ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ଅନୁମତି ଲୋଡ଼ି ସିଜେଆଇଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ

ଆଲହାବାଦ ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ। ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳାରୁ ଅନଧିକୃତ ବିପୁଳ ନଗଦ ଟଙ୍କା ମିଳିବା ଘଟଣା ପରେ ବିବାଦୀୟ ହୋଇପଡ଼ିଛନ୍ତି ଜଷ୍ଟିସ ବର୍ମା। ବମ୍ୱେ ଓକିଲ ସଂଘ (Bombay Lawyers Association) ଭାରତର ମୁଖ୍ୟ ନ୍ୟାୟାଧୀଶ (CJI) ବି. ଆର୍. ଗଭାଇଙ୍କୁ ଚିଠି ଲେଖି FIR ଦାଖଲ ପାଇଁ ଅନୁମତି ମାଗିଛନ୍ତି। ସଂଘ ପକ୍ଷରୁ ସଭାପତି ଅଧିବକ୍ତା ଅହମ୍ମଦ ଆବଦିଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ, ସୁପ୍ରିମକୋର୍ଟର K. Veeraswami v. Union of India ମାମଲାର ଉଲ୍ଲେଖ କରାଯାଇଛି, ଯାହା ଅନୁଯାୟୀ ଏକ ବର୍ତ୍ତମାନ ହାଇକୋର୍ଟ ବା ସୁପ୍ରିମକୋର୍ଟ ନ୍ୟାୟଧୀଶଙ୍କ ବିରୋଧରେ ଅଭିଯୋଗ ରଖିବା ପାଇଁ ପ୍ରଥମେ CJI ଙ୍କ ଅନୁମତି ଦରକାର। ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଅପରାଧିକ ପ୍ରୋସିକ୍ୟୁସନ ଆରମ୍ଭ କରିବାକୁ ଅନୁମତି ଲୋଡ଼ିଛି ସଂଘ। ୮ ପୃଷ୍ଠା ଚିଠିରେ ଏ କଥା ବି ସଂଘ ଉଲ୍ଲେଖ କରିଛି ଯେ, ଯଦି ସିଜେଆଇ ଏହି ମାମଲା ପ୍ରୋସିକ୍ୟୁସନ ଲାଗି ଅନଫିଟ୍ ବୋଲି ବିବେଚନା କରନ୍ତି, ତା ହେଲେ କୌଣସି ଏତଲା ହେବନି। ଭାରତର ମହାମହିମ ରାଷ୍ଟ୍ରପତି ଦୁର୍ନୀତି ନିବାରଣ ଅଧିନିୟମ ବଳରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ସହ ପ୍ରୋସିଡିଂ ଲାଗି ପ୍ରଧାନ ବିଚାରପତିଙ୍କ ପରାମର୍ଶରେ ଏହାକୁ ପଦକ୍ଷେପ ନେଇପାରିବେ। ଜଷ୍ଟିସ ବର୍ମାଙ୍କ ଘରୁ ବିପୁଳ ନଗଦ ଜବତ, ଦିଲ୍ଲୀ ପୁଲିସ କମିଶନରଙ୍କ ଦ୍ୱାରା ପ୍ରମାଣସ୍ୱରୂପ ଏହାର ଫଟୋ ଓ ଭିଡ଼ିଓ ଜାରି ପରେ ନ୍ୟାୟାଳୟ ଉପରେ ସାଧାରଣ ନାଗରିକଙ୍କ ବିଶ୍ୱାସ ଓ ଆସ୍ଥାକୁ ଅଙ୍ଗୁଳି ଉଠିଛି। କାରଣ ତଦନ୍ତ କମିଟି ନିଜର ରିପୋର୍ଟ ସିଜେଆଇଙ୍କୁ ଦେବା ପରେ ଆଉ ତଦନ୍ତ ରିପୋର୍ଟରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗରେ ବଳିଷ୍ଠ ପ୍ରମାଣ ଥିବା କଥା ସ୍ପଷ୍ଟ କଲା ପରେ ବି ପୁଲିସ ଆଜି ଯାଏ ଏତଲା କଲାନି। ଆଇନ ଆଖିରେ ସମସ୍ତେ ସମାନ ନୀତି କେଉଁଠି ନା କେଉଁଠି ଏଠାରେ ବାଟବଣା ହେଲା ଭଳି ଲାଗୁଛି ବୋଲି କହିଛି ସଂଘ। ନ୍ୟାୟିକ ସଂସ୍ଥାର ଆସ୍ଥାକୁ ଏହା ଅଙ୍ଗୁଳି ଉଠାଉଛି। ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗିବା ବେଳେ ବିପୁଳ ଟଙ୍କା ଜବତ ହୋଇଥିଲା। ଏହାର ହିସାବ ଦେଇପାରିନଥିଲେ ବର୍ମା। ସେତେବେଳେ ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ। ବିବାଦ ପରେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ସିଜେଆଇଙ୍କ ନିର୍ଦେଶ କ୍ରମେ ଜଷ୍ଟିସ ବର୍ମାଙ୍କଠୁ ଜୁଡିସିଆଲ କାମ ବି ପ୍ରତ୍ୟାହାର କରିନିଆଯାଇଥିଲା। ଏହି ଘଟଣା ନେଇ ଆହ୍ଲାବାଦ ହାଇକୋର୍ଟ ବାର୍ ଅସୋସିଏସନ ମଧ୍ୟ ବିରୋଧ ପ୍ରକାଶ କରିଛି ଏବଂ ତାଙ୍କ ସ୍ଥାନାନ୍ତରକୁ ବିରୋଧ କରିଥିଲା। ସେମାନେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଘୋଷଣା କରି ତାଙ୍କୁ ପଦଚ୍ୟୁତି ସହ CBI ଓ ED ଦ୍ୱାରା ତଦନ୍ତ ଦାବି କରିଥିଲା ସଂଘ। ସିଜେଆଇ ଜଷ୍ଚିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ଦିଲ୍ଲୀ ପୁଲିସ ନଚେତ ସିବିଆଇକୁ ନିର୍ଦେଶ ଦିଅନ୍ତୁ। ଅଧା ପୋଡ଼ା ଟଙ୍କା, ଫଟୋଗ୍ରାଫ ଓ ଭିଡ଼ିଓ ରେକର୍ଡିଂକୁ ସୁରକ୍ଷିତ ରଖାଯାଉ। ଆଭ୍ୟନ୍ତରୀଣ ତଦନ୍ତ କମିଟିର ରିପୋର୍ଟର ଏକ ନକଲ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଉ ବୋଲି ଦାବି କରିଛି ବମ୍ୱେ ଓକିଲ ସଂଘ। ମେ ୮ ତାରିଖରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଆଭ୍ୟନ୍ତରୀଣ କମିଟିର ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ। ମାର୍ଚ୍ଚ ୨୨ରେ ସିଜେଆଇ ତିନି ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଲ ନାଗୁ, ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ଜିଏସ ସାନ୍ଧାଓ୍ୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୁ ଶିବରମଣ ଥିଲେ। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟ, ଜଷ୍ଟିସ ବର୍ମାଙ୍କ ଜବାବ, ଦିଲ୍ଲୀ ପୁଲିସ ନେଇଥିବା ଫଟୋଗ୍ରାଫ ଓ ଭିଡ଼ିଓଗ୍ରାଫି ଯଦିଓ ସୁପ୍ରିମକୋର୍ଟ ଓ୍ୱେବସାଇଟରେ ଅପଲୋଡ୍ ହୋଇଛି। କିନ୍ତୁ ଆଜି ଯାଏ ଚୂଡ଼ାନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନି।

ସେପ୍ରକାର ଗତ ଦିନ, ସୁପ୍ରିମକୋର୍ଟ ଏକ ଅନ୍ୟ ଅନୁରୋଧକୁ ଖାରଜ କରିଦେଇଛି, ଯାହା ନ୍ୟାୟଧୀଶ ବର୍ମାଙ୍କ ବିରୋଧରେ FIR ଦାଖଲ ଚାହୁଁଥିଲେ, ଏବଂ କହିଛନ୍ତି ଯେ ଏହା ସମୟ ପୂର୍ବ ଥିଲା, କାରଣ ଏକ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି।

ସମ୍ପ୍ରତି, ଏଯାଁତା ମୁଖ୍ୟ ନ୍ୟାୟଧୀଶଙ୍କ ପକ୍ଷରୁ FIR ର ଅନୁମତି ମିଳିନାହିଁ। ଆଗାମୀ କାର୍ଯ୍ୟାନୁଷ୍ଠାନ ଆଭ୍ୟନ୍ତରୀଣ ତଦନ୍ତର ଫଳାଫଳ ଉପରେ ନିର୍ଭର କରିଥିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *