ଏଲପିଜି ସଙ୍କଟ ଭିତରେ ତାମିଲନାଡ଼ୁ ସରକାରଙ୍କ ରିହାତି ଘୋଷଣା। ବିଶେଷ କରି କମର୍ସିଆଲ ଏଲପିଜି ଅଭାବରୁ ଯେଉଁ ରେଷ୍ଟୁରାଣ୍ଟ, ହୋଟେଲ ଓ ଚା ଦୋକାନୀ ଇଲେକଟ୍ରିକ ଇଣ୍ଡକ୍ସନ ଷ୍ଟୋଭ୍ ବ୍ୟବହାର କରି ନିଜର ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ୟୁନିଟ୍ ପିଛା ୨ ଟଙ୍କା ରିହାତି ମିଳିବ। ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଏଲପିଜି ସଂକଟର ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେହେତୁ ହୋଟେଲ, ରେଷ୍ଟୁରାଣ୍ଟକୁ କମର୍ସିଆଲ ଏଲପିଜି ଯୋଗାଣରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର। ଏଥିରେ କ୍ଷତି ସହୁଥିବା ବ୍ୟବସାୟକୁ ଭରଣା କରିବାକୁ ସରକାର ଏଭଳି ଘୋଷଣା କରିଛନ୍ତି। ଏଲପିଜି ଅଭାବରୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ବିଦ୍ୟୁତ୍ ଅଧିକ ଖର୍ଚ୍ଚ ହେଉଛି। ହାରାହାରି ୫୦ ମେଗାଓ୍ୱାଟ୍ ବିଜୁଳି ଡିମାଣ୍ଡ ରହୁଛି। ରାଜ୍ୟରେ ୬୦ ହଜାରରୁ ଅଧିକ ଫ୍ୟାକଟ୍ରି ଚାଲୁଛି। ଏମାନଙ୍କୁ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅତିରିକ୍ତ ପ୍ରମାଣପତ୍ର ଆଉ ଆଣିବାକୁ ପଡ଼ିବନି ବୋଲି କହିଛନ୍ତି ସରକାର। ବିଜନେସ୍ ପାଇଁ କିରୋସିନି ଭଳି ବିକଳ୍ପ ଇନ୍ଧନ ବ୍ୟବହାର ଲାଗି ପ୍ରଦୂଷଣ ବୋର୍ଡରୁ ଅତିରିକ୍ତ ପ୍ରମାଣପତ୍ର ଦରକାର ହେବନି। ଏମାନେ କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସୂଚନା ଦେଇଦେବେ। ଏହି ରିହାତି ପରବର୍ତ୍ତୀ ଆଦେଶ ଯାଏ ବଳବତ୍ତର ରହିବ। ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ଏଲପିଜି କମର୍ସିଆଲ ସିଲିଣ୍ଡର ଦେବାକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇରେ ଏଲପିଜି ସଂକଟକୁ ମୁକାବିଲା କରିବାକୁ ଇଣ୍ଡକ୍ସନ ଷ୍ଟୋଭ୍, ହିଟର ଆଦି କିଣିବାକୁ ଋଣ ଯୋଗାଇଦେବେ ସରକାର। ବେକାରୀ ଯୁବ ନିଯୁକ୍ତି ରୋଜଗାର ଯୋଜନାରେ ଏହାକୁ ସରକାର ଦେବେ। ଏହି ୟୁଓ୍ୱାଇଇଜିପି ସ୍କିମରେ ୩.୭୫ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ରିହାତିରେ ଏମଏସଏମଇକୁ ଋଣ ମିଳିବ। ମହିଳା ଉଦ୍ୟୋଗୀ ଉନ୍ନୟନ ଯୋଜନାରେ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ ୨୫ ପ୍ରତିଶତ ରିହାତିରେ ଋଣ ମିଳିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now