ମହାରାଷ୍ଟ୍ର ବୀରାରରେ ଏକ ଅନଧିକୃତ ୪ ମହଲା କୋଠା ଭୁଷୁଡ଼ିବାରୁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ମୃତକଙ୍କ ଭିତରେ ମା ଓ ଝିଅ ବି ଅଛନ୍ତି। ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିଲା। ଏନଡିଆରଏଫର ଦୁଇଟି ଟିମ୍ ବି ରେସକ୍ୟୁ ଅପରେସନରେ ସାମିଲ୍ ହୋଇଥିଲା। ବୀରାର ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ଅବୈଧ ଘୋଷିତ କୋଠାଟି ରାତି ୧୨ଟାରେ ଭୁଷୁଡ଼ି ପଡ଼ିଥିଲା। ଦୁର୍ଘଟଣାସ୍ଥଳରେ ମୋଟ୍ ୫୦ଟି ଫ୍ଲାଟ୍ ଓ ୧୨ଟି ଆପାର୍ଟମେଣ୍ଟ ରହିଛି। ଅବଶ୍ୟ ଅନ୍ୟ ବିଲଡିଂର କୌଣସି କ୍ଷୟକ୍ଷତି ହୋଇନି। ଏଭଳି ଅଘଟଣ ପରେ ଭୁଷୁଡ଼ି ପଡିଥିବା ବିଲଡିଂ ପାଖରେ ଥିବା ଅନ୍ୟ କୋଠାରୁ ଲୋକଙ୍କୁ ଖାଲି କରାଯାଇଥିଲା। ବିଲଡିଂର ବିଲଡର ନିତାଲ ଗୋପୀନାଥ ସାନେଙ୍କୁ ଗିରଫ କରାଯାଇଛି। ଜମିମାଲିକଙ୍କ ବିରୁଦ୍ଧରେ ବି ଏତଲା ହୋଇଛି। ଏହି ବିଲଡିଂ ୨୦୦୮ରୁ ୨୦୦୯ ଭିତରେ ନିର୍ମାଣ ହୋଇଥିଲା। ଏଥିରେ ୫୪ଟି ଫ୍ଲାଟ୍ ଓ ୪ଟି ଦୋକାନ ଘର ଥିଲା। ଘଟଣା ପରେ ପ୍ରଶାସନ ଏରିଆକୁ ସିଲ୍ କରିଥିଲା। ପ୍ରଭାବିତ ପରିବାରଙ୍କୁ ଚନ୍ଦନନଗର ସମାଜମନ୍ଦିରରେ ଥିବା ଅସ୍ଥାୟୀ ଆଶ୍ରୟ କ୍ୟାମ୍ପରେ ରଖାଯାଇଛି। ସେମାନଙ୍କୁ ମାଗଣାରେ ଖାଇବା, ପିଇବା, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ଯୋଗାଇଦେଉଛି ପ୍ରଶାସନ। ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିବା ସତ୍ତ୍ୱେ କିନ୍ତୁ ଉଦ୍ଧାର କାମ ଜାରି ଥିଲା। ଆଗ ଭଗ୍ନାବଶେଷକୁ ହାତରେ କାଢ଼ିବାକୁ ଉଦ୍ୟମ ହୋଇଥିଲା। କାରଣ ଏହି ଅଞ୍ଚଳରେ ଭାରି ମେସିନ୍ ପହଞ୍ଚିବା କାଠିକର ଥିଲା। ତା ପରେ ଜେସିବି ପହଞ୍ଚିବା ପରେ ଭଗ୍ନାବଶେଷକୁ ହଟାଯାଇଥିଲା। ଯେଉଁ ଭାଗରେ କୋଠା ଭୁଷୁଡ଼ି ପଡ଼ିଥିଲା, ସୌଭାଗ୍ୟବଶତଃ ତାହା ଖାଲିସ୍ଥାନ ଥିଲା। ରମାବାଇ ଆପାର୍ଟମେଣ୍ଟରେ ଥିବା ୫୦ଟି ଫ୍ଲାଟରୁ ୧୨ଟି ଫ୍ଲାଟ୍ ଭୁଷୁଡ଼ି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, କୋଠା ଭୁଷୁଡ଼ିବା ବେଳେ ବର୍ଷକର ଝିଅର ଜନ୍ମଦିନ ପାର୍ଟି ଚାଲିଥିଲା। ସେତିକିବେଳେ କୋଠାର ଗୋଟିଏ ପାଖରେ ଥିବା ୧୨ଟି ଫ୍ଲାଟ୍ ଭୁଷୁଡ଼ିଥିଲା। କୋଠାରେ ଥିବା ଲୋକେ ଓ ଅତିଥି ବି ଚାପି ହୋଇଗଲେ। ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଗଲା। ଲୋକେ ଦାବି କରିଛନ୍ତି, ଅନଧିକୃତ ବିଲଡିଂରେ କେମିତି ଲୋକଙ୍କୁ ପ୍ରଶାସନ ରହିବାକୁ ଦେଉଥିଲା। ଏହି କୋଠା ପୁରୁଣା ଓ ଅବୈଧ ଥିଲା। ଲଗାଣ ବର୍ଷାରୁ କାନ୍ଥ ସନ୍ତସନ୍ତିଆ ଥିଲା।ପାଲଘର ଜିଲ୍ଲାର ବିରାରରେ ବେଆଇନ କୋଠା ଭୁଷୁଡ଼ିବାରୁ ଅନେକଙ୍କ ଜୀବନ ଚାଲିଗଲା। ବିଲଡର ସିନା ଗିରଫ ହେଲା। କିନ୍ତୁ ଅନଧିକୃତ ନିର୍ମାଣ ବୋଲି ଜାଣିଥିଲା ମହାନଗରନିଗମ। ତା ସାଙ୍ଗକୁ ବିପଦସଙ୍କୁଳ ବୋଲି ଚିହ୍ନଟ ବି କରିଥିଲା। ତାହେଲେ ସେତେବେଳେ କାହିଁକି କୌଣସି ଆବଶ୍ୟକୀୟ ପଦକ୍ଷେପ ନେଲାନି ପ୍ରଶାସନ। ଯାହାଲାଗି ଆଜି ଏତେ ବଡ଼ ଅଘଟଣ ଘଟିଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now