ଅହମଦାବାଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ଜୀବନ ଯାଇଛି। ୨୪୧ ଯାତ୍ରୀଙ୍କ ବ୍ୟତୀତ ମେଡିକାଲ ହଷ୍ଟେଲର ୫ ମୃତକ ବି ଅଛନ୍ତି। ଏମାନଙ୍କ ଭିତରୁ ୩ ଜଣ ମେଡିକାଲ ଛାତ୍ରଙ୍କ ଚିହ୍ନଟ ସରିଛି। ୨ ଜଣ ଭାବନଗରର ଓ ଜଣେ ଗ୍ୱାଲିଅରର। ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ବିମାନଟି ଲଣ୍ଡନ ଯାଉଥିଲା। ଏଥିରେ ୨୪୨ ଯାତ୍ରୀ ଥିଲେ। ବିମାନଟି କ୍ରାସ ପରେ ସିଭିଲ ହସ୍ପିଟାଲର ବୟଜ ହଷ୍ଟେଲ ଉପରେ ପଡ଼ିଯାଇଥିଲା। ଏତେବଡ଼ ଭୟାନକ ଦୁର୍ଘଟଣାରେ ଯାତ୍ରୀଙ୍କ ଭିତରେ କେବଳ ଜଣେ ଜୀବିତ ଅଛନ୍ତି। ଜୀବିତ ଯାତ୍ରୀଙ୍କ ନାଁ ବିଶ୍ୱାସ କୁମାର। ପ୍ରଧାନମନ୍ତ୍ରୀ ମୋଦି ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପରେ ସିଭିଲ ହସ୍ପିଟାଲ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ସେଠାରୁ ଫେରି ଏୟାରପୋର୍ଟରେ ବିଜୟ ରୁପାଣୀଙ୍କ ପତ୍ନୀଙ୍କୁ ଭେଟି ସାନ୍ତ୍ୱନା ଓ ସମବେଦନା ଜଣାଇଥିଲେ। ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ବି ପରଲୋକ ଘଟିଛି। ଏକମାତ୍ର ଜୀବିତ ଥିବା ଯାତ୍ରୀ ବିଶ୍ୱାସ କୁମାର କହିଛନ୍ତି, ବିମାନ ଦୁର୍ଘଟଣା ପରେ ସେ ସିଟ୍ ସମେତ ବିମାନ ବାହାରକୁ ଛିଟିକି ପଡ଼ିଥିଲେ। ବିମାନରେ ୧୦୩ ପୁରୁଷ, ୧୧୪ ମହିଳା, ୧୧ ପିଲା ଓ ୨ ଯୁବକ ଥିଲେ। ଆଉ ବାକି ୧୨ଜଣ କ୍ରିଉ ମେମ୍ୱର ଥିଲେ। ସେପଟେ ଟାଟା ଗୃପ ପ୍ରତି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି। ଏହା ସହ ଆହତଙ୍କ ସମସ୍ତ ଚିକିତ୍ସା ଭାର ବହନ କରିବ। ଏହା ବ୍ୟତୀତ ବିଜେ ମେଡିକାଲ ହଷ୍ଟେଲର ପୁନଃନିର୍ମାଣ ଲାଗି ସମସ୍ତ ସହାୟତା ଓ ଖର୍ଚ୍ଚ ବହନ କରିବାକୁ କହିଛନ୍ତି ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ। ବିମାନ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ଲାଗି ପରିବାରର ଡିଏନଏ ଟେଷ୍ଟ ଜାରି ରହିଛି। ଦୁର୍ଘଟଣାସ୍ଥଳରେ ଏନଏସଜି ଟିମ୍ ବି ତଦନ୍ତ ଲାଗି ପହଞ୍ଚିଛି। ଅହମଦାବାଦ ପୁଲିସ ସ୍ପିନର ଡଗ ନେଇ କ୍ରାସ୍ ସାଇଟରେ ପହଞ୍ଚିଛି। କାଳେ କେହି ତଳେ ଦବିକି ଥିବେ ବା ଜୀବିତ ଥିବେ ଭାବି ସର୍ଚ୍ଚ ଜାରି ରଖିଛି। ଯେଉଁମାନଙ୍କ ଶବ ଚିହ୍ନଟ ପ୍ରକ୍ରିୟା ସରିଛି, ସେମାନଙ୍କ ପରିବାରକୁ ଶବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବିମାନ ଦୁର୍ଘଟଣାରେ ୫୩ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ବ୍ରିଟିଶ ହାଇକମିଶନରଙ୍କ ଅଧିକାରୀ ବି ଅହମଦାବାଦ ପହଞ୍ଚିଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now