ରାଜମିସ୍ତ୍ରୀରୁ ମୋତି ଚାଷୀ

ଢେଙ୍କାନାଳ: ଢେଙ୍କାନାଳ ପରଜଙ୍ଗ ବ୍ଲକ ବାଲିପଶି ଗାଁର ବାସୁଦେବ ପରିଡା ୟୁଟ୍ୟୁବରୁ ପ୍ରେରଣା ପାଇ ହୋଇପାରିଛନ୍ତି ଜଣେ ସଫଳ ମୁକ୍ତା ଚାଷୀ। ଏଥିରେ ସେ ବେଶ ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଏଭଳି ଚାଷ କରି ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ପାଲଟି ଥିବାବେଳେ, ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ମୋତି ଚାଷ କରି ଅଧିକ ରୋଜଗାର ସୃଷ୍ଟି କରିପାରିବେ ବୋଲି ଆଶା ରଖିଛନ୍ତି।

ୟୁଟ୍ୟୁବରୁ ପ୍ରେରଣା ପାଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ବାସୁଦେବ ପରିଡା ଜଣେ ସଫଳ ମୋତି ଚାଷୀ ହୋଇପାରିଛନ୍ତି । ବାସୁଦେବ ପେସାରେ ଜଣେ ରାଜମିସ୍ତ୍ରୀ, କିନ୍ତୁ ୟୁଟ୍ୟୁବରୁ ମୁକ୍ତା ଚାଷ ବିଷୟରେ ପ୍ରେରଣା ପାଇ ସେ ଏବେ ହୋଇଛନ୍ତି ଜିଲ୍ଲାର ପ୍ରଥମ ମୁକ୍ତା ଚାଷୀ । ନିଜ ଜାଗାରେ ଗୋଟିଏ ପୋଖରୀ ଖୋଳି ସେଥିରେ ମୁକ୍ତା ଚାଷ କରୁଛନ୍ତି। ପ୍ରତ୍ୟେକ ଦୁଇ ତିନି ଦିନରେ ସେ ସାମୁକା ଗୁଡିକ ନିୟମିତ ଭାବେ ଯାଞ୍ଚ କରନ୍ତି। ଏବଂ ମୃତ ସାମୁକା ଗୁଡିକ ବାହାର କରିଦିଅନ୍ତି। ନିଜେ ସାମୁକା ଗୁଡିକର ଯତ୍ନ ନିଅନ୍ତି। ନିୟମିତ ପୋଖରୀ ପାଣିକୁ ବିଷୋଧନ ମଧ୍ୟ କରିଥାନ୍ତି। ଏହି ଚାଷ ନିମନ୍ତେ ମୋଟ ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ବାସୁଦେବ ।

ମୁକ୍ତା ଚାଷ ବିଷୟରେ ବାଲେଶ୍ୱରରୁ ଟ୍ରେନିଂ ନେଇ ନିଜ ଜମିରେ ବାସୁଦେବ ପୋଖରୀ ଖୋଳି ମୁକ୍ତା ଚାଷ ଆରମ୍ଭ କରିଛନ୍ତି । ତେବେ ୧୨ ରୁ ୧୫ ମାସ ମଧ୍ୟରେ ମୁକ୍ତା ବାହାରିଲା ପରେ  ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ବାସୁଦେବ । ତେବେ ଜିଲ୍ଲାରେ ପ୍ରଥମ କରି ମୁକ୍ତା ଚାଷ ହୋଇଥିବା ଜାଣି ଆଖପାଖରୁ ବହୁ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି । ସେପଟେ ବାସୁଦେବଙ୍କ ଏ ମୁକ୍ତା ଚାଷ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଯଦି ସରକାର ମୁକ୍ତା ଚାଷ ପାଇଁ ସହାୟତା ଯୋଗାଇ ଦିଅନ୍ତେ ତେବେ ଗ୍ରାମାଞ୍ଚଳରେ ଥିବା ବେକାର ଯୁବକଯୁବତୀ ମୁକ୍ତା ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ ।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *