ରାଗିଂ ଓ ଯୌନଶୋଷଣ ମାମଲା- ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରଫେସରଙ୍କ ସମେତ ୩ ଛାତ୍ରୀଙ୍କ ନାଁରେ ଏତଲା

ହିମାଚଳପ୍ରଦେଶର ଧର୍ମଶାଳା କଲେଜରେ ଛାତ୍ରୀଙ୍କୁ ରାଗିଂ ମାମଲା। ଜୀବନ ସହ ସଂଘର୍ଷ କରିବା ପରେ ପୀଡ଼ିତା ପଲ୍ଲବୀ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଭିଡ଼ିଓ କରିଥିଲେ ପୀଡ଼ିତା। ରାଗିଂ ସହ ଯୌନ ଉତ୍ପୀଡ଼ନର ଆରୋପ ଲଦିଥିଲେ ଛାତ୍ରୀ ଜଣକ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଫେସର ସମେତ ୪ଜଣଙ୍କ ନାଁରେ ଏତଲା ହୋଇଛି। ଧର୍ମଶାଳାସ୍ଥିତ ସରକାରୀ କଲେଜର ୧୯ ବର୍ଷୀୟା ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଲାଣି। ମୃତକଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଡିଗ୍ରୀ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସେପ୍ଟେମ୍ୱର ୧୮ରେ କଲେଜର ୩ ଛାତ୍ରୀ ହର୍ଷିତା, ଆକୃତି ଓ କୋମୋଲିକା ତାଙ୍କ ଝିଅ ସହ ମାଡ଼ପିଟ୍ କରିଥିଲେ। ଜାତି ନାଁରେ ପ୍ରତାରିତ କରିଥିଲେ। କାହାକୁ କହିଲେ, ଏହାର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। କଲେଜ ପ୍ରଫେସର ଅଶୋକ କୁମାରଙ୍କ ଉପରେ ବି ଗୁରୁତର ଆରୋପ ଲଦିଥିଲେ। ପ୍ରଫେସର ତାଙ୍କ ଝିଅ ପ୍ରତି ଅଶୋଭନୀୟ ଆଚରଣ, ଅନୁଚିତ ସ୍ପର୍ଶ କରିବା ସହ ମାନସିକ ନିର୍ଯାତନା ଦେବା ପରେ ଝିଅ ମାନସିକ ଅବସାଦକୁ ଚାଲିଯାଇଥିଲେ। ଏଥିରେ ଝିଅ ଭୟଭୀତ ରହିବା ସହ ତାଙ୍କର ଦେହ ବିଗିଡ଼ିବାକୁ ଲାଗିଥିଲା। ଡିସେମ୍ୱର ୨୬ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଝିଅର ସଂକଟାପନ୍ନ ଅବସ୍ଥା ଓ ପୁରା ପରିବାର ଅବସାଦକୁ ଚାଲିଯିବାରୁ ପୂର୍ବରୁ ଅଭିଯୋଗ ଦାଖଲ କରିପାରିନଥିଲେ ବାପା। ଏସପି କାଙ୍ଗଡା ଅଶୋକ ରତନ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତ, ମେଡିକାଲ ରେକର୍ଡ, ଭିଡ଼ିଓ ବୟାନ ଓ ଅନ୍ୟ ସାକ୍ଷୀଙ୍କ ଗହନ ଯାଞ୍ଚ ଜାରି ରହିଛି। ତଥ୍ୟ ଆଧାରରେ ଆଇନ ଅନୁସାରେ ଆକ୍ସନ ହେବ। ପ୍ରଫେସର ଅଶୋକ କୁମାର ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛାତ୍ରୀ ଜଣକ ତାଙ୍କ ପାଖରେ ପଢ଼ୁଥିଲେ। ଚଳିତ ସେସନରେ ସେ ଅନ୍ୟ ପ୍ରଫେସରଙ୍କ ଅଧୀନରେ ପଢ଼ୁଥିଲେ। ଏହି ମାମଲାକୁ ନେଇ ଛାତ୍ର ସଂଗଠନ ଓ ସାମାଜିକ ସଂଗଠନ ଭିତରେ ଆକ୍ରୋଶ ବଢ଼ୁଥିଲା। ନିରପେକ୍ଷ ତଦନ୍ତ, ସମୟୋଚିତ ଯାଞ୍ଚ, ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ଓ ତଥା କଲେଜ ପ୍ରଶାସନର ଭୂମିକାକୁ ତଦନ୍ତ ପରିସରଭୁକ୍ତ ଲାଗି ଦାବି ତେଜିଛି। ଏହି ମାମଲାକୁ ନେଇ ସିମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ରବି କୁମାର ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ। ଏହାର ନ୍ୟାୟିକ ତଦନ୍ତ ଲାଗି ଦାବି କରିଥିଲେ। ମୃତ୍ୟୁ ପୂର୍ବରୁ ପୀଡ଼ିତା ଦେଇଥିବା ଭିଡ଼ିଓ ବୟାନରେ କହିଥିଲେ, ବୋତଲରେ ତାଙ୍କୁ ମାଡ଼ ମାରିଥିଲେ। ପଲ୍ଲବୀ କାନ୍ଦୁଥିଲେ। ହେଲେ ରାଗିଂ କରିବା ଛାଡ଼ିଲେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *