ରୁଦ୍ରପ୍ରୟାଗରେ ବଡ଼ ଦୁର୍ଘଟଣା। ରିଷିକେଶ- ବଦ୍ରିନାଥ ଜାତୀୟ ରାଜପଥରେ ଏକ ଯାତ୍ରାବାହୀ ଟେମ୍ପୁ ଟ୍ରାଭେଲର ଅଳକାନନ୍ଦା ନଦୀରେ ଖସିଯିବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୧୩ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ବି ରହିଛି। ଆହତଙ୍କ ଭିତରୁ ଗୁରୁତର ଥିବା ୬ ଜଣଙ୍କୁ ଏୟାରଲିଫ୍ଟ କରି ଋଷିକେଶ ଏମ୍ସକୁ ନିଆଯାଇଥିଲା। ଟେମ୍ପୁରେ ପ୍ରାୟ ୨୬ ଲୋକ ଥିବା ଜଣାପଡ଼ିଥିଲା। ଏଭଳି ବଡ଼ ଦୁର୍ଘଟଣାର ଖବର ପାଇବାମାତ୍ରେ ରିଲିଫ୍ ଓ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଉଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ। ଗୃହ ମନ୍ତ୍ରୀ ଅମିତ ଶାହା ବି ଏଭଳି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ଶାହା। ୨୬ଯାତ୍ରୀଙ୍କୁ ନେଇ ରାତିରେ ବାହାରିଥିଲା ଟ୍ରାଭେଲର। ବଦ୍ରିନାଥ ହାଇଓ୍ୱେ ନିକଟସ୍ଥ ରୌତେଲି ପାଖରେ ନଦୀ ବାଡ଼ ଭାଙ୍ଗି ଅଳକାନନ୍ଦା ନଦୀରେ ଖସି ପଡ଼ିଥିଲା। ବୋଧହୁଏ ନିଦ ଲାଗି ଡ୍ରାଇଭରର ଆଖି ପତ୍ତା ଲାଖିଯିବାରୁ ଏଭଳି ବଡ଼ ଅଘଟଣ ଘଟିଗଲା ବୋଲି କୁହାଯାଉଛି। ଗାଡ଼ି ନଦୀକୁ ଖସିବା ମାତ୍ରେ ନିକଟରେ ରେଲଓ୍ୱେ ଲାଇନରେ କାମ କରୁଥିବା ୩ଜଣ ବି ଲୋକଙ୍କୁ ରକ୍ଷା କରିବାକୁ ନଦୀକୁ ଡେଇଁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏମାନଙ୍କ ଭିତରୁ ବି ଜଣଙ୍କର ମୃତ୍ୟୁ ହୋଇଗଲା। ଚାରିଧାମକୁ ଯିବା ପାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଅନୁମତି ନଥିଲା। ସେଥିଲାଗି ଗାଡ଼ିର ଟ୍ରିପ୍ କାର୍ଡ ନଥିଲା କି ଯାତ୍ରୀଙ୍କ ନାଁ ବି ପଞ୍ଜୀକୃତ ହୋଇନଥିଲା। ଚାରିଧାମ ଯାତ୍ରା ପାଇଁ ଗାଡ଼ିର ଟ୍ରିପ୍ କାର୍ଡ ଓ ଯାତ୍ରୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ। କିନ୍ତୁ ବ୍ରହମପୁରୀରେ ଗାଡ଼ିକୁ ଯାଞ୍ଚ ଲାଗି ଅଟକାଇଯାଇଥିଲା। କିନ୍ତୁ ଚାରିଧାମ ଯାଉନାହାନ୍ତି କହି ଚୋପତା ତୁଙ୍ଗନାଥ ଟ୍ରିପରେ ଯାଉଥିବା ଦର୍ଶାଇଥିଲେ ଗାଡ଼ି ଚାଳକ। ସେଥିଲାଗି ଚେକପୋଷ୍ଟରେ ଛାଡିଦିଆଯାଇଥିଲା ଗାଡ଼ିକୁ। ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଯୁବକ ଥିଲେ। ଯିଏ ଚୋପତା-ତୁଙ୍ଗନାଥ-ଚନ୍ଦ୍ରଶିଳା ଟ୍ରିପରେ ବାହାରିଥିଲେ। ଗାଡ଼ିଟି ହରିଆଣାର ଥିଲା। ବର୍ଷକ ପୂର୍ବରୁ ଗାଡ଼ିର ପଞ୍ଜୀକରଣ ହୋଇଛି। ସମସ୍ତ ଦସ୍ତାବିଜ୍ ବି ଠିକ୍ ଅଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now