ଆଠ ଜଣ ମହିଳାଙ୍କୁ ଦେଲା ଧକ୍କା ଅନିୟନ୍ତ୍ରିତ କାର , ୩ ମୃତ, ୫ ଗୁରୁତର

Spread the love

ଝାଁସୀ : ଗତକାଲି ବିଳମ୍ବିତ ରାତିରେ ଚିରଗାଓଁ ଅଞ୍ଚଳରେ ଅବସ୍ଥିତ ଗୁଲାରା ନିକଟ କାନପୁର- ଝାଁସୀ ରାଜପଥରେ ଜଣେ ମଦ୍ୟପ ଡ୍ରାଇଭର ରାସ୍ତାରେ ଚାଲୁଥିବା ଆଠ ଜଣ ମହିଳାଙ୍କ ଉପରେ କାର ଚଢାଇନେଇଥିଲା। ଏହି ଦୁର୍ଘଟଣାରେ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭରକୁ ଗିରଫ କରି କାରକୁ ଜବତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗୁରୁବାର ରାତି ପ୍ରାୟ ୭.୩ ୦ ସମୟରେ ଉତ୍ତର ପ୍ରଦେଶ ଯୌନପୁର ଜିଲ୍ଲା ଗୁଲାରା ଗାଁର ଆଠ ଜଣ ମହିଳା କ୍ଷେତରୁ କାମ ସାରି ଚାଲିଚାଲି ଘରକୁ ଫେରୁଥିବାବେଳେ କାନପୁରଆଡରୁ ଆସୁଥିବା ଏକ ଦ୍ରୁତଗାମୀ ଶ୍ୱିଫ୍ଟ ଡିଜାଏର କାର ରାସ୍ତାରେ ଯାଉଥିବା ଉକ୍ତ ମହିଳାମାନଙ୍କୁ ଉଡାଇଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ମହିଳା ଉକ୍ତ କାର ବୋନେଟରେ ଫସିଯାଇଥିଲେ । ଏହା ଦେଖି ଲୋକମାନେ ପାଟି କରିଥିଲେ, କିନ୍ତୁ ଡ୍ରାଇଭର କାରକୁ ନଅଟକାଇ  ଦ୍ରୁତ ଗତିରେ ଉଭୟ ମହିଳାଙ୍କୁ ସେହି ପରିସ୍ଥିତିରେ ପ୍ରାୟ ୧୦୦ ମିଟର ଆଗକୁ ନେଇଯାଇଥିଲେ ଫଳରେ ଉଭୟ ମହିଳା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ପରେ ବାକି ଆହତଙ୍କୁ ତୁରନ୍ତ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତରଖାନାରେ ଆଉ ଜଣେ ମହିଳାଙ୍କର ମୃତ୍ୟ ଘଟିଥିଲା ।

ପୋଲିସ ଅଧ୍ୟକ୍ଷଙ୍କ ମୁତାବକ, ଚାଷ କାମ ସାରି ଫେରୁଥିବା ମହିଳାଙ୍କ ଉପରେ ଏକ କାର ଚଢିଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜା’ ଙ୍କ ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ବହୁ ଆହତ ମହିଳାଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି । ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *