ଶିବ ଧ୍ଵନୀରେ ପୂରା ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇ ଉଠୁଥିଲା। ମହାଶିବରାତ୍ରୀରେ ମହାଦୀପ ଉଠିବା ସମୟ ଉପନ୍ନୀତ ହୋଇଥିଲା। ଆଉ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢୁ୍ଥିବା ବେଳେ ଘଟିଲା ଅଘଟଣ। ତଳକୁ ଖସି ପଡ଼ିଲେ ସେବାୟତ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ଅନ୍ୟପଟେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ। ଭୟ ଓ ଭକ୍ତିର ପରିବେଶ ମଧ୍ୟ୍ୟରେ ପ୍ରାୟ ୪୫ ମିନିଟ୍ ବିଳମ୍ବରେ ମନ୍ଦିର ଚୂଡ଼ାକୁ ଉଠିଛି ମହାଦୀପ। ଭକ୍ତଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଥିଲେ ହେଁ କାହିଁକି ଘଟିଲା ଏତେବଡ଼ ଅଘଟଣ ତାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ସେପଟେ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସମସ୍ତ ନୀତିକାନ୍ତି ସଂପନ୍ନ ପରେ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ମହାଦୀପ ଉଠିବାର ମହାର୍ଘ୍ୟ ବେଳ ଆସିଥିଲା। ଦୀପ ଉଠାଇବା ପାଇଁ ନ୍ୟସ୍ତ ସମର୍ଥ ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢୁଥିଲେ। ଏହି ଦୃଶ୍ୟକୁ ଅପଲୋକ ନୟନରେ ଚାହିଁ ରହିଥିଲେ ଶ୍ରଦ୍ଧାଳୁ ଓ ଭକ୍ତ। ହରିବୋଲ ହୁଳହୁଳିରେ ଉଚ୍ଛୁଳି ପଡୁଥିଲା ଲିଙ୍ଗରାଜ ମନ୍ଦିର ପରିସର। ଆଉ ଏହି ସମୟରେ ସେବାୟତ ତଳକୁ ଖସି ପଡ଼ିଥିଲେ। ହାତରୁ ଛିଟିକି ମହାଦୀପ ତଳେ ପଡ଼ି ଯାଇଥିଲା। ଏହା ଦେଖି ସେଠାରେ ଥିବା ଅନ୍ୟ ସେବାୟତ ଓ ଭକ୍ତ ସ୍ତମ୍ଭୀଭୁତ ହୋଇ ପଡ଼ିଥିଲେ। ଏହା ପରେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ। ଶେଷରେ ପ୍ରାୟ ୪୫ ମିନିଟ୍ ବିଳମ୍ବ ପରେ ଲିଙ୍ଗରାଜରେ ମହାଦୀପ ଉଠିଛି।
ଗୁରୁତର ଅବସ୍ଥାର ସେବାୟତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେବାୟତଙ୍କ ଡାକ ନାଁ ହେଉଛି ଭଦିଆ ସମର୍ଥା। ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଜଣାଯାଇଛି। ଆଜି ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଯିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା। ତେବେ ମହାଦୀପ ଧରି ଉଠିବା ସମୟରେ ଏମିତି ଅଘଟଣ ଘଟି ଯାଇଛି। ମନ୍ଦିର ଚୂଡ଼ାକୁ ଚଢିବା ସମୟରେ ପାଖାପାଖି ୮ ଫୁଟ ତଳକୁ ଖସି ପଡ଼ିଥିବା କୁହାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now