ଖଣି ଦୁର୍ନୀତି- ଘାଣ୍ଟିବ ଭିଜିଲାନ୍ସ

ଖଣି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ। ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଏସଆଇଟି ଗଠନ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ବେଆଇନ ଖଣି ଉତ୍ତୋଳନ ଓ ଚୋରା କାରବାରର ତଦନ୍ତ ହେବ। ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିଲା। ଏହା ସମେତ କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଓ ରୁସିବେଣୁଆରେ ୪୭ଟି ମାଙ୍ଗାନିଜ ଓ ୩ଟି ଲୁହା ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହାପଥର ଉତ୍ତୋଳନ ହୋଇଥିଲା। ଏମଏମଡିଆର ଆକ୍ଟର ଉଲ୍ଲଂଘନ କରୁଥିବା ଖଣିମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ। ଖଣିଖାଦାନକୁ ଯିଏ ଲୁଟୁଛି, ଯେତେ ବଡ଼ ପ୍ରଭାବଶାଳୀ ହୋଇଥାଆନ୍ତୁ। କାହାକୁ ଛଡ଼ାଯିବନି ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା। ପୋକଲିନ୍, ଡ୍ରିଲିଂ ମେସିନ ସହାୟତାରେ ଶହେରୁ ଅଧିକ କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଉତ୍ତୋଳନ ହୋଇଥିଲା। ବିଜେଡି ବିଧାୟକ ଯୋଗେଶ ସିଂ କହିଛନ୍ତି, ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେବା କଥା। ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସନ୍ତା। କିନ୍ତୁ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇ ଲୋକ ଦେଖାଣିଆ କାମ କରିଛନ୍ତି। ମାମଲାକୁ ଚପାଇବାକୁ ପ୍ରହସନ ହେଉଛି। ସତସାହସ ଥିଲେ ସରକାର ସିବିଆଇ ତଦନ୍ତ କରାନ୍ତୁ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଖଣି ଦୁର୍ନୀତି ଭୟଙ୍କର ଭାବେ ହୋଇଥିବା ଅନୁଧ୍ୟାନ କରିଥିଲା। ଏସଆଇଟି ତଦନ୍ତ ସହ କମିଶନର ବସାଇ ତଦନ୍ତ ଲାଗି ଦାବି କରିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଧନ୍ୟବାଦ। କିନ୍ତୁ ଏସଆଇଟି ତଦନ୍ତ ହୋଇଥିଲେ କ୍ଷୀର ପାଣି ଅଲଗା ହୋଇଥାଆନ୍ତା। ଭିଜିଲାନ୍ସ ପ୍ରଭାବିତ ହୋଇପାରେ। ବହୁ ଚର୍ଚ୍ଚିତ ହେମଗିରି ଓ କୋଇଡା ଖଣି ଦୁର୍ନୀତିରେ ଭିଜିଲାନ୍ସ ତଦନ୍ତ ଆଗରୁ ସରକାର ନିଜେ ଯାଇ ଘଟଣାସ୍ଥଳ ପରିଦର୍ଶନ କରି ବେଆଇନ କେତେ ମାତ୍ରାରେ ହୋଇଛି, ତାହା ହୃଦବୋଧ କରିଥିଲେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *