ଠିକା ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା

ମାଲକାନଗିରି: ଉନ୍ନତମାନର ସେବା ଚୁଲିକୁ ଯାଉ। ହେଲେ ଠିକାଦାରୀ ପ୍ରୀତି ଅତୁଟ ରହୁ। ଏବେ କିଛି ଏମିତି ବାଗରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ଦାୟିତ୍ୱହୀନ ଠିକା ସଂସ୍ଥାକୁ କାହା ସ୍ୱାର୍ଥରେ ବାରମ୍ୱାର ନବୀକରଣ କରୁଛନ୍ତି ସିଡିଏମଓ, ତାକୁ ନେଇ ଉଠିଛି ପ୍ରଶ୍ନ। ବୁଦ୍ଧିଜୀବିଙ୍କଠୁ ନେଇ ସ୍ୱେଛାସେବୀ। ସମସ୍ତଙ୍କ ମୁହଁରେ ଏଭଳି ଆପତ୍ତିକୁ ନେଇ କିନ୍ତୁ ସିଡିଏମଓ କୌଣସି ପ୍ରତିକ୍ରିୟା ରଖିବାକୁ ଉଚିତ ମଣିନାହାନ୍ତି।

ଡାକ୍ତର ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମାଲକାନଗିରି ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ଯେମିତି ପ୍ରଶଂସା ସାଉଁଟୁଛି। ଠିକ୍ ସେମିତି କିଛି ଘରୋଇ ଠିକା ସଂସ୍ଥା ସିଡିଏମଓଙ୍କ ଉପରେ ଏମିତି କି ଜାଦୁ କରିଛି, ତାକୁ ନେଇ ସେତିକି ଆଲୋଚନା ହେଉଛି। ଆଉ ଏହା ନିରାଧାର ବି ନୁହେଁ। ଏ ଚିଠି ହିଁ ଏ କଥାକୁ ବୟାନ କରୁଛି।

ହସ୍ପିଟାଲର ରୋଗୀଙ୍କୁ ଖାଦ୍ୟ, ଅନ୍ୟାନ୍ୟ ସାମଗ୍ରୀ, ସଫେଇ ଓ ସୁରକ୍ଷାକର୍ମୀ ଯୋଗାଣ  ଏବଂ  ଲଣ୍ଡ୍ରିଂ କାମ ପାଇଁ ନିୟୋଜିତ ଠିକା ସଂସ୍ଥା ବାରମ୍ୱାର ଦାୟିତ୍ୱରେ ଅବହେଳା କରିଆସୁଛି। ଏହାକୁ ନେଇ ଡାକ୍ତରଖାନାର ଅଧୀକ୍ଷକ ବାରମ୍ୱାର ସଂପୃକ୍ତ ଦୁଇ ଠିକା ସଂସ୍ଥା ସାଇନ୍ ଲଣ୍ଡ୍ରି ଓ ସୁମିତ ସିକ୍ୟୁରିଟି ସର୍ଭିସକୁ ଚିଠି ଲେଖିଲେଣି। ଆଉ ଏହି ଦୁଇ ସଂସ୍ଥାର ଅବହେଳା ବାବଦରେ ସିଡିଏମଙ୍କ ଦୃଷ୍ଟି ବି ଆକର୍ଷଣ କରାଯାଇଛି। କେଉଁଠି ଦୁଇ ଦିନ ହେଲା ଇନଡୋର ରୋଗୀଙ୍କୁ ଫଳ ଖାଇବାକୁ ଦିଆଯାଇନି ତ କେଉଁଠି ତିନି ମାସ ଡାଏଟ୍‌ ବିଲ୍ ଦେଇନି ସୁମିତ୍ ସିକ୍ୟୁରିଟି ସର୍ଭିସ୍। କଲର କୋଡ଼ିଂ ପ୍ରୋଟକଲକୁ ଉଲ୍ଲଂଘନ କରି ବେଡସିଟ୍ ଯୋଗାଣ କରିନଥିଲା ସାଇନ୍ ଲଣ୍ଡ୍ରି।

ଏ ସବୁ ବାବଦରେ ଟିକିନିଖି ବିବରଣୀ ଦେଇ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଧୀକ୍ଷକ। ହେଲେ କୌଣସି ଆକ୍ସନ ତ ନାହିଁ। ପାଲଟା ଏଭଳି ସଂସ୍ଥାକୁ ପୁଣି ନବୀକରଣ କାହିଁକି ବୋଲି ସନ୍ଦେହ କରୁଛି ବିଭିନ୍ନ ମହଲ। ତଥାପି ସିଡିଏମଓ ଏହି ବେପରୁଆ ଠିକା ସଂସ୍ଥା କୁ କଳା ତାଲିକାଭୁକ୍ତ କରି ନୂଆ ଟେଣ୍ଡରକୁ କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ସିଡିଏମଓ ଏ ନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

ମାଲକାନଗିରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେଲାଣି। ହେଲେ କିଛି ଦାୟିତ୍ୱହୀନ ଠିକା ସଂସ୍ଥାକୁ ଯଦି କର୍ତ୍ତୃପକ୍ଷ ଜାଣିଶୁଣି ଅଗ୍ରାଧିକାର ଦେବେ, ତେବେ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣରେ ସନ୍ଦେହ ଉଠିବା ସ୍ୱାଭାବିକ କଥା।

ସନ୍ତୋଷ ନାଗଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *