୫ ମହଲା କୋଠା ଭୁଶୁଡି ୪ ମୃତ

Spread the love

ମୁମ୍ବାଇ: ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ୫ ମହଲା କୋଠା ଭୁଶୁଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଦମକଳ ବାହିନୀ, ପୁଲିସ, ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। କୋଠାର ପ୍ଲାଷ୍ଟର, ପ୍ଲେଟ ହଟାଇ ମୃତଦେହ ଉଦ୍ଧାର ହୋଇଛି।

ଗୁରୁବାର ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଉଲ୍ଲାସନଗରରେ ଥିବା ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଉଲ୍ଲାସ ନଗର ରାଜସ୍ବ ଅଧିକାରୀ କୋମଳ ଠାକୁର ସୂଚନା ଦେଇଛନ୍ତି। ଅନ୍ୟ କିଛି ଲୋକ ଭଙ୍ଗା ଘର ତଳେ ଫସିରହିଥିବା ଆଶଙ୍କା ରହିଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ ଅନୁଯାୟୀ, ଉଲ୍ଲାସନଗରରେ ଥିବା ଏକ କୋଠାର ୪ର୍ଥ ମହଲାର ଏକ ସ୍ଲାବ ପୂର୍ବାହ୍ନ ୧୧ଟା ୩୦ରେ ଖସି ପଡିଥିଲା। ଏହି କୋଠାକୁ ପୂର୍ବରୁ ପ୍ରଶାସନ ଅବୈଧ ଘୋଷଣା କରି ନୋଟିସ କରିଥିଲେ ମଧ୍ୟ ୫ଟି ପରିବାର ସେଠାରେ ରହିଆସୁଥିଲେ। ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କୋଠା ତଳେ ଆଉ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଦୁର୍ଘଟଣା ପରେ ସ୍ଥାନୀୟ ଦମକଳବାହିନୀ, ବିପର୍ଯ୍ୟୟ ପରିଚାଳନା ଦଳ, ପୁଲିସ, ରାଜସ୍ବ ବିଭାଗ ଓ ନଗର ନିଗମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *