ଟ୍ବିଟରରେ ସାମୂହିକ ଇସ୍ତଫାର ପର୍ବ

Spread the love

()ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ଅସ୍ଥିରତା। ଏଲେନମସ୍କ ଟ୍ବିଟରକୁ କିଣିବା ପରଠାରୁ କମ୍ପାନୀକୁ ନେଇ ଜାରି ରହିଛି ଚର୍ଚ୍ଚା। ପ୍ରଥମେ କମ୍ପାନୀର ସିଇଓଙ୍କ ସମେତ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ, ଏବେ କମ୍ପାନୀରେ ଚାଲିଛି ସମୂହ ଇସ୍ତଫାର ଯାତ୍ରା। ଶୁକ୍ରବାର ସକାଳୁ ସକାଳୁ ଟ୍ବିଟରରେ ଟ୍ରେଣ୍ଡ ଧରିଛି ହାସଟ୍ୟାଗ ରିପ ଟ୍ବିଟର, ହାସଟ୍ୟାଗ ଗୁଡବାଇଟ୍ବିଟର। ବିଭିନ୍ନ ରୋଚକ ମେମ ମାଧ୍ୟମରେ ୟୁଜର୍ସ ଓ କମ୍ପାନୀର କର୍ମଚାରୀ ଟ୍ବିଟରର ମୃତ୍ୟୁକୁ ପାଳନ କରୁଛନ୍ତି। କିଛି କର୍ମଚାରୀ ମଧ୍ୟ ହାସଟ୍ୟାଗ ଆମ୍ ଫ୍ରି ଦେଇ ଖୁସି ମନାଉଛନ୍ତି। ସେପଟେ, ଏହି ସାମୂହିକ ଇସ୍ତଫାରେ କମ୍ପାନୀକୁ କୌଣସି ଫରକ ପଡିବନି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମସ୍କ୍।

ବିଶ୍ୱର ସର୍ବବୃହତ୍ତ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଅସ୍ଥିରତା। ଆଗ ଛଟେଇ, ପରେ ଚେତାବନୀ ତା ପରେ ପରେ ସାମୂହିକ ଇସ୍ତଫା। ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲେନ୍ ମସ୍କ୍ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ କିଣିବା ପରଠାରୁ ଜାରି ରହିଛି ଏମିତି କିଛି ସ୍ଥିତି । ଗୋଟିଏ ଓଡିଆ ଉକ୍ତି ଏହି କ୍ଷେତ୍ରରେ ଯେମିତି ଫିଟ ମନେହେଉଛି, ମାଙ୍କଡ ହାତେ ଶାଳଗ୍ରାମ। କାରଣ ମସ୍କଙ୍କ ହାତକୁ ଏହି କମ୍ପାନୀ ଯିବା ପରେ ପ୍ରଥମେ ଅଧା କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଏହି ଛଟେଇକୁ ଯଥାର୍ଥ ଦର୍ଶାଇବାକୁ ମସ୍କ କମ୍ପାନୀର ବହୁ ଦୋଷ ଦୁର୍ବଳତା ଗଣାଇଥିଲେ ଓ ଟ୍ବିଟର ୨.୦ ଆରମ୍ଭ କରିବାକୁ କରିଥିଲେ ଘୋଷଣା। ଟ୍ୱିଟର ୨.୦ ପାଇଁ ମସ୍କଙ୍କ ମହତ୍ତ୍ୱାକାଂକ୍ଷା ଭିତରେ କିନ୍ତୁ  ଗୁରୁବାର ରାତିରୁ ବହୁ ସଂଖ୍ୟାରେ କର୍ମଚାରୀ ଇସ୍ତଫା ଦେଇଛନ୍ତି। କୁହାଯାଉଛି, ଛଟେଇ ପରେ କମ୍ପାନୀରେ ଯେତିକି କର୍ମଚାରୀ ଥିଲେ ସେମାନଙ୍କ ମଧ୍ୟରୁ ୨୫ରୁ ୪୨ ପ୍ରତିଶତ ଇସ୍ତଫା ଦେଇଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଏହି ସାମୂହିକ ଇସ୍ତଫା ପଛରେ ମସ୍କଙ୍କ ମାତ୍ରାଧିକ ମହତ୍ତ୍ୱାକାଂକ୍ଷା, ଚାପକୁ ଦାୟୀ କରାଯାଉଛି। ଟ୍ବିଟର ୨.୦ ଲଞ୍ଚ ପରେ ପରେ ମସ୍କ କର୍ମଚାରୀଙ୍କୁ ଏକ ଅଲଟିମେଟମ ଦେଇଥିଲେ। ଟ୍ବିଟର ୨.୦କୁ ସଫଳତାର ଶୀର୍ଷକୁ ନେବାକୁ ସେ ଆହ୍ବାନ ଦେବା ସହ ଚେତାବନୀ ଦେଇଥିଲେ କି, ଅଧିକ ସମୟ କାମ କର, ନହେଲେ କମ୍ପାନୀ ଛାଡ। ଆମେରିକୀୟ ସମୟ ଅନୁଯାୟୀ, ଗୁରୁବାର ସଂଧ୍ୟା ୫ଟା ପର୍ଯ୍ୟନ୍ତ ମସ୍କ କର୍ମଚାରୀଙ୍କୁ ଦେଇଥିଲେ ଏହି ଅଲଟିମେଟମ। ବୁଧବାର ଦିନ ଟ୍ୱିଟର ପକ୍ଷରୁ କର୍ମଚାରୀଙ୍କୁ ମିଳିଥିଲା ଏକ ଇମେଲ। ଏହି ମେଲରେ ମସ୍କ ତାଙ୍କ କର୍ମଚାରୀଙ୍କୁ ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା କମ୍ପାନୀରେ ସେମାନଙ୍କ ସ୍ଥିତିକୁ ସ୍ପଷ୍ଟ କରିବାକୁ ଦେଇଥିଲେ ଅଲଟିମେଟମ। ଯେଉଁଥିରେ ମସ୍କ ଲେଖିଥିଲେ କି, କର୍ମଚାରୀମାନଙ୍କୁ ଏକ ସଫଳ ଟ୍ବିଟର ୨.୦ ଗଢିତୋଳିବାକୁ ଅଧିକ କଠିନ ପରିଶ୍ରମ କରିବାକୁ ହେବ।

ଏଥିସହ କର୍ମଚାରୀକୁ ଡେରି ପର୍ଯ୍ୟନ୍ତ  ଓ ଅଧିକ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ  କରିବାକୁ ହେବ ବୋଲି କୁହାଯାଇଥିଲା। ଏହି ନିର୍ଦ୍ଦେଶ ସହ ଏକ ଫର୍ମ ମଧ୍ୟ ଦିଆଯାଇ ସେଥିରେ ପ୍ରଶ୍ନ ଥିଲା କି, କ’ଣ କମ୍ପାନୀର ଏକ ଅଂଶ ହୋଇ ରହିବାକୁ ଚାହୁଁଛନ୍ତି? ଉତ୍ତର ପାଇଁ ଦୁଇଟି ବିକଳ୍ପ ଦିଆଯାଇଥିଲା ହଁ ବା ନାହିଁ। ସମସ୍ତ କର୍ମଚାରୀଙ୍କୁ ଏହାର ଉତ୍ତର ନିର୍ଦ୍ଧାରିତ ସମୟ ସୁଦ୍ଧା ଦେବା ବାଧ୍ୟତାମୂଳକ ଥିଲା। ଯାହାର ଫଳ ଏବେ ସାମ୍ନାରେ। ଏକ ସୂତ୍ର ଅନୁଯାୟୀ ୪୨ ପ୍ରତିଶତ କର୍ମଚାରୀ କମ୍ପାନୀ ଛାଡିବାକୁ ଶ୍ରେୟ ମଣିଛନ୍ତି, ୭ ପ୍ରତିଶତ  କମ୍ପାନୀ ସହ ରହିବାକୁ ନିର୍ଣ୍ଣୟ ନେଇଛନ୍ତି। କମ୍ପାନୀରୁ ଇସ୍ତଫା ଦେଇଥିବା ଜଣେ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମସ୍କଙ୍କ ବୁଧବାର ଇମେଲରେ କର୍ମଚାରୀଙ୍କୁ ସପ୍ତାହରେ ୮୦ ଘଣ୍ଟା କାମ କରିବାକୁ କୁହାଯାଇଥିଲା। ଏଥିସହ ଅନ୍ୟ ସମସ୍ତ ସୁବିଧା ସେମାନଙ୍କ ଠାରୁ ଛଡାଇ ନିଆଯାଇଥିଲା। ତତ୍କାଳ ପ୍ରଭାବ ଆଧାରରେ କର୍ମଚାରୀଙ୍କୁ ୱାର୍କ ଫ୍ରମ ଅଫିସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ବହୁ କର୍ମଚାରୀ ନିଜ ଇସ୍ତଫା କମ୍ପାନୀକୁ ମେଲ କରିବା ଆରମ୍ଭ କରିଦେଇଥିଲେ। ଇସ୍ତଫା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ବହୁ ଇଞ୍ଜିନିୟର ସାମିଲ ଅଛନ୍ତି, ଯେଉଁମାନେ ବଗ୍ କୁ ଠିକ କରିବା ଓ ଆଉଟେଜ ସର୍ଭିସରେ ନିୟୋଜିତ ଥିଲେ।

ଫଳ ସ୍ବରୂପ ଗୁରୁବାର ରାତିରେ ୱେବସାଇଟ ସ୍ଲୋ ହୋଇଯାଇଛି। ୱେବସାଇଟ ଓ ଆପ ଆଉଟେଜ ବା ଯୋଗାଣ ବନ୍ଦକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର କହିଛି କି, ଗୁରୁବାର ସଂଧ୍ୟାରେ ଟ୍ବିଟର ଆଉଟେଜ ରିପୋର୍ଟ ୫୦ରୁ ୩୫୦କୁ ବୃଦ୍ଧି ପାଇଛି। ସୂତ୍ର ମୁତାବକ,   ସମୂହ ଇସ୍ତଫା ପରେ ଆଉଟେଜ ସମସ୍ୟାକୁ ଦେଖି କିଛି କର୍ମଚାରୀଙ୍କୁ ବୁଝାଶୁଝା କରି ଫେରାଇ ନେବାକୁ ଚେଷ୍ଟା କରାଯାଇଥିଲା କମ୍ପାନୀ ପକ୍ଷରୁ, ଏକ ମିଟିଂ ଡକାଯାଇଥିଲା। କିନ୍ତୁ ମିଟିଂରେ ମସ୍କଙ୍କ ପ୍ରବେଶ ପରେ ସମସ୍ତ କର୍ମଚାରୀ ସେଠାରୁ ବାହାରି ଯାଇଥିଲେ।  ଏସମ୍ପର୍କରେ ଟେକ ସାମ୍ବାଦିକ ଜୋଏ ସିଫରଙ୍କ ସୂଚନା ଅନୁଯାୟୀ, ସାମୂହିକ ଇସ୍ତଫା ପରେ ମସ୍କ ଓ ତାଙ୍କ ଟିମ ଭୟଭୀତ ଅଛନ୍ତି। ସେମାନଙ୍କ ଭୟ ରହିଛି କି, କର୍ମଚରୀମାନେ ଅଫିସରେ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିପାରନ୍ତି। ଟ୍ବିଟରର ହେଡକ୍ବାଟରକୁ ସୋମବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସେପଟେ ଏହି ମାଇକ୍ରୋବ୍ଲଗିଂ କମ୍ପାନୀରେ ମସ୍କଙ୍‌କ ପ୍ରବେଶ ପରଠାରୁ ଲାଗିରହିଥିବା କର୍ମଚାରୀ ମାରଣ ନୀତି ଆଗକୁ ଏହି କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାର କାରଣ ଯେ ନ ହେବ ତାହାକୁ ଏଡାଇ ଦିଆଯାଇ ନପାରେ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *