ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ରାଗମପେଟା ଗାଁରେ ଦୁଃଖଦ ଘଟଣା। ଏକ ଖାଦ୍ୟ ତେଲ ତିଆରି କମ୍ପାନୀରେ ତେଲ ଟ୍ୟାଙ୍କର ସଫା କରୁଥିବା ବେଳେ ୭ କର୍ମଚାରୀଙ୍କ ମୃତ୍ୟୁ। ସମସ୍ତ ମୃତ୍ୟୁ ଶ୍ବାସରୁଦ୍ଧ ଘଟି ହୋଇଥିବା ପୁଲିସ ସୂଚନା ଦେଇଛି। ଗୁରୁବାର ସକାଳ ପ୍ରାୟ ସାଢେ ଆଠଟାରେ ଏହି ଦୁର୍ଘଟଣା ଘଟିଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ପେଡ୍ଡାପୁରମ ଅନ୍ତର୍ଗତ ପଡେରୁ ଓ ପୁଲିମେରୁ ଅଞ୍ଚଳର ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜଣେ ଶ୍ରମିକ ଟ୍ୟାଙ୍କର ଭିତରକୁ ଯାଇ ନ ଫେରିବାରୁ ଅନ୍ୟମାନେ ଭିତରକୁ ଯାଇ ଫେରି ନ ଥିଲେ। ଏହାକୁ ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି କି, ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଉପଯୁକ୍ତ ସୁରକ୍ଷା ଉପକରଣ ଯୋଗାଇ ନ ଥିବାରୁ ଏତେବଡ ଅଘଟଣ ଘଟିଛି।
ସେପଟେ ପୁଲିସ କହିଛି, ଜଣେ ଶ୍ରମିକ ଟ୍ୟାଙ୍କର ସଫା କରୁଥିଲା। ତେଲ କାରଣରୁ ତାର ପାଦ ଖସି ଟ୍ୟାଙ୍କ ଭିତରେ ଖସି ପଡିଥିଲା। ଯାହାକୁ ରକ୍ଷା କରିବାକୁ ଅନ୍ୟ ୬ ଜଣ ଭିତରକୁ ପସିଥିଲେ। କିନ୍ତୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ପୁଲିସ ମୁତାବକ ୫ ଜଣ ପଡେରୁର ଥିବା ବେଳେ ୨ ଜଣ ଥିଲେ ପେଦ୍ଦାପୁରମ ଅଞ୍ଚଳର।
ଏହି ଦୁର୍ଘଟଣା ପରେ କାକିନାଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି ଓ ଆଇପିସିର ଧାରା ୩୦୪ଏ ଅନ୍ତର୍ଗତ ମାମଲା ଦାୟର ହୋଇଛି। ଏଥିସହ ଏକ ୪ ଜଣିଆ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସେପଟେ ଘଟଣାରେ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now