ବସ୍ତିରେ ନିଆଁ ଲାଗି ୪ ନାବାଳକ ଜୀବନ୍ତ ଦଗ୍ଧ

Spread the love

ଉନା: ହିମାଚଳ ପ୍ରଦେଶ ଉନା ଜିଲ୍ଲାର ଗାଗ୍ରେଟ ସବଡିଭିଜନର ଏକ ବସ୍ତିରେ ନିଆଁ ଲାଗି ୪ ଜଣ ନାବାଳକ ଜୀବନ୍ତ ଦଗ୍ଧ। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।  

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗାଗ୍ରେଟ ସବ ଡିଭିଜନରେ ଥିବା ବନେ ଦି ହଟ୍ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ନିଆଁ ଲାଗିଥିଲା। ଏହି ଆଶ୍ରୟ ଗୃହରେ ବିହାରର ଭଦେଶ୍ବର ଦାସ ଓ ରମେଶ ଦାସଙ୍କ ପରିବାର ରହୁଥିଲେ। ନିଆଁରେ ୪ ଜଣ ନାବାଳକ ଓ ନାବାଳିକାଙ୍କ ମୃତ୍ୟୁ ହୋଇଛି। ୨ ଜଣ ଶିଶୁ ଥିବା ବେଳେ ଦୁଇ ଜଣ ନାବାଳକ ଥିବା ବେଳେ ତିନିଜଣ ଗୋଟିଏ ପରିବାରର ଭାଇଭଉଣୀ ଥିଲେ ବୋଲି ଷ୍ଟେସନ ହାଉସ ଅଧିକାରୀ ଆଶୀଷ ପଠାନିଆ କହିଛନ୍ତି। ଏହି ଅଗ୍ନିକାଣ୍ଡରେ ଆଶ୍ରୟ ଗୃହର ୩୦ହଜାର ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁ ଲାଗିବା ଖବର ପାଇଁ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୪ ନିରୀହ ଜୀବନ ବଞ୍ଚାଇବାରେ ବିଫଳ ହୋଇଛି।

ଘଟଣାରେ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂହ ସୁଖୁ ଗଭୀର ଶୋକ ବ୍ୟକ୍ତ ପୂର୍ବକ ଏହି ପରିବାରକୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଖୁ ଟ୍ବିଟ କରି କହିଛନ୍ତି, ଉନା ଜିଲ୍ଲାର ଅମ୍ବ ଅଧୀନରେ ଥିବା ବନେ ଦି ହାଟ୍ଟିରେ ଘଟିଥିବା ଅଗ୍ନିକାଣ୍ଡରେ ୬ରୁ ୧୭ ବର୍ଷ ମଧ୍ୟରେ ୪ ପିଲାଙ୍କ ମୃତ୍ୟୁ ଖବରରେ ମୁଁ ଅତି ମର୍ମାହତ।  ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି, ଏହି ଆତ୍ମାମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଓ ମୃତକଙ୍କ ପରିବାରକୁ ଏହି କ୍ଷତି ସହିବାର ଶକ୍ତି ପ୍ରଦାନ କରନ୍ତୁ। ଓମ ଶାନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ଘଟଣାରେ ଶୋକବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *