ପହଲଗାମ ଆତଙ୍କି ଆକ୍ରମଣ ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଭୋଜପୁରୀ ଲୋକଗାୟିକା ନେହା ସିଂ ରାଠୋରଙ୍କ ବିରୁଦ୍ଧରେ ଲକ୍ଷ୍ନୌରେ ଏତଲା ରୁଜୁ ହୋଇଛି। ରବିବାର ଏତଲା ପରେ ଏହାକୁ ନେଇ ରାଗିପାଚି ନିଆଁ ହୋଇଯାଇଛନ୍ତି ନେହା। ସରକାର ତାଙ୍କ ଉପରେ କେସ୍ କରି ଅସଲ ମୁଦ୍ଦାକୁ ଏଡ଼ାଇବାକୁ ଚାହୁଁଛନ୍ତି। ସେ ପୁଣି ଥରେ ସରକାରଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି ଯେ, ଯଦି ଦମ୍ ଅଛି, ତାହେଲେ ଆତଙ୍କବାଦୀଙ୍କ ମୁଣ୍ଡ କାଟିକି ଆଣନ୍ତୁ ସରକାର। ପହଲଗାମ ଆତଙ୍କି ଆକ୍ରମଣ ପରେ ଏବେ ସୁଦ୍ଧା ସରକାର କଅଣ କରିଛନ୍ତି ବୋଲି ପଚାରିଛନ୍ତି ନେହା। ଯଦି ସରକାରଙ୍କୁ ପ୍ରଶ୍ନ କରିବା ବିଦ୍ରୋହ ବୋଲି ବିବେଚନା କରାଯିବ, ତା ହେଲେ ସେ ବିଦ୍ରୋହୀ ମାନିବାକୁ ପ୍ରସ୍ତୁତ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ-ରେ ଭିଡ଼ିଓ ଜାରି କରି ନେହା କହିଛନ୍ତି, ସରକାର ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ତାଙ୍କୁ ଦୋଷୀ ସଜାଇବାର ଆବଶ୍ୟକତା ନାହିଁ। ଲୋକତନ୍ତ୍ରରେ ଯେମିତି ପ୍ରତିଟି ଭୋଟ୍ ମୂଲ୍ୟବାନ। ସେମିତି ପ୍ରତିଟି ପ୍ରଶ୍ନ ବି ମୂଲ୍ୟବାନ୍ ଅଟେ। ପ୍ରଶ୍ନ ପଚାରିବାରୁ ସରକାରଙ୍କୁ ଅଡ଼ୁଆ ହେଉଛି। ସେଥିଲାଗି ତାଙ୍କୁ ପ୍ରଶ୍ନ ପଚାରିବାରୁ ରୋକ୍ ଲଗାଯାଉଛି। ଆତଙ୍କି ଆକ୍ରମଣ ପରେ କେବଳ ଜବାବ ଆସୁଛି, ନୋଟିସ ପଠାଇଛୁ। ଏତଲା କରିଛୁ। ଗାଳି ଦେଉଛୁ। ଚାକିରୀ ଛଡ଼ାଇନେଲୁ। ଅପମାନିତ କଲୁ। ଭୟଭୀତ କରାଇଲୁ। ତାହେଲେ ଏହା ଯଦି ରାଜନୀତି। ତେବେ ଏକଛତ୍ରବାଦ କାହାକୁ କୁହାଯିବ ବୋଲି ପଚାରିଛନ୍ତି ନେହା। ପ୍ରଶ୍ନ ପଚାରିଲେ ଦୋଶଦ୍ରୋହୀ ଓ ବିଶ୍ୱାସଘାତକ କୁହାଯାଉଛି। ବିଜେପି ଦେଶ ନୁହେଁ କି ପ୍ରଧାନମନ୍ତ୍ରୀ ଭଗବାନ ନୁହଁନ୍ତି। ଗଣତନ୍ତ୍ରରେ ଆଲୋଚନା ହେବ ହିଁ ହେବ। ପ୍ରଶ୍ନ ପଚରାଯିବ। ଯଦି ତାଙ୍କ ପ୍ରଶ୍ନକୁ ନେଇ ଏତେ ଅଡ଼ୁଆ ହେଉଛି। ତା ହେଲେ ସତ୍ତା ଛାଡ଼ି ବିରୋଧୀ ଦଳକୁ ଚାଲିଯାଆନ୍ତୁ। ଆଉ କେହି ପ୍ରଶ୍ନ କରିବେନି। ନେହାଙ୍କ ଏଭଳି ଭିଡିଓକୁ ନେଇ ପାକିସ୍ତାନ ଜନତା ଓ ନେତା ବହୁଳ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି। ନେହାଙ୍କ ଭିଡ଼ିଓକୁ ଭାରତ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ପାକିସ୍ତାନରେ। ନେହାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହୋଇଥିବାରୁ ଏଥିଲାଗି ସାଧାରଣ ଜନତାଙ୍କ ସାହାଯ୍ୟ ଲୋଡ଼ିଛନ୍ତି ନେହା। ଏହି ମାମଲା ଲଢ଼ିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। କେହି ଓକିଲ ନିଜ ଆଡ଼ୁ ତାଙ୍କୁ ସହଯୋଗ କରନ୍ତୁ। ତାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ କେବଳ ୫୧୯ ଟଙ୍କା ଅଛି। ଏଥିରୁ ୫ଶହ ଟଙ୍କା ନୂଆ ଗୀତର ରେକର୍ଡିଂ ପାଇଁ ତବଲା ବାଦକଙ୍କୁ ଦେବାକୁ ପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now