ନାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଏହା ବିରୁଦ୍ଧରେ ଦେଶତମାମ କଂଗ୍ରେସ ସମସ୍ତ ଇଡି ଅଫିସ ଆଗରେ ବିକ୍ଷୋଭ କରିଛି। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହି ମାମଲାକୁ ନେଇ ଅଭିଯୋଗ କରିଥିଲେ। ସୋନିଆ, ରାହୁଲ, କଂଗ୍ରେସର ଦିବଂଗତ ନେତା ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଡିଜ୍, ସାମ୍ ପିଟ୍ରୋଡା ଓ ସୁମନ ଦୁବେଙ୍କ ବିରୁଦ୍ଧରେ ୨ହଜାର କୋଟି ଟଙ୍କାର କେଳେଙ୍କାରୀରେ ସାମିଲ୍ ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଥିଲା। ନାସନାଲ ହେରାଲ୍ଡ ଖବରକାଗଜ ଓ ଏହାର ପ୍ରକାଶନ କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲସ ଲିମିଟେଡର ୨ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତିକୁ ୟଙ୍ଗ୍ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ଜରିଆରେ ହେରାଫେରିର ଆରୋପ ଲାଗିଛି। ସୋନିଆ ଓ ରାହୁଲଙ୍କ ପାଖରେ ଏହାର ଅଧିକ ସେୟାର ୩୮ ପ୍ରତିଶତ ଲେଖାଏଁ ରହିଛି। ଦଳ କହିଛି, ନାସନାଲ ହେରାଲ୍ଡ ସମ୍ପତ୍ତି ଜବତ କରିବା ଓ ଦଳୀୟ ନେତୃତ୍ୱଙ୍କ ବିରୁଦ୍ଧରେ ଚାର୍ଜସିଟ୍ ସରକାରଙ୍କ ଅନ୍ୟାୟପୂର୍ଣ୍ଣ ଓ ମନମାନି ପଦକ୍ଷେପ ଅଟେ। ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି ମୋଦି ଓ ଶାହା। ନାସନାଲ ହେରାଲ୍ଡ ମାମଲାରେ ମନିଲଣ୍ଡରିଂ ନେଇ ଇଡି ଏପ୍ରିଲ ୯ରେ ଚାର୍ଜସିଟ୍ ଦାଖଲ କରିଛି। ମଙ୍ଗଳବାର ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ଏହାର ବିଚାର ଲାଗି ଅଣାଯାଇଥିଲା। କିଛି ପ୍ରସଙ୍ଗ ଉପରେ ଜବାବ ତଲବ କରିବା ସହ ଚାର୍ଜସିଟକୁ ସଂଜ୍ଞାନକୁ ନେଇ ଏହାର ପରବର୍ତ୍ତୀ ଶୁଣାଣୀ ଏପ୍ରିଲ ୨୫ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ। ବିଜେପି କହିଛି, ଏଭଳି ଦୁର୍ନୀତି କଂଗ୍ରେସର ଜୀବନ୍ତ ଉଦାହରଣ। ନେହେରୁ ଗାନ୍ଧୀ ପରିବାର କେତେ ଭ୍ରଷ୍ଟ, ଆଉ ପ୍ରମାଣ ଦରକାର ନାହିଁ। ତଦନ୍ତକାରୀ ଏଜେନ୍ସି ନିଜ କାମ କରୁଛି। ସୋନିଆ ଓ ରାହୁଲ ଏମିତି ଏକ କମ୍ପାନୀ କଲେ। ଯାହାର ଉଦେଶ୍ୟ ବ୍ୟବସାୟ ନଥିଲା। ବରଂ ଏହା ଜରିଆରେ ଏଜେଏଲକୁ କିଣି ତାହାର ହଜାର ହଜାର କୋଟି ଟଙ୍କା ନିଜ ନାଁରେ କରିବାକୁ ଚାହୁଁଥିଲେ। କଂଗ୍ରେସର କୌଣସି ନୈତିକ ଅଧିକାର ନାହିଁ, ଏ ପ୍ରସଙ୍ଗରେ ରାଜନୀତି କରିବା। କାରଣ ମାମଲା ଉପା ସରକାର ଅମଳରେ ହିଁ ପଞ୍ଜୀକରଣ ହୋଇଥିଲା। ଜନତାଙ୍କ ଟଙ୍କା ଲୁଟ୍ କରିବା ପରେ ଏବେ କଂଗ୍ରେସିଆ ଭିକ୍ଟିମ କାର୍ଡ ଖେଳୁଛନ୍ତି। ଧାରଣା ଦେବାର ଅଧିକାର ଅଛି। କିନ୍ତୁ ଜମି ଓ ଫଣ୍ଡ୍ ଲୁଟିବାର ଅଧିକାର ନାହିଁ। ନାସନାଲ ହେରାଲଡରେ ୫ହଜାର ସେୟାର ହୋଲଡର ଥିଲେ। ଏହା ନେହେରୁ କି ଗାନ୍ଧୀ ପରିବାରର ଜାଗିର୍ ନଥିଲା। ପ୍ରାଇଭେଟ୍ ପାର୍ଟିକୁ ଦଳୀୟ ପାଣ୍ଠି ଦେବା ହିଁ ବେନିୟମ ଥିଲା। କର୍ପୋରେଟ ଷଡ଼ଯନ୍ତ୍ର କରି ପୁରା ସମ୍ପତ୍ତି ହଡପ୍ କରିବାକୁ ମସୁଧା ହୋଇଥିଲା। ତେବେ ବହୁ ଚର୍ଚ୍ଚିତ ନାସନାଲ ହେରାଲ୍ଡ ମାମଲା କଅଣ। ଏହାକୁ ନେଇ ଏତେ ବିବାଦ ଓ ରାଜନୀତି କାହିଁକି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁ ୧୯୩୮ରେ ନାସନାଲ ହେରାଲ୍ଡ ଖବରକାଗଜର ସ୍ଥାପନା କରିଥିଲେ। ଏହାର ମାଲିକାନା ଏଜେଏଲ ବା ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ ପାଖରେ ଥିଲା। ଯିଏ ଆଉ ଦୁଇଟି ଖବରକାଗଜ ବି ଛାପୁଥିଲା। ହିନ୍ଦୀରେ ନବଜୀବନ ଓ ଉର୍ଦ୍ଦୁରେ କୌମି ଆଓ୍ୱାଜ୍। ୧୯୫୬ରେ ଏଜେଏଲକୁ ଅଣବ୍ୟବସାୟିକ କମ୍ପାନୀ ଭାବେ ସ୍ଥାପନା କରିଦିଆଗଲା। ଆଉ କମ୍ପାନୀ ଆକ୍ଟର ଧାରା ୨୫ରୁ ମୁକ୍ତ କରିଦିଆଗଲା। କମ୍ପାନୀ ଧୀରେ ଧୀରେ ବୁଡ଼ିବାକୁ ବସିଲା। କମ୍ପାନୀ ଉପରେ ୯୦ କୋଟି ଟଙ୍କାର କରଜ ଥିଲା। ଏହା ଭିତରେ ୨୦୦୮ରେ ଆର୍ଥିକ ସଂକଟ ଲାଗି ଏହାକୁ ବନ୍ଦ କରିବାକୁ ପଡିଲା। ଆଉ ଏହିଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ୨୦୧୦ରେ ୟଙ୍ଗ ଇଣ୍ଡିଆନ ନାମରେ ଆଉ ଏକ ନୂଆ କମ୍ପାନୀ ତିଆରି ହେଲା। ଯାହାର ୭୬ ପ୍ରତିଶତ ଅଂଶଧନ ସୋନିଆ ଓ ରାହୁଲଙ୍କ ପାଖରେ ଥିଲା। ଆଉ ବାକି ସେୟାର ମୋତିଲାଲ ଭୋରା ଓ ଓସ୍କାର ଫର୍ଣ୍ଣାଡିଜଙ୍କ ପାଖରେ ଥିଲା। କଂଗ୍ରେସ ଦଳ ୯୦ କୋଟିର ଋଣ ଏହି ନୂଆ କମ୍ପାନୀକୁ ଟ୍ରାନ୍ସଫର କରିଦେଇଥିଲା। ଋଣ ସୁଝିବାରେ ପୁରା ଅସମର୍ଥ ଥିବା ଏଜେଏଲ ସମସ୍ତ ସେୟାର ୟଙ୍ଗ ଇଣ୍ଡିଆନକୁ ଟ୍ରାନ୍ସଫର କରିଦେଲା। ଏହା ବଦଳରେ ୟଙ୍ଗ ଇଣ୍ଡିଆନ ଏଜେଏଲକୁ ୫୦ ଲକ୍ଷ ଟଙ୍କା ଦେଲା। ଏହାକୁ ନେଇ ସୁବ୍ରମଣ୍ୟମ ସ୍ୱାମୀ ଆରୋପ ଲଦିଥିଲେ ଯେ, ୟଙ୍ଗ ଇଣ୍ଡିଆ ପ୍ରାଇଭେଟ କେବଳ ୫୦ ଲକ୍ଷ ଟଙ୍କାରେ ୯୦ କୋଟି ଅସୁଲି କରିବାର ଫନ୍ଦି କରିଥିଲା। ଯାହା ନିୟମ ବିରୋଧୀ। ୨୦୧୨ ନଭେମ୍ୱରରେ କେସ୍ ହୋଇଥିଲା। ୨୦୧୪ ଜୁନରେ ଅଦାଲତ ସୋନିଆ ଓ ରାହୁଲଙ୍କୁ ସମନ କରିଥିଲେ। ଇଡି ବି ଅଗଷ୍ଟରେ ସଂଜ୍ଞାନକୁ ନେଇ ମନି ଲଣ୍ଡରିଂର ମାମଲା କରିଥିଲା। ଡିସେମ୍ୱର ୧୯, ୨୦୧୫ରେ ସୋନିଆ, ରାହୁଲଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଦିଲ୍ଲୀର ପଟିଆଲା କୋର୍ଟ ନିୟମିତ ଜାମିନ୍ ଦେଇଥିଲେ। ୨୦୧୬ରେ ଏ ସବୁ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ରଦ୍ଦ ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। କେବଳ ରିହାତି ଦେଇଥିଲେ ଯେ, ବ୍ୟକ୍ତିଗତ ଭାବେ ଅଭିଯୁକ୍ତମାନେ ଅଦାଲତରେ ହାଜର ହେବା ଜରୁରୀ ନୁହେଁ। ସୋନିଆ ଓ ରାହୁଲଙ୍କୁ ଆୟକର ବିଭାଗ ବି ନୋଟିସ କରିଥିଲା। ୨୦୧୮ରେ ଦିଲ୍ଲୀ ହାଇକୋର୍ଟ ଏହି ନୋଟିସ ବିରୁଦ୍ଧରେ ଦାଏର ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ବି ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଆୟକର ବିଭାଗର ଯାଞ୍ଚ ଜାରି ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now