ବାଲୁଗାଁ ବଜାରରୁ ବ୍ୟବସାୟୀଙ୍କୁ ଅପହରଣ କରି କୋଟିଏ ଟଙ୍କାର ମୁଣ୍ଡଜାମିନ ରଖିଥିଲେ ଅପହରଣକାରୀ। କିନ୍ତୁ ଅପହରଣର ୧୨ ଘଣ୍ଟା ଭିତରେ ପୁଲିସ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି। ଅପହରଣକାରୀଙ୍କଠୁ ନଗଦ ୬ଲକ୍ଷ ଟଙ୍କା, ମୋବାଇଲ, ମାରଣାସ୍ତ୍ର ଓ କାର୍ ଜବତ କରିଛି ପୁଲିସ। ସବୁଠୁ ବଡ଼ କଥା ହେଲା। ଅପହରଣର ମାଷ୍ଟରମାଇଣ୍ଡ ଜଣେ ଯୁବ ଇଞ୍ଜିନିୟର। ତେବେ ସେ କେମିତି ଅପହରଣ ହୋଇଥିଲେ, ପୁରା ଘଟଣା କହିଛନ୍ତି ବ୍ୟବସାୟୀ ସୁଶୀଲ ସୁବୁଦ୍ଧି। ବାଲୁଗାଁ ପାଟଣାସାହିର ବାସିନ୍ଦା ଅଟନ୍ତି ସୁଶୀଲ। ବାଲୁଗାଁ ବଜାରରେ ସ୍ମୃତି ଏଜେନ୍ସି ନାଁରେ ଆଇଟିସି, ଗୁଡନାଇଟ୍ ଓ ଅନ୍ୟାନ୍ୟ କମ୍ପାନୀ ପାଇଁ ହୋଲସେଲ କରୁଥିଲେ ସୁଶୀଲ। ୨୭ ତାରିଖ ରାତି ସାଢ଼େ ୧୦ଟା ସୁଦ୍ଧା ଘରକୁ ଫେରିନଥିଲେ ବ୍ୟବସାୟୀ ସୁଶୀଲ। ପୁଣି ରାତି ୧୨ଟାରେ ପତ୍ନୀ ତିଳୋତ୍ତମା ଫୋନ୍ ଲଗାଇବାରୁ ମୋବାଇଲ ସ୍ୱିଚଅଫ୍ ଦେଖାଇଲା। ବର୍ଷା ହେବାରୁ କାଳେ କେଉଁଠି ରହିଯାଇଥିବେ। କିନ୍ତୁ ସେପଟୁ ଅଧଘଣ୍ଟା ପରେ ରାତି ସାଢ଼େ ୧୨ରେ ଫୋନରେ କହିଥିଲେ, ତାଙ୍କୁ କୁଆଡ଼େ ବଜାରରୁ ଭିଜିଲାନ୍ସ ଟିମ୍ ଧରିନେଇଛି। ସକାଳ ସାଢ଼େ ୮ଟାରେ ଘରେ ପହଞ୍ଚିଯିବି ବୋଲି କହିଥିଲେ। କିନ୍ତୁ ସାଢ଼େ ୯ଟା ସୁଦ୍ଧା ପହଞ୍ଚିଲେନି। ସନ୍ଦେହରେ ଥାନାରେ ଏତଲା ଦେବାକୁ ପତ୍ନୀ ଚିନ୍ତା କରୁଥିଲା ବେଳେ ଥାନାଧିକାରୀ ତାଙ୍କ ଫୋନକୁ ଟ୍ରାକ୍ କରିଥିଲେ। ଫୋନରେ ଚାର୍ଜ ସରିଯିବ କହି ୫୦ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଅପହରଣକାରୀ। ମାର୍କେଟରେ ହୋଲସେଲ ଦୋକାନ ଅଛି। ରାତି ୧୦ଟା୧୫ରେ ଦୋକାନ ବନ୍ଦ କରିବା ସତ୍ତ୍ୱେ ବର୍ଷା ଲାଗି ଘରକୁ ଫେରିପାରିନଥିଲେ ସୁଶୀଲ। ପ୍ରାୟ ୧୧ଟାରେ ବର୍ଷା ଛାଡ଼ିବା ପରେ ଘରକୁ ବାହାରିଥିଲେ। ଘରଠୁ ମାତ୍ର ୫୦ ମିଟର ଦୂରରେ ଥିଲେ ଅପହରଣକାରୀ। ଆଉ ଏକ କାରକୁ ଟେକିନେଇ ଥିଲେ। ଆଖିରେ ପଟି ବାନ୍ଧି ତାଙ୍କ ବାବଦରେ ବିସ୍ତୃତ ତଥ୍ୟ ନେଇଥିଲେ। ଆଉ ପ୍ରତି ଘଣ୍ଟାରେ ମାରଧର କରୁଥିଲେ। ୫ କୋଟି ଦେ, ନଚେତ ଜଙ୍ଗଲରେ ଛାଡ଼ିଦେବୁ। ହାତୀ ମାରିଦେବ କହି ଭୟ ଦେଖାଇଥିଲେ। ମାରଣାସ୍ତ୍ର ଦେଖାଇ ବେକରେ ଲଗାଇ ଧମକ ଦେଇ ଘରକୁ ଫୋନ୍ କରିବାକୁ କହିଥିଲେ। ଭିଜିଲାନ୍ସ ଟିମ୍ ନେଇଛି ବୋଲି କହିବାକୁ କହିଲେ। ଆଉ ଲାଉଡସ୍ପିକର ଅନ୍ କରି ଯେମିତି ଅପହରଣକାରୀ କହିଥିଲେ, ସେମିତି କଥା ହେବାକୁ ବାଧ୍ୟ ହୋଇଥିଲେ ସୁଶୀଲ। ନୟାଗଡ଼-ଚାନ୍ଦପୁର ରାସ୍ତାରେ ଅପହରଣକାରୀଙ୍କ ଗତିବିଧି ଜଣାପଡ଼ିଥିଲା। ଏସପି ବିବେକାନନ୍ଦ ଶର୍ମା କହିଛନ୍ତି, ୧୭ ତାରିଖ ରାତିରେ ଅପହରଣ ଘଟଣାର ପର୍ଦ୍ଦାଫାସ କରିବାକୁ ପୁରା ପୁଲିସ ଟିମ୍ ଲାଗିଯାଇଥିଲା। ୧ କୋଟି ଟଙ୍କା ମଗାଯାଇଥିଲା। ଟାଙ୍ଗୀ ଓ ବାଲୁଗାଁ ପୁଲିସକୁ ନେଇ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ ହୋଇଥିଲା। ଟେକ୍ନିକାଲ ଇଣ୍ଟେଲିଜେନ୍ସ ଓ ହ୍ୟୁମାନ ଇଣ୍ଟେଲିଜେନ୍ସ ବଳରେ ସାଢ଼େ ୧୧ଟା ସୁଦ୍ଧା ଅପହର୍ତ୍ତାଙ୍କ ଲୋକେସନ୍ ଟ୍ରେସ୍ କରାଯାଇଥିଲା। ଟାଙ୍ଗି ବାଇପାସ୍ ପାଖରେ ସୁଜୁକି କାରକୁ ଟ୍ରାକ୍ କରାଯାଇଥିଲା। ଏନଏଚ ଉପରେ ଚେଜ୍ କରି ଅପରାଧୀଙ୍କୁ ଚାନ୍ଦପୁର ପାଖରେ ଧରାଯାଇଥିଲା। ପୁରା ଅପରେସନ ୧୨ ଘଣ୍ଟା ଭିତରେ ସରିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now