ଧରାଶାୟୀ ଧରାଲି- ପ୍ରକୃତିର ପ୍ରଳୟ

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। କ୍ଷୀରଗଙ୍ଗା ନଦୀ ଅବବାହିକାରେ ବାଦଲଫଟା ବର୍ଷାରୁ ଅଚାନକ ବନ୍ୟା ଓ ଭୂସ୍ଖଳନରୁ ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବିପୁଳ କ୍ଷୟକ୍ଷତି ହୋଇଛି। ଅନେକଙ୍କ ଜୀବନ ଯାଇଛି। ମାଟିରେ ମିଶିଯାଇଛି ୨୫ରୁ ଅଧିକ ହୋଟେଲ ଓ ହୋମ୍‌ଷ୍ଟେ। ମୂହୂର୍ତ୍ତକ ଭିତରେ ପୁରା ଗାଁ ଭାସିଯିବାର ଭୟାନକ ଦୃଶ୍ୟ ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି। ଏହି ପ୍ରଳୟଙ୍କାରୀ ବିପର୍ଯ୍ୟୟରେ ୫୦ରୁ ଅଧିକ ଲୋକ ପୋତି ହୋଇଯାଇଛନ୍ତି। ଏକ ଭିଡ଼ିଓରେ ଦେଖାଯାଉଛି, କିଛି ବ୍ୟକ୍ତି କାଦୁଅ ଭର୍ତ୍ତି ପାଣିରେ ଚାଲି କଷ୍ଟରେ ବାହାରକୁ ଆସି ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ଅସମର୍ଥ ହୋଇପଡ଼ିଥିଲେ। ବାଦଲଫଟା ବର୍ଷାରୁ ହର୍ଷିଲ ଅଞ୍ଚଳରେ ଥିବା ଏକ ସେନା ଶିବିର ବି ଭାସିଯାଇଛି। ହର୍ଷିଲରେ ପାହାଡ଼ ପାଦଦେଶରେ ଥିବା ସେନା ଶିବିରରୁ ୮ରୁ ଅଧିକ ଜବାନ ନିଖୋଜ ହୋଇଯାଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସେନା ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି। ଆଇଟିବିପି ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାତିତମାମ ରେସକ୍ୟୁ ଅପରେସନରେ ଲାଗିଥିଲେ। ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଭାବିତଙ୍କୁ ଏୟାରଲିଫ୍ଟ କରିବାକୁ ଭାରତୀୟ ବାୟୁସେନାର ଏମଆଇ-୧୭ର ବ୍ୟବହାର କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପାଗରେ ସୁଧାର ଆସିବା ମାତ୍ରେ ଏୟାରଲିଫ୍ଟ କରାଯିବ।

ଧରାଲିରେ ମୋବାଇଲ ନେଟଓ୍ୱର୍କ ନାହିଁ। ସେଥିଲାଗି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ କେମିତି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେ ନେଇ ପ୍ରୟାସ ଜାରି ରହିଛି। କାରଣ ଧରାଲି ଗାଁରେ ୨ଶହରୁ ଅଧିକ ଲୋକ ଫସିରହିଥିଲେ। ଗାଁରେ ପହଞ୍ଚିବାକୁ ପ୍ରାୟ ୨୫ ଫୁଟ ଉଚ୍ଚର କାଦୁଅ ଉପରେ ରାସ୍ତା ତିଆରିରେ ଲାଗିପଡ଼ିଛନ୍ତି ସେନା। ଅସ୍ଥାୟୀ ପୋଲ ତିଆରି ଚାଲିଛି। ଘର ହରାଇଥିବା ଲୋକଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ସରକାର। ଶତାଧିକ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଜାରି ରହିଛି। ଖରାପ ପାଗ ସତ୍ତ୍ୱେ ବିଆରଓ ଦ୍ୱାରା ରାସ୍ତା ମରାମତି କାମ ଜାରି ରହିଛି। କେତେ ଶୀଘ୍ର ବିଦ୍ୟୁତ ଶକ୍ତି ପୁନର୍ବାହାଲ କରାଯିବ, ତା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।  ହିମାଚଳପ୍ରଦେଶ, ଉତ୍ତରାଖଣ୍ଡରେ ବାରମ୍ୱାର ଏଭଳି ପ୍ରକୃତିର କୋପ ଆସୁଥିବାରୁ ଏଥିଲାଗି ଏକ କମ୍ପ୍ରେହେନସିଭ୍ ପ୍ଲାନ୍ କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ପ୍ରିୟଙ୍କା। ମଣ୍ଡି ସାଂସଦ କଙ୍ଗନା କହିଛନ୍ତି, ପାହାଡ଼ିଆ ଅଞ୍ଚଳ ଲୋକଙ୍କ ଉପରେ ସବୁବେଳେ ପ୍ରକୃତିର କୋପ ପଡ଼ିଆସୁଛି। ଏଭଳି ପ୍ରଳୟରେ ସରକାର ସବୁ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଅଛି। ଅଗଷ୍ଟ ୧୦ ତାରିଖ ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଏହି ସ୍ଥିତିକୁ ଅଧିକ ଜଟିଳ କରିଦେଲାଣି। ଆଜି ବି ନୈନିତାଲ, ଚମ୍ପାବନ, ଉଧମସିଂ ନଗର, ବାଗେଶ୍ୱର, ପୌଡ଼ି, ଟିହରି, ହରିଦ୍ୱାର ଓ ଡେରାଡୁନ ସମେତ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଲଗାତାର ବର୍ଷା ଓ ଅଚାନକ ବନ୍ୟାରେ ରାସ୍ତା ଧୋଇ ହୋଇଯାଇଥିବାରୁ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନରେ ଜମା ହୋଇଥିବା ମାଟି ଅତଡ଼ା ଓ ପଥରଖଣ୍ଡ ସବୁ ରାସ୍ତାରୁ ହଟାଯାଉଛି। ବର୍ଷା ଜାରି ଥିବାରୁ ହରିଦ୍ୱାରରେ ଥିବା ଗଙ୍ଗାନଦୀର ଜଳସ୍ତର କ୍ରମାଗତ ବଢ଼ିଚାଲିଛି। ପାଣିପାଗ ବିଭାଗ ସାଟେଲାଇଟ୍ ଇମେଜ୍ ଜାରି କରି କହିଛି ଯେ, ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ୟୁପି, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକ ଓ ଲାକ୍ଷାଦୀପ କ୍ଷେତ୍ରରେ ବାଦଲଫଟା ବର୍ଷାର ଆଶଙ୍କା ରହିଛି। ଉତ୍ତରାଖଣ୍ଡରେ ହୋଇଥିବା ଭୂସ୍ଖଳନରେ ଓଡ଼ିଶାର ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଓଡ଼ିଶାରେ ନାହିଁ। ତଥାପି ଓଡ଼ିଶାରେ ଥିବା ପାର୍ବତ୍ୟ ଅଞ୍ଚଳରେ କେମିତି ଭୂସ୍ଖଳନ ହେବନି, ଲୋକେ ପ୍ରଭାବିତ ହେବେନି, ସେଥିଲାଗି ସରକାର ସତର୍କ ଅଛନ୍ତି। ଭୂସ୍ଖଳନ ହେଲେ ଲୋକେ କେମିତି ଅଧିର ପ୍ରଭାବିତ ହେବେନି, ସେଥିଲାଗି ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ବାଦଲଫଟା ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନରେ ଅନେକ ଜନଜୀବନ ପ୍ରଭାବିତ ହୋଇଛି। ପ୍ରକୃତିର ତାଣ୍ଡବ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *