ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ। ବୁଲିଲେ ଉଜୁଡା କ୍ଷେତ, ବର୍ଷା ଜନିତ କ୍ଷୟକ୍ଷତିର କଲେ ସମୀକ୍ଷା। ଅଦିନିଆ ବର୍ଷାରେ ବ୍ୟାପକ ଫସଲହାନୀ ହୋଇଥିବା ବେଳେ ଏହାର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଜପତି ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀ ଗୋଷାଣି ବ୍ଲକର ଗୁରାଣ୍ଡି, ଲିଙ୍ଗିପୁର ଏବଂ ଉପଲଡା ଯାଇ ସେଠାରେ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ଅମଳ ଧାନ ଗଜା ମଧ୍ୟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। କ୍ଷେତକୁ ଯାଇ ନଷ୍ଟ ହୋଇଥିବା ଫସଲ ଦେଖିବା ସହ ଚାଷୀମାନେ ଆଣିଥିବା ଗଜାଧାନକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ହାତରେ ଧରି ଅନୁଧ୍ୟାନ କରିଥିଲେ। ସେପଟେ ନୟାଗଡ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଡା ଓ ମଝିଆଖଣ୍ଡ ଗ୍ରାମପଞ୍ଚାୟତ ଚାଷ ଜମିକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭଦ୍ରକ ଜିଲ୍ଲାରେ ଖରିଫ ଧାନ ଚାଷର କ୍ଷୟକ୍ଷତି ନେଇ ଚାଷୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ଷା ଭିଜା ଧାନ ଧରି ଉପମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ଦୁଃଖ ଜଣାଇଥିଲେ ଚାଷୀ। ବିଭାଗୀୟ ଅଧିକାରୀଙ୍କ ଠାରୁ କ୍ଷୟକ୍ଷତିର ରିପୋର୍ଟ ପାଇବା ପରେ ଚାଷୀଙ୍କୁ ସରକାର ଖୁବ୍ ଶୀଘ୍ର କ୍ଷୟକ୍ଷତି ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଫସଲ ବୀମା କରିଥିବା ବା ନ କରିଥିବା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସେପଟେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସରକାର ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ । ବର୍ଷା ଅଚାନକ ହେବାରୁ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଛି । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଯାଇ ସ୍ଥିତି ପରଖୁଛନ୍ତି । ସରକାର ତାଙ୍କ କାମ କରୁଛନ୍ତି ବିରୋଧୀ ଦଳ ଭାବେ ଆମେ ଆମ କାମ କରୁଛୁ । ସରକାର ଚାଷୀଙ୍କ ଠୁ ଏକର ପିଛା ଯେତିକି ଧାନ କିଣିବେ ବୋଲି କହିଥିଲେ । ସେହି ଅନୁଯାୟୀ ୩୧୦୦ ଟଙ୍କା ଲେଖାଏଁ ମୂଲ୍ୟର ସହାୟତା ଦିଅନ୍ତୁ । ସେହିପରି ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୃତ୍ୟ ଘଟଣା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କ୍ଷୟକ୍ଷତି ଆକଳନ କରିବା ପୂର୍ବରୁ ଚାଷୀଙ୍କୁ ତୁରନ୍ତ ଇନପୁଟ ସବସିଡି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଅଦିନିଆ ବର୍ଷାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷ କ୍ଷୟକ୍ଷତି ଆକଳନ କରିବାକୁ ରାଜ୍ୟ ସରକାର କହିଥିଲେ। ହେଲେ ଆଜିକୁ ୯ ଦିନ ବିତି ଯାଇଥିଲେ ବି ଆଜି ପର୍ଯନ୍ତ ଚାଷ କ୍ଷୟକ୍ଷତି ଆକଳନ ହୋଇପାରିଲା ନାହିଁ। ଅନେକ ଚାଷୀଙ୍କୁ ତାଲିକା ଭୁକ୍ତ କରାଯାଇନାହିଁ। ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିବା ବେଳେ ବାସ୍ତବରେ ଚାଷୀମାନଙ୍କୁ କେବେ ମିଳୁଛି ସହାୟତା ତାକୁ ହିଁ ଅପେକ୍ଷା।
Naxatra News is now on Whatsapp
Join and get latest news update delivered to you via whatsapp
Join Now