ବାଉଁଶରାଣୀ! ଜୀବନକୁ ବାଜି ଲଗାଇ ଲୋକଙ୍କ ମନୋରଞ୍ଜନ ଯାହାର କାମ

Spread the love

ଉମରକୋଟ: ଜୀବନ ଜୀବିକା ପାଇଁ ଅନେକ ଲୋକ ଅନେକ କିଛି ପନ୍ଥା ଅବଲମ୍ବନ କରିଥାନ୍ତି ।  ପେଟ ପାଟଣାର କଥା ଯେଉଁଠି ଉଠେ ସେଇଠି ଆସେ ରୋଜଗାରର ପନ୍ଥା । ଆଉ ଏଥିପାଇଁ ମଣିଷ କିଛି ବି କରିଥାଏ । ଏପରି କିଛି ଅଛନ୍ତି, ଯିଏ ନିଜ ଜୀବନକୁ ବାଜି ଲଗାଇ କିଛି ଉପାର୍ଜନ କରିବା ସହ ଲୋକଙ୍କ ମନୋରଞ୍ଜନ ବି କରନ୍ତି। ଏପରି ଏକ ଖେଳ ହେଉଛି ବାଉଁଶରାଣୀ।

ବାଉଁଶରାଣୀ! ଦୁଇଟି ବାଉଁଶ  ବା ଉଚ୍ଚ ଖୁଣ୍ଟ ଉପରେ ବନ୍ଧା ହୋଇଥାଏ ଦୌଡି। ଏହି ଦୌଡି ଉପରେ ଭାରସାମ୍ୟ ରକ୍ଷାକରି ଆଗକୁ ବଢିବା ସହ ବିଭିନ୍ନ କଶରତ ଦେଖାଇଥାନ୍ତି ଏହି ବାଉଁଶରାଣୀମାନେ। ଏମାନଙ୍କ କଶରତକୁ ତଳେ ଥିବା ଲୋକେ ମନଭରି ଉପଭୋଗ କରିଥାନ୍ତି। ଏହି ବାଉଁଶରାଣୀ ପେଟଚାଖଣ୍ଡକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି।  ତାଳି ମାରି ଉତ୍ସାହିତ କରନ୍ତି ବାଉଁଶରାଣୀକୁ ଓ ଖେଳ ଶେଷରେ କେହି କିଛି ଦିଅନ୍ତି ତ ପୁଣି କେହି ନ ଦେଇ ଖସିଯାଆନ୍ତି।

କୁନି କୁନି ଝିଅଙ୍କ ଉପରେ ପରିବାରର ଭାର। ଏହି ପାରମ୍ପରିକ ଖେଳକୁ ପାଥେୟ କରି ଅନେକ ପରିବାର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଖେଳ ଦେଖାଇଥାନ୍ତି। ପୁରା ପରିବାର ଯାଯାବର ପରି ଘୁରିବୁଲୁଥାନ୍ତି ଏଠୁ ସେଠିକି। ଏମିତି ଏକ ବାଉଁଶରାଣୀ ଖେଳ ଦେଖାଇବାକୁ ଛତିଶଗଡର ବିଳାସପୁରରୁ ଉମରକୋଟ ଆସିଛନ୍ତି ଏକ ପରିବାର।

ସେମାନଙ୍କ ଅନୁଯାୟୀ, ପୁରୁଷାନୁକ୍ରମେ ଏମାନେ ଏହି ଖେଳ ଦେଖାଇ ଆସୁଛନ୍ତି । ଏହି ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବା ସମୟରେ କୌଣସି ଭୟ ଲାଗୁନଥିବା କୁହନ୍ତି ଖେଳ ଦେଖାଉଥିବା ଛୋଟିଆ ଝିଅ । ଜୀବନକୁ ବାଜି ଲଗାଇ ସେ ଦିନକୁ ୫୦୦ ରୁ ୧୦୦୦ ଟଙ୍କା ରୋଜଗାର କରେ । ସେତିକି ରେ ଗୁଜୁରାଣ ମେଣ୍ଟିଯାଏ। 

ତେବେ ଏହି ବିପଦପୂର୍ଣ୍ଣ ଖେଳ କୁ ବନ୍ଦ କରାଇ ସେମାନଙ୍କୁ ଥଇଥାନ କରାଇଲେ , ସେମାନେ ଆରାମ ରେ ଜୀବନ ଯାପନ କରିପାରିବେ ବୋଲି ସାଧାରଣ ରେ ଦାବି ହୋଇଛି।

ସଞ୍ଜିତ କୁମାର ବିଶ୍ଵାସ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *