ବାଙ୍କି: ଧରାଧାମକୁ ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନକୁ ନେଇ ଏବେ ଉତ୍ସବ ମୁଖର ଗାଁ ଠୁ ସହର। ସେପଟେ କାଶତଣ୍ଡି ନିଜର ଧୋବ ଫରଫର ଫୁଲରେ ସ୍ୱାଗତ କରୁଛି ମାଙ୍କ ଆଗମନକୁ । ଆଜି ଠାରୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାରରେ ମାଙ୍କ ପହିଲି ପୂଜା । ତେଣୁ ଚଳଚଞ୍ଚଳ ହୋଇଉଠୁଛି ବାଙ୍କୀର ମା ଚର୍ଚ୍ଚିକାଙ୍କ ପୀଠ ।
ଆଜିଠୁ ୧୬ ଦିନ ଯାଏଁ ଚାଲିବ ମା ଚର୍ଚ୍ଚିକା ପୀଠରେ ଷୋଡଶ ଉପଚାରରେ ଶରତ କାଳୀନ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। । ଏହି ଶରତ କାଳୀନ ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ବିଭିନ୍ନ ବେଶରେ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକ ଧାରୀଙ୍କୁ ଦର୍ଶନ ଦେବେ ମା ଚର୍ଚ୍ଚିକା । ପୂର୍ବ ବିଧିପରମ୍ପରା ଅନୁଯାୟୀ ମନ୍ଦିର ରାଜଗୁରୁ ଭବାନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ବାଙ୍କୀ ରାଜା ଦୁର୍ଗା ମାଧବ ଶ୍ରୀ ଚନ୍ଦନ ମହାପାତ୍ରଙ୍କୁ ପ୍ରଥମେ କରାଯାଇଥିଲା ବରଣୀ । ପରେ ମାଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିଲା ସଂକଳ୍ପ କଳସୀ । ଏହା ପରେ ପରେ ସେବାୟତ ମାନଙ୍କ ଦ୍ୱାରା ମହାନଦୀର ଶହେ ଆଠ ଗରା ରେ ପବିତ୍ର ଜଳ ଅଣାଯାଇ ମା ଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଶାରଦୀୟ ଦୁର୍ଗା ପୂଜାକୁ ନେଇ ସେବାୟତ ମାନଙ୍କ ଦ୍ୱାରା ମାଙ୍କ ପହିଲି ପୂଜାର ପହିଲି ବେଶ ।
ସେପଟେ ମା ଙ୍କର ଏହି ପୀଠ ର ବିଶେଷତ୍ୱ ରହିଛି ମା ଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିବା ସଂକଳ୍ପ କଳସୀ ର ତଳେ ରହିଥିବା ଉଷୁନା ଧାନ ଗଜା ହୋଇଥାଏ । ଏହା ସହିତ ପ୍ରତ୍ୟକ ଦିନ ମା ଙ୍କ ସମ୍ମୁଖରେ ରାମାୟଣ ପଠନ ସହିତ ଚଣ୍ଡି ପାଠ କରାଯାଏ । ଯାହା ଅନ୍ୟ କେଉଁ ଶକ୍ତି ପୀଠରେ ଦେଖିବାକୁ ମିଳେ ନାହିଁ । ଅପର ପଟେ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଟକଣା ମୁକ୍ତ ଦୁର୍ଗା ପୂଜା ପାଳନ ରହିଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ ମା ଙ୍କ ର ଏହି ପୀଠ ରେ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ମନୋଜ କୁମାର ଦଳେଇଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now