ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକେପ୍ଟର କ୍ରାସ୍। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତରୁ ପାଇଲଟଙ୍କ ସମେତ ୬ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ଅଛନ୍ତି। ଏହି ଦୁର୍ଘଟଣା ଉତ୍ତରକାଶୀର ଗଙ୍ଗନାନି ପାଖରେ ହୋଇଛି। ଡେରାଡୁନରୁ ଉଡ଼ାଣ ଭରିଥିଲା ହେଲିକେପ୍ଟର। ହେଲିକେପ୍ଟର କ୍ରାସ୍ ସୂଚନା ପାଇବା ମାତ୍ରେ କ୍ୟୁଆରଟି, ଏସଡିଆରଏଫ, ଆମ୍ୱୁଲାନ୍ସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୮ଟା୪୦ରେ ଏହି ଦୁର୍ଘଟଣା ହୋଇଥିଲା। ହେଲିକେପ୍ଟରରେ ପାଇଲଟ ରବିନ ସିଂଙ୍କ ସମେତ ୭ ଯାତ୍ରୀ ଥିଲେ। ତୀର୍ଥଯାତ୍ରୀ ଡେରାଡୁନରୁ ଯମୁନୋତ୍ରୀ ଧାମ ଯିବାକୁ ବାହାରିଥିଲେ। ଡେରାଡୁନରୁ ଖରସାଲି ଯାଏ ଉଡ଼ାଣ ଭରିଥିଲା ହେଲିକେପ୍ଟର। ସେଠାରେ ୬ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଗଙ୍ଗନାନି ପାଖରେ କ୍ରାସ୍ କରିଗଲା ହେଲିକେପ୍ଟର। ବଡ଼ କଥା ହେଲା, କେବଳ ଖରସାଲି ଯାଏ ଉଡ଼ାଣ ଭରିବାକୁ ହେଲିକେପ୍ଟର ପରିଚାଳନା ସଂସ୍ଥା ପାଖରେ ଖବର ଥିଲା। କିନ୍ତୁ ଖରସାଲିରୁ ଗଙ୍ଗୋତ୍ରୀ ଉଡ଼ାଣ ବାବଦରେ କୌଣସି ସିଡ୍ୟୁଲ ହିଁ ନଥିଲା। ହେଲିକେପ୍ଟରରେ ଥିବା ଯାତ୍ରୀମାନେ ମୁମ୍ୱାଇ ଓ ଆନ୍ଧ୍ରର ବୋଲି ଜଣାପଡ଼ିଛି। ୪ ଜଣ ମୁମ୍ୱାଇର ଓ ୨ ଜଣ ଆନ୍ଧ୍ରର। ମୃତକ ହେଲେ ମୁମ୍ୱାଇର କାଲା ସୋନି, ବିଜୟା ରେଡ୍ଡୀ, ରୁଚି ଅଗ୍ରଓ୍ୱାଲ, ରାଧା ଅଗ୍ରଓ୍ୱାଲ। ଆନ୍ଧ୍ରର ବେଦବତୀ କୁମାରୀ ଓ ପାଇଲଟ ରବିନ ସିଂ। ଆହତଙ୍କ ନାଁ ମସ୍ତୁ ଭାସ୍କର। ଆହତଙ୍କୁ ରିଷିକେଶର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି। ହେଲିକେପ୍ଟରଟି ପ୍ରାଇଭେଟ କମ୍ପାନୀ ଏୟରୋଟ୍ରାନ୍ସ ସର୍ଭିସର ଥିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣା ପରେ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି। ତୁରନ୍ତ ଉଦ୍ଧାର କାମ କରିବାକୁ ନିର୍ଦେଶ ଦେଇଥିଲେ। ଆହତଙ୍କୁ ଉନ୍ନତମାନର ଚିକିତ୍ସା ଲାଗି ନିର୍ଦେଶ ଦେବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଧାମି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋକୁ ହେଲିକେପ୍ଟର କ୍ରାସର ତଦନ୍ତ ନିର୍ଦେଶ ଦାୟିତ୍ୱ ଦିଆଯାଇଛି। ଏହା ଏକ ଚାଟାର୍ଡ ହେଲିକେପ୍ଟର ଥିଲା। ଉତ୍ତରାଖଣ୍ଡରେ ଏବେ ଚାରିଧାମ ଯାତ୍ରା ଜାରି ରହିଛି। କେଦାରନାଥ, ବଦ୍ରିନାଥ ଓ ଗଙ୍ଗୋତ୍ରୀ- ଯମୁନୋତ୍ରୀ ଯିବାକୁ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। କିଛି ପାଦରେ ଚାଲି ଯାଉଛନ୍ତି ତ କିଛି ହେଲିକେପ୍ଟର ଜରିଆରେ ପହଞ୍ଚୁଛନ୍ତି। ପାଗ ଖରାପ ଲାଗି ଗଲା ସୋମବାର ବି ତୀର୍ଥଯାତ୍ରୀଙ୍କୁ ନେଇ ବଦ୍ରିନାଥ ଯାଉଥିବା ଏକ ହେଲିକେପ୍ଟର ଗୋପେଶ୍ୱର ଖେଳ ପଡ଼ିଆରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ପ୍ରାୟ ୫ ମିନିଟ ଧରି ମୈଦାନରେ ରହିବା ପରେ ପୁଣି ଡେରାଡୁନ୍ ଅଭିମୁଖେ ଉଡ଼ାଣ ଭରିଥିଲା ହେଲିକେପ୍ଟର।

Naxatra News is now on Whatsapp
Join and get latest news update delivered to you via whatsapp
Join Now