ବଢ଼ିଲା H1B ଭିସା ଟାରିଫ୍- ଭାରତୀୟଙ୍କୁ ଟ୍ରମ୍ପଙ୍କ ଝଟକା

ଆମେରିକାରେ ଭାରତୀୟଙ୍କ ଚାକିରୀ ଏବେ ବିପଦରେ। H1B ଭିସାରେ ବାର୍ଷିକ ୮୮ଲକ୍ଷ ଟଙ୍କାରୁ ଅଧିକ ଫିସ୍ ଗଣିବେ ଚାକିରୀଆ। ଏହି ଭିସା ଲାଗି ଆବେଦନ କରୁଥିବା କମ୍ପାନୀ ଉପରେ ଏଣିକି ବାର୍ଷିକ ୧ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୮୮ଲକ୍ଷ ଟଙ୍କା ଦେବାକୁ ଆଦେଶ ଜାରି କରିଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ପୂର୍ବରୁ ଏହି ଫିସ୍ ୬ ଲକ୍ଷ ଟଙ୍କା ଥିଲା। ଏହି ବର୍ଦ୍ଧିତ ଫି କାଲିଠୁ ଲାଗୁ ହେବ। ଆମେରିକାରେ କାମ କରୁଥିବା ଓ ଆମେରିକାକୁ ଯିବାକୁ ଇଛୁକ ଲକ୍ଷ ଲକ୍ଷ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ବଡ଼ ଝଟକା ଲାଗିଛି। ଏହି ନିଷ୍ପତ୍ତି ପରେ ଆମେରିକାରେ ଚାକିରୀ ପାଇବା ଅଧିକ କାଠିକର ହୋଇପଡ଼ିବ। ଏହି ଭିସାରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଦରମା ବାଦ୍ ଅତିରିକ୍ତ ୧ଲକ୍ଷ ଡଲାର ଶୁଳ୍କ ଦେବାକୁ ପଡ଼ିବ। ଏଭଳି ଏକ ଏକଜିକ୍ୟୁଟିଭ ଅର୍ଡରରେ ଟ୍ରମ୍ପ ଦସ୍ତଖତ କରି ସଙ୍କେତ ଦେଇଛନ୍ତି ଯେ, ଭାରତୀୟ ଟେକ୍ ଫିଲ୍ଡ ଏବେ ବିପଦରେ। କାରଣ ୭୦ ପ୍ରତିଶତରୁ ଅଧିକ ଭାରତୀୟ H1B ଭିସାଧାରୀ ଅଟନ୍ତି। ଏଚଓ୍ୱାନ ବି ଭିସା ନବୀକରଣ ପାଇଁ ୬ ଲକ୍ଷରୁ ଏକାଥରକେ ୮୮ଲକ୍ଷ ଟଙ୍କା କରିଦିଆଗଲା। ଭାରତ ଉପରେ ୫୦ ପ୍ରତିଶତ ଟାରିଫ ମାଡ଼ ପରେ ଟ୍ରମ୍ପଙ୍କ ଏହା ଆଉ ଏକ ବଡ଼ ଝଟକା। ଏହି ଭିସାର ଫିସ୍ ସପ୍ତାହକ ଭିତରେ ଲାଗୁ ହେବ। ଏହି ଫିସ୍ ଆମେରିକାକୁ ବେଶ୍ ଫାଏଦା ଦେବ । ଟ୍ରମ୍ପ ପ୍ରଶାସନର କହିବା କଥା, ଏହି ନିୟମ ଭିସା ଦୁରୁପଯୋଗକୁ ରୋକିବାକୁ ଓ ଆମେରିକୀୟ ଚାକିରୀକୁ ସୁରକ୍ଷିତ କରିବାକୁ ପ୍ରୟାସ। ଏଚଓ୍ୱାନ ବି ଭିସାର ଦୁରୁପଯୋଗକୁ ରେକିବାକୁ ପଡ଼ିବ। କାରଣ ଏହା ରାଷ୍ଟ୍ରୀୟ ସୁରକ୍ଷାର ପ୍ରଶ୍ନ। ଏହି ନିୟମ ଜରିଆରେ ସଙ୍କେତ ଦିଆଗଲା ଯେ, ଆମେରିକୀୟ ଶ୍ରମିକଙ୍କ ଉପରେ ପ୍ରାଥମିକତା ଦିଆଯିବ। କମ୍ପାନୀକୁ ଯେତେବେଳେ ଆବଶ୍ୟକ ପଡ଼ିବ, ସେତେବେଳେ ହିଁ ବିଦେଶୀ ଶ୍ରମିକଙ୍କୁ ନିଯୁକ୍ତ କରିବାରେ। ସେପଟେ ଏହି ଭିସା ନବୀକରଣ ବାବଦରେ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ମୋଦି କଅଣ କହିଥିଲେ, ତାହାର ଭିଡ଼ିଓ ଭାଇରାଲ ହୋଇଛି। ଆମେରିକା ଗସ୍ତରେ ଯାଇଥିଲା ବେଳେ ମୋଦି କହିଥିଲେ, ଏହି ଭିସା ନବୀକରଣ ଲାଗି ଆଉ ଭାରତୀୟଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ପକେଟକୁ ଆଉ ବାଧିବନି। ଏହାକୁ ନେଇ ରାଜନୀତି ତେଜ୍ ହୋଇଛି ଭାରତରେ। ବିରୋଧୀ ଦଳ କହିଛି, ମୋଦିଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତାର ଏହା ପ୍ରତିଫଳନ। ଭାରତୀୟଙ୍କୁ ଏହା ପୂର୍ବରୁ ଏମିତି କେବେ ଅପମାନିତ କରାଯାଇନଥିଲା। ଜନ୍ମଦିନରେ ଟ୍ରମ୍ପଙ୍କ ଫୋନ୍ ଆସିବା ମାତ୍ରେ ଗଦଗଦ୍ ହୋଇ ଟ୍ୱିଟ୍ କରିଦେଲେ ମୋଦି। କିନ୍ତୁ ଭାରତୀୟ ପ୍ରଫେସନାଲଙ୍କ ଉପରେ ଟ୍ରମ୍ପଙ୍କ ଏହି ମାଡ଼ ପରେ କେମିତି ଲାଗୁଛି ବୋଲି କହିଛନ୍ତି ବିରୋଧୀ ଦଳ। ଏହାର ଜବାବ ବି ମୋଦିଙ୍କ ଟ୍ୱିଟ୍ ଜରିଆରେ ଦେଶ ଜାଣିବାକୁ ଚାହୁଁଛି। ଟାରିଫ ପରେ ଭିସା ବୋମା ପକାଇଛନ୍ତି ଟ୍ରମ୍ପ। ଗଲା ବର୍ଷ ଏହି ଭିସାରେ ସବୁଠୁ ଅଧିକ ଲାଭ ଭାରତକୁ ମିଳିଥିଲା। କାରଣ ଭାରତୀୟ ହିତାଧିକାରୀ ୭୧ ପ୍ରତିଶତ ଥିଲେ। ଆଉ ଚୀନ୍‌ ୧୧.୭ ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ ଥିଲେ। ଏହି ଉଦ୍ୟୋଗରେ ସଫ୍ଟଓ୍ୱେର ଇଞ୍ଜିନିୟର, ଟେକ୍ ପ୍ରୋଗ୍ରାମ ମ୍ୟାନେଜର୍ ଓ ଆଇଟି ପ୍ରଫେସନାଲ ସାମିଲ ଅଛନ୍ତି। ଏଚଓ୍ୱାନ ବି କାର୍ଯ୍ୟକ୍ରମରେ ଲାଭାନ୍ୱିତ ହେବାକୁ ଥିବା ଦୁଇ ମୁଖ୍ୟ ଭାରତୀୟ ସମୂହ ଅଛନ୍ତି। ଆମେରିକାର ପ୍ରମୁଖ ଆଇଟି କମ୍ପାନୀରେ କାମ କରୁଥିବା ଭାରତୀୟ, ଆମେରିକା ବିଶ୍ୱବିଦ୍ୟାଳୟରେ ମାଷ୍ଟର ବା ପିଏଚଡି ସହ ସ୍ନାତକ କରୁଥିବା ଭାରତୀୟ ଛାତ୍ର। ଏହି ବର୍ଗ H1B ଭିସା ଲାଗି ଆବେଦନ କରନ୍ତି। ଯେମିତି ଆମେରିକାରେ ରହି କାମ କରିପାରିବେ। ଆମେରିକା ପ୍ରତି ବର୍ଷ ଲଟେରୀ ଜରିଆରେ ୮୫ହଜାର ଏଚଓ୍ୱାନ-ବି ଭିସା ଜାରି କରେ। ନୂଆ ନିୟମ ଅନୁସାରେ ଯଦି କମ୍ପାନୀଗୁଡ଼ିକ ଏତେ ଶୁଳ୍କ ଦେବାକୁ ଅକ୍ଷମତା ଜାହିର କରନ୍ତି, ତାହେଲେ ଅନେକ ଚାକିରୀ ହରାଇବାର ଆଶଙ୍କା ରହିଛି। ଆଉ ଆମେରିକା ଛାଡ଼ିବାକୁ ବାଧ୍ୟ ହେବେ କର୍ମଚାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *