଶାନ୍ତିସ୍ତୁପ ଉପରୁ ଭୁବନେଶ୍ୱର ସହର ଓ ଦୟା ନଦୀର ସୌନ୍ଦର୍ଯ୍ୟ ଅତୀବ ଚମତ୍କାର । ଭାରତ ଶାନ୍ତି ଓ ମୈତ୍ରୀ ପାଇଁ ସାରା ବିଶ୍ୱରେ ପରିଚିତ। ଧଉଳି ଶାନ୍ତିସ୍ତୁପରୁ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ଅଧିକରୁ ଅଧିକ ସମ୍ପ୍ରସାରିତ ହେଉ ବୋଲି ସେ କାମନା କରିଥିଲେ ।

ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନର ଉଦୟଗିରି ପାହାଡ଼ ଓ ତା ମଧ୍ୟରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ । ୨୦୦୦ ହଜାର ବର୍ଷ ପୂର୍ବରୁ ଏଭଳି ସୁନ୍ଦର ଓ ନିଖୁଣ ଗୁମ୍ଫା ଓ କାରୁକାର୍ଯ୍ୟ ଆମ ପୂର୍ବପୁରୁଷମାନେ ନିର୍ମାଣ କରିପାରିଥିଲେ ତାହା ଆଶ୍ଚର୍ଯ୍ୟାନ୍ବିତ ଓ ଗୌରବାନ୍ୱିତ କରୁଛି । ତା’ଠାରୁ ଅଧିକ ଆନନ୍ଦ ଦେଉଛି ଆମର ହଜାର ହଜାର ବର୍ଷର ସମୃଦ୍ଧ ସଂସ୍କାର ଓ ସଂସ୍କୃତି ଉଦୟଗିରି ପାହାଡ଼ରେ ଆଜି ମଧ୍ୟ ଜୀବନ୍ତ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରେ ସେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଭାସ୍କର୍ଯ୍ୟ ଦ୍ୱାରା ପ୍ରଭାବିତ ହେବା ସହ ସପରିବାର ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ ।

ସୂଚନା ଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାରଙ୍କ ପିତା ଏକ ବଡ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବାରୁ ସେ ତୃତୀୟ ଦିନର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଜରୁରୀକାଳୀନ ଭିତ୍ତିରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜରୁରୀକାଳୀନ ଭିତ୍ତିରେ ପ୍ରତ୍ୟାବର୍ତ୍ତନ କରୁଥିବା ହେତୁ ଦୁଃଖପ୍ରକାଶ କରିବା ସହିତ ଓଡ଼ିଶାର କଳା, ସ୍ଥାପତ୍ୟ, ଆତିଥ୍ୟ, ପ୍ରାକୃତିକ ବିଭବ ତାଙ୍କୁ ବହୁତ ପ୍ରଭାବିତ କରିଛି ତେଣୁ ସେ ପୁଣିଥରେ ଓଡିଶା ନିଶ୍ଚିତଭାବରେ ଆସିବେ ବୋଲି କହିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନଙ୍କ ସହିତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଗୋପୀନାଥ କଅଁର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଶ୍ରୀମତୀ ଅନାମିକା ସିଂ, ସ୍ଥାନୀୟ ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନର ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *