ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛନ୍ତି ମୋହନ ସରକାର। ସବୁଠି ଓଡ଼ିଆ ଅସ୍ମିତାର ଝଲକ। ହେଲେ ବାସ୍ତବରେ କେତେ ଜଣ ଓଡ଼ିଆ ଅସ୍ମିତାର ବାସ୍ତବ ଅର୍ଥ ବୁଝିଛନ୍ତି। ଓଡ଼ିଆର ମହତ୍ତ୍ୱକୁ ନିଜ କଥା ଓ କାମରେ ପ୍ରତିଫଳିତ କରିଛନ୍ତି। ଏମିତିରେ ମୋହନ ସରକାର ଶାସନ ପ୍ରଶାସନରେ ଓଡ଼ିଆ ଲେଖାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ବିଶେଷ କରି ଅନେକ ଅଫିସରଙ୍କ ଇଂରାଜୀ ଲେଖାର ଶୈଳୀକୁ ସାଧାରଣ ଲୋକଟିଏ ବୁଝିପାରିନଥାଏ। ସେଥିଲାଗି ସେ ଯେଉଁ ସମସ୍ୟାର ସମାଧାନ ଲାଗି ଅଫିସରଙ୍କଠୁ ଆଶା ରଖିଥାଏ। ବୁଝିବା ହେଉ ଅବା ସମନ୍ୱୟ ଅଭାବରୁ ଏହା ସହଜ ହୋଇନଥାଏ। ଆଉ ଏପ୍ରିଲ ପହିଲା ପୂର୍ବରୁ ଓଡ଼ିଆ ଅସ୍ମିତାର ସ୍ୱର ଏତେ ଶାଣିତ ହୋଇଥାଏ ଯେ, ତାହା କହିବା ଆବଶ୍ୟକ ନଥାଏ। ହେଲେ ଜଣେ ଓଡ଼ିଆ ତଥା ଦକ୍ଷ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସଦ୍ୟ ରାଜସ୍ୱ ବିଭାଗକୁ ବଦଳି ଓ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ କାର୍ଯ୍ୟଭାର ତ୍ୟାଗର ଚିଠିକୁ ନେଇ ସବୁଠି ଚର୍ଚ୍ଚା। ଓଡ଼ିଆ ଲେଖା, କଥା କେତେ ପ୍ରାଞ୍ଜଳ ଓ ସୁନ୍ଦର ହୋଇପାରେ। ବରିଷ୍ଠ ଆଇଏଏସ ଅରବିନ୍ଦ ସବୁବେଳେ ଏହାକୁ ନିଜ କ୍ୟାରିଅରରେ ପ୍ରାଥମିକତା ଦେଇ ଆସୁଛନ୍ତି। କାରଣ ସେ ଯେତେବେଳେ ସମ୍ୱାଦରେ ସ୍ତମ୍ଭ ଲେଖୁଥିଲେ, ସେତେବେଳେ କିଛି ଏମିତି ଓଡ଼ିଆର କଠିନ ଶବ୍ଦ ଲେଖୁଥିଲେ, ତାହାର ଅର୍ଥ ବା ପ୍ରତିଶବ୍ଦ ଖୋଜିବାକୁ ପାଠକଙ୍କୁ ଅଡ଼ୁଆ ହେଉଥିଲା। ଏପରିକି ତାଙ୍କ ବାପା ମଧ୍ୟ ପୁଅକୁ ଲେଖିବାର ଶବ୍ଦ ଯେତେ ସରଳ କରିପାରିବୁ, ପାଠକ ସେତିକି ଏହାକୁ ସହଜରେ ଓ ସୁବିଧାରେ ଗ୍ରହଣ କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ଲେଖକର ଲେଖା ଯଦି ଅତି ସାହିତ୍ୟିକ ଢାଞ୍ଚାରେ ଓ ଜଟିଳ ଶବ୍ଦ ପ୍ରୟୋଗ ହୋଇଥାଏ, ଏହା ସାଧାରଣତଃ ପାଠକର ବୋଧଗମ୍ୟ ହୋଇନଥାଏ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଅରବିନ୍ଦ। ଗଲା ୫ ତାରିଖରେ ବଦଳି ଅର୍ଡର ବାହାରିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଯେଉଁ ସରଳ ଶୈଳୀରେ ଓଡ଼ିଆରେ ଅତି କମ୍ ଧାଡ଼ି ଓ ଶବ୍ଦରେ ନିଜର କାର୍ଯ୍ୟଭାର ବାବଦରେ ଲେଖିଛନ୍ତି, ତାକୁ ଯିଏ ଦେଖୁଛି, ଖୁସି ଅନୁଭବ କରୁଛି। ସେ ପ୍ରଫେସନାଲ ଲେଖକ ନୁହଁନ୍ତି। ହେଲେ କୌଣସି ପ୍ରଫେସନାଲ ଲେଖକଙ୍କଠୁ କୌଣସି ଗୁଣରେ କମ୍ ବି ନୁହଁନ୍ତି। ଓଡ଼ିଆରେ ଦସ୍ତଖତ ଓ ଲେଖା ସୂଚାଉଛି, ସତରେ ଯିଏ ଯେଉଁ ପଦରେ ଥାଉ ନା କାହିଁକି। ପ୍ରକୃତ ଓଡ଼ିଆଟେ ନିଜର ଅସ୍ମିତାର ସ୍ୱରକୁ ପରିସ୍ଫୁଟିତ କରିବାରେ କଦାପି ଅବହେଳା କରେନା। ଇଂରାଜୀର ପ୍ରଭାବରେ ଓଡ଼ିଆ କେବେ ବି ନିଷ୍ପ୍ରଭ ହେବନି। କାରଣ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଓଡ଼ିଶାର ଗାରିମା ସଦା ଅକ୍ଷୁର୍ଣ୍ଣ ରହିଆସିଛି ଓ ରହିଥିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now