ଘର ମାଲିକ ପୁରା ପରିବାରକୁ ୧୫ ଦିନ ତଳେ ଘରୁ ବାହାର କରିଦେଇଥିଲା। ବେଘର ହୋଇ ଫୁଟପାଥରେ ଆଶ୍ରୟ ନେଇଥିଲେ। ବିଜେ ମେଡିକାଲ ହଷ୍ଟେଲ ଆଗରେ ଚା ଦୋକାନ ଖୋଲି ଜେଜେମାଆ, ବୋହୂ ଓ ନାତି ଗୁଜୁରାଣ ମେଣ୍ଟାଉଥିଲେ। ଅହମଦାବାଦ ବିମାନ ଦୁର୍ଘଟଣାରୁ ବାହାରିଥିବା ନିଆଁର ଆଁକୁ କିନ୍ତୁ ଚାଲିଗଲା ନାତି। ବିମାନ କ୍ରାସ ବେଳେ ଫୁଟପାଥରେ ଶୋଇଥିଲା ନାତି ଆକାଶ। ଆଉ ବିମାନ ନିଆଁ ଆକାଶରୁ ଖସି ଆକାଶକୁ ପୁରା ଜାଳିଦେଲା। କେବଳ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ନେଇଗଲାନି ଏୟାରଇଣ୍ଡିଆ ବିମାନ କ୍ରାସ୍। ଦୁର୍ଭାଗ୍ୟବଶତଃ ଫୁଟପାଥରେ ଶୋଇଥିବା ନିରୀହ ଆକାଶର ବି ଜୀବନ ନେଇଗଲା। ଗୁରୁବାର ଦିନରେ ପ୍ରବଳ ଗରମ ହେତୁ ଆକାଶ ଗଛ ଛାଇ ତଳେ ଶୋଇଥିଲା। କିନ୍ତୁ ଏହା ଆକାଶ ଲାଗି ଶେଷ ନିଦ ଥିଲା। ଏୟାରଇଣ୍ଡିଆ ବିମାନ ବିଲଡିଂରେ ପିଟିହୋଇ ବିସ୍ଫୋରଣ ହୋଇଥିଲା। ଆଉ ନିଆଁ ଝୁଲ ଆକାଶ ଉପରେ ପଡ଼ିଥିଲା। ଆଉ ଶୋଇଥିବା ଅବସ୍ଥାରେ ହିଁ ଜୀଅନ୍ତା ଜଳିଯାଇଥିଲା ଆକାଶ। ଆକାଶର ମାଆ ପ୍ରାଣ ବିକଳରେ ତାଙ୍କ ପୁଅକୁ କିଏ ବଞ୍ଚାଅରେ ଚିତ୍କାର କରୁଥିଲେ। ହେଲେ ସେତେବେଳକୁ ଜଳିଯାଇଥିଲା ଆକାଶ। ଜେଜେମାଆ ନିଜ ଆଖି ଆଗରେ ୧୪ ବର୍ଷର ନାତି ଆକାଶକୁ ଜଳିବା ଦେଖି ବାହୁନିବା ଛଡ଼ା ଯେମିତି କିଂକର୍ତ୍ତବ୍ୟମୂଢ଼ ହୋଇପଡ଼ିଥିଲା। ଆକାଶର ମାଆ ସୀତାଙ୍କ ଅବସ୍ଥା ବି ଗୁରୁତର ଅଛି। ବିଜେ ମେଡିକାଲ ହଷ୍ଟେଲରେ ଦାଦି ମା ନାଁରେ ପରିଚିତ ବବି ବେନ୍ ଙ୍କ ପରିବାର ଉପରେ ଆକାଶରୁ ବିପତ୍ତି ଯେମିତି ଖସିପଡ଼ିଛି। ପିଲାଙ୍କ ଲାଗି ହଷ୍ଟେଲ କମ୍ପାଫଣ୍ଡ ଆଗରେ ଏକ ଠେଲା ଗାଡ଼ିରେ ଚା ବିକନ୍ତି ବବି ବେନ୍। ବିମାନର ନିଆଁ ଝୁଲ ଖସିବା ବେଳେ କମ୍ପାଉଣ୍ଡ ଭିତରେ ଥିଲେ ପରିବାର। କାରଣ ଘର ମାଲିକ ଘରୁ ତଡି ଦେବା ପରେ ତିନି ଜଣ ମେଡିକାଲ କଲେଜ ହଷ୍ଟେଲର ତିଆରି ଏକ କମ୍ପାଉଣ୍ଡରେ ରହୁଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now