ଷ୍ଟେସନରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍। ପଛପଟୁ ଆସି ଦ୍ରୁତ ଗତିରେ ପିଟିଲା ବାଗମତୀ ଏକ୍ସପ୍ରେସ। ତାମିଲନାଡ଼ୁର କାଓ୍ୱାରପଟ୍ଟି ଷ୍ଟେସନରେ ମହୀଶୁର-ଦରଭଙ୍ଗା ଏକ୍ସପ୍ରେସର ଗତି ଏତେ ପ୍ରଖର ଥିଲା ଯେ, ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଘଟଣା ପରେ ପରେ କିଛି ଏସି ବଗିରେ ନିଆଁ ବି ଲାଗିଯାଇଥିଲା। ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାରକାରୀ ଦଳ ଯାତ୍ରୀଙ୍କୁ ଉଦ୍ଧାରକାମରେ ଲାଗିପଡ଼ିଥିଲେ। ୨୦ରୁ ଉର୍ଦ୍ଧ୍ୱ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଷ୍ଚେସନ ଆସିଗଲା ଭାବି ଅନେକ ଯାତ୍ରୀ ଭିଡ଼ିଓ ଉତ୍ତୋଳନ କରୁଥିଲେ। କିନ୍ତୁ କେହି କିଛି ବୁଝିବା ଆଗରୁ ଏଭଳି ଆକସ୍ମିକ ଦୁର୍ଘଟଣା ଘଟିଗଲା। ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡ଼ିଥିଲା ଷ୍ଟେସନ ପରିସର। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭୁଲକ୍ରମେ ବାଗମତୀ ଏକ୍ସପ୍ରେସ ମେନ୍ ଲାଇନରୁ ଲୁପ୍ ଲାଇନକୁ ଚାଲିଯାଇଥିଲା। ଆଗରୁ ଲୁପ୍ ଲାଇନରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍। ବାଗମତି ଏକ୍ସପ୍ରେସ ଏହି ଷ୍ଟେସନରେ ରୁହେନା। ଏହି ଟ୍ରେନ୍ ଗୁଡୁର, ଆନ୍ଧ୍ର, ଓଡ଼ିଶା ଦେଇ ଦରଭଙ୍ଗା ଯାଏ। ମେନ୍ ଲାଇନର ସିଗନାଲ ବି ଦିଆଯାଇଥିଲା। ତା ସତ୍ତ୍ୱେ କେମିତି ଲୁପ୍ ଲାଇନକୁ ଚାଲିଯାଇଥିଲା ଟ୍ରେନ୍, ଏହାର ଛାନଭିନ୍ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ ଲୋକୋ ପାଇଲଟ ଓ ସହାୟକ ଲୋକୋ ପାଇଲଟ ଦୁହେଁ ସୁରକ୍ଷିତ ଅଛନ୍ତି।
ଆହତଙ୍କ ସମ୍ପର୍କୀୟଙ୍କ ଲାଗି ହେଲ୍ପଲାଇନ ନମ୍ୱର ଜାରି କରିଥିଲା ରେଳବିଭାଗ। ଚେନ୍ନାଇ ଡିଭିଜନ ଜାରି କରିଥିବା ହେଲ୍ପଲାଇନ ନମ୍ୱର ହେଲା- ୦୪୪୨୫୩୫୪୧୫୧, ୦୪୪୨୫୩୩୦୯୫୨। ଶନିବାର ସକାଳୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇଦିଆଯାଇଛି। ପୁନରୁଦ୍ଧାର କାମ ଲାଗି ପ୍ରାୟ ୧୬ ଘଣ୍ଟା ଲାଗିବ। ସେଥିଲାଗି ସେହି ରୁଟରେ ଯିବାକୁ ଥିବା ଦୁଇଟି ଟ୍ରେନକୁ ବାତିଲ୍ କରିବା ସହ ୧୨ରୁ ଅଧିକ ଟ୍ରେନକୁ ଅନ୍ୟ ବିକଳ୍ପ ରୁଟ୍ରେ ଡାଇଭର୍ଟ କରିଦିଆଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛି ରେଳ ବିଭାଗ। ରେଳ ସୁରକ୍ଷା କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଏହାର ତଦନ୍ତ କରିବ।ଦକ୍ଷିଣ ସର୍କଲର ସୁରକ୍ଷା କମିଶନର ଅନନ୍ତ ମଧୁକାର ଚୌଧୁରୀ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି, ସବୁ ଦିଗକୁ ଅନୁଧ୍ୟାନ କରାଯିବ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ରମାଗତ ଟ୍ରେନ୍ ଦୁର୍ଘଟଣାରୁ କୌଣସି ଶିକ୍ଷା ଲାଭ କରୁନାହାନ୍ତି କେନ୍ଦ୍ର ସରକାର। କାହାକୁ ଉତ୍ତରଦାୟୀ କରାଯାଉନି। ମୋଦି ସରକାରର ଆଖି ଖୋଲିବା ଆଗରୁ ବହୁ ପରିବାର ମୃତ୍ୟୁମୁଖରେ ପଡ଼ିସାରିଥିବେ। ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ କହିଛନ୍ତି, ସେ କ୍ରମାଗତ ରେସକ୍ୟୁ ଓ ରିଷ୍ଟୋରେସନ କାମକୁ ତଦାରଖ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଟି ଆମ୍ୱୁଲାନ୍ସ ପଠାଯାଇଥିଲା। ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଆହତ ଯାତ୍ରୀଙ୍କୁ ଭେଟିଥିଲେ। ରେଳବାଇ ବିଭାଗ ବି କହିଛି, ୯୫ ପ୍ରତିଶତ ଯାତ୍ରୀଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି। କେହି ବି ଗୁରୁତର ନାହାନ୍ତି। ଷ୍ଚେସନରେ ଅଟକି ଥିବା ଯାତ୍ରୀଙ୍କୁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଥିଲା ରେଳବିଭାଗ। କୌଣସି ଆତଙ୍କୀ କାର୍ଯ୍ୟକଳାପର ସଂପୃକ୍ତି ସନ୍ଦେହରେ ଏନଆଇଏ ଅଧିକାରୀ ବି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
୯୯୦ ଯାତ୍ରୀ ଏହି ଟ୍ରେନରେ ରିଜର୍ଭେସନ କରିଥିଲେ। ମହୀଶୁରରୁ କେବଳ ୧୮୨ ଯାତ୍ରୀ ରିଜର୍ଭ କରିଥିଲେ। ସମସ୍ତେ ନିରାପଦ ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now