ରିଲେସନସିପରେ ଫସାଇ ଲୁଟିନେଲେ ଡିଏସପି

ପ୍ରେମ ଆଳରେ ଲୁଟିନେଲେ ଡିଏସପି। ବ୍ୟବସାୟୀଙ୍କୁ ପ୍ରେମ ଜାଲରେ ପକାଇ ଅଢ଼େଇ କୋଟି ଟଙ୍କା, ଡାଇମଣ୍ଡ ରିଂ, ସୁନା ଚେନ୍‌, ଗାଡ଼ି ନେଇଗଲେ। ଏପରିକି ହୋଟେଲର ରେଜିଷ୍ଟ୍ରି ବି ନିଜ ନାଁରେ କରାଇନେଲେ। ଛତିଶଗଡ଼ ପୁଲିସରେ ଡିଏସପି ଭାବେ କାର୍ଯ୍ୟରତ କଳ୍ପନା ବର୍ମାଙ୍କ କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଠକାମୀରେ ପଡ଼ିବା ପରେ ଡିଏସପିଙ୍କ ବିରୁଦ୍ଧରେ ଥାନାରେ ଫେରାଦ୍ ହୋଇଛନ୍ତି ବ୍ୟବସାୟୀ ଦୀପକ ଟଣ୍ଡନ। ବ୍ୟବସାୟୀ-ଡିଏସପିଙ୍କ ଭିତରେ ୨୦୨୧ରେ ଭେଟ ହୋଇଥିଲା। ଏହା ପରେ ଦୁହିଁଙ୍କ ଭିତରେ ସମ୍ପର୍କ ଗଭୀର ହୋଇଥିଲା। ଆଉ ଧନୀ ଦୀପକଙ୍କୁ ଲୁଟିବା ଖେଳ ଆରମ୍ଭ ହୋଇଥିଲା। ୨ କୋଟି ନଗଦ, ୧୨ଲକ୍ଷର ହୀରା ମୁଦି, ୫ଲକ୍ଷ ଟଙ୍କାର ସୁନା, ୧ଲକ୍ଷ ଟଙ୍କାର ବ୍ରେସଲେଟ୍ ସହ ତାଙ୍କ ଲକଜରି କାର୍ ଓ ହୋଟେଲକୁ ବି କବଜା କରିନେଲେ କଳ୍ପନା। ହେଲେ ଦୀପକର ପତ୍ନୀଙ୍କୁ ଯେତେବେଳେ ଏ କଥା ଜଣାପଡ଼ିଥିଲା, ସେତେବେଳେ ଆରମ୍ଭ ହୋଇଥିଲା ଘରେ କଳି। ଆଉ ଏବେ ଦୀପକ ଓ୍ୱାଟସଅପ ଚାଟ୍ ପ୍ରମାଣ ସହ ଥାନାରେ ସମସ୍ତ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍, ଭଏସ ନୋଟ୍ସ ବି ପ୍ରମାଣ ଭାବେ ଥାନାରେ ଦାଖଲ କରିଛନ୍ତି ଦୀପକ। ଦୀପକ ଦାବି କରିଛନ୍ତି ଯେ, ତାଙ୍କ ଉପରେ ଚାପ ପକାଇ ତାଙ୍କ ହୋଟେଲକୁ ବି କଳ୍ପନାଙ୍କ ଭାଇଙ୍କ ନାଁରେ ରେଜିଷ୍ଟ୍ରେସନ କରିନିଆଗଲା। ହୋଟେଲକୁ ନିଜ ନାଁରେ ଟ୍ରାନ୍ସଫର କରାଇବାକୁ ୩୦ଲକ୍ଷ ଟଙ୍କା ନିବେଶ କରିଥିଲେ କଳ୍ପନା। ବ୍ଲାକମେଲିଂ, ଲାଞ୍ଚ ନେଇ ଏବେ ଅଡ଼ୁଆରେ କଳ୍ପନା। କଳ୍ପନା କହିଛନ୍ତି, ଏ ସବୁ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର। ଏ ଅଭିଯୋଗ ଭିତ୍ତିହୀନ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତାଙ୍କ ଚରିତ୍ର ସଂହାର ଲାଗି ଏମିତି ଚକ୍ରାନ୍ତ ହୋଇଥିବା କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଳ୍ପନା। କଳ୍ପନାଙ୍କ ଭାଇ ବି ଦୀପକଙ୍କ ନାଁରେ କାଉଣ୍ଟର ଏତଲା ଦେଇଛନ୍ତି। ରିଲେସନସିପରେ ଫସାଇ ଲୁଟିନେଲେ ଡିଏସପି। ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଦୁଇ ପକ୍ଷର ଏତଲା କ୍ରମେ ତଦନ୍ତ ଆରମ୍ଭ ହୋଇଛି। ପ୍ରେମ, ଧୋକା ଓ ବ୍ଲାକମେଲିଂ ଥିଓରୀ ପଛର ରହସ୍ୟକୁ ନେଇ ଅନେକ ଆଲୋଚନା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *