ଇସ୍ତଫା ଦେଲେ ଭାରତୀୟ କ୍ରିକେଟ ବୋର୍ଡ ମୁଖ୍ୟ ଚୟନକର୍ତ୍ତା

Spread the love

() ଶେଷରେ ନିଜ ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ଶୁକ୍ରବାର ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଶର୍ମା। ସେ ନିଜ ଇସ୍ତଫା ପତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଜୟ ଶାହଙ୍କୁ ପଠାଇଥିବା ବେଳେ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଶାହ। ଷ୍ଟିଙ୍ଗ ଅପରେସନ ବିବାଦ ପରେ ଛନ୍ଦି ହୋଇପଡିଥିଲେ ଚେତନ। ତେଣୁ ପଦ ସମ୍ଭାଳିବାର ମାତ୍ର ୪୨ ଦିନରେ ଶର୍ମାଙ୍କୁ ଛାଡିବାକୁ ହୋଇଛି ପଦ ।

ଚେତନ ଶର୍ମାଙ୍କ ଇସ୍ତଫା। ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ। ଶୁକ୍ରବାର ସେ ତାଙ୍କ ଇସ୍ତଫା ପତ୍ର ବୋର୍ଡର ଅଧ୍ୟକ୍ଷ ଜୟ ଶାହଙ୍କୁ ପଠାଇଦେଇଛନ୍ତି। ଶାହ ମଧ୍ୟ ତାଙ୍କ ପତ୍ରକୁ ସ୍ବୀକାର କରିଛନ୍ତି।  ଷ୍ଟିଙ୍ଗ ଅପରେସନରେ ଭାରତୀୟ କ୍ରିକେଟର ଓ କ୍ରିକେଟ କର୍ତ୍ତୃପକ୍ଷ ବହୁ ଗୁମର ଖୋଲି ବିବାଦିତ ହୋଇପଡିଥିଲେ ଚେତନ ଶର୍ମା। ସ୍ଥିତି ଏମିତି ହୋଇଥିଲା କି, ବିସିସିଆଇର ଉଚ୍ଚାଧିକାରୀ, ଟିମର ଖେଳାଳି ଚେତନଙ୍କ ଉପରେ ହୋଇଥିଲେ ଖପ୍ପା। ଷ୍ଟିଙ୍ଗ ଅପରେସନ କାଳରେ ସେ କ୍ରିକେଟ ବୋର୍ଡ ସହ କରିଥିବା ଚୁକ୍ତିର ଉଲ୍ଲଙ୍ଘନ କରିଥିଲେ। ଚୁକ୍ତି ମୁତାବକ, କୌଣସି ଖେଳାଳି ବା ଅଧିକାରୀ ପଦରେ ଥିବା ବେଳେ ମିଡିଆରେ କୌଣସି ବ୍ୟକ୍ତିଗତ ମାମଲା ଉପରେ ଆଲୋଚନା କରି ପାରିବେ ନାହିଁ। କିନ୍ତୁ ଚେତନ ନିଜ ଅଜାଣତରେ ମିଡିଆ ଆଗରେ କହିପକାଇଥିଲେ ସବୁ ଭିତିରି କଥା। ତେବେ ଏହା ପ୍ରଥମ ବିବାଦିତ ଘଟଣା ନ ଥିଲା।  ଦ୍ୱିତୀୟ ଥର ମୁଖ୍ୟ ଚୟନକର୍ତ୍ତା ହେବା ପରେ ମଧ୍ୟ ଠିଆ ହୋଇଥିଲା ବିବାଦ । ସେ ତିନି ମାସରେ ଦ୍ବିତୀୟ ଥର ପଦରୁ ହଟିଛନ୍ତି। ଡିସେମ୍ୱର ୨୦୨୦ରେ ତାଙ୍କୁ ପ୍ରଥମ ଥର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା କରାଯାଇଥିବା ବେଳେ  ଅଷ୍ଟ୍ରେଲିଆରେ ହୋଇଥିବା ଟି-ଟ୍ବେଣ୍ଟି ୱାର୍ଲ୍ଡ କପରେ ଭାରତର ବିପର୍ଯ୍ୟସ୍ତ ପରାଜୟ ପରେ ୧୮ ନଭେମ୍ବର ୨୦୨୨ରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ଚଳିତ ଥର ବିଦା ହେବାର କାରଣ ହୋଇଛି କ୍ରିକେଟ ବୋର୍ଡ ସହ କରିଥିବା ଚୁକ୍ତିର ଉଲ୍ଲଙ୍ଘନ। ଷ୍ଟିଙ୍ଗ ଅପରେସନରେ ସେ କହିଥିଲେ କି, ଭାରତୀୟ କ୍ରିକେଟ ଅଥୋରିଟି ଖେଳାଳି ଫିଟ ନ ଥିଲେ ମଧ୍ୟ ସବୁଜ ସଙ୍କେତ ଦେଇଦେଇ ଚୟନକର୍ତ୍ତାଙ୍କୁ ସିଲେକ୍ସନ ଉପରେ ଫାଇନାଲ କଲ ନେବାକୁ କହିଥାନ୍ତି। ସେହିପରି ଶର୍ମା କହିଥିଲେ, ଜସପ୍ରୀତ ବୁମରାହଙ୍କୁ ୨୦୨୨ରେ ସାଉଥ ଆଫ୍ରିକା ବିରୋଧ ମ୍ୟାଚରେ ଜବରଦସ୍ତି ସାମିଲ କରାଯାଇଥିଲା। ତାଙ୍କ କ୍ଷତ ଏତେ ଗମ୍ଭୀର ଥିଲା କି, ତାଙ୍କ ପାଇଁ ନଇଁବା କଷ୍ଟକର ଥିଲା। ସେ ଆହୁରି କହିଥିଲେ କି, ବୁମରାହ ଅଷ୍ଟ୍ରେଲିଆରେ ଟି-ଟ୍ବେଣ୍ଟି ୱାର୍ଲ୍ଡ କପରେ ଯଦି ଗୋଟିଏ ବି ମ୍ୟାଚ ଖେଳିଥାନ୍ତେ ତେବେ ଏକ ବର୍ଷ ପାଇଁ ଖେଳରୁ ହୋଇଯାଇଥାନ୍ତେ ବାହାର ।

ଖାଲି ସେତିକି ନୁହେଁ, ଆହୁରି ସାଙ୍ଘାତିକ ଖୁଲାସା କରିଥିଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା। ସେ କହିଥିଲେ, କ୍ରିକେଟର ଆହତ ହେବା ସତ୍ତ୍ବେ ନିଜକୁ ଟିମରେ ସାମିଲ କରିବାକୁ ଇଞ୍ଜେକସନ ନେଉଛନ୍ତି। ଖେଳାଳି ୮୦ ପ୍ରତିଶତ ଫିଟ ସତ୍ତ୍ବେ ଇଞ୍ଜେକ୍ସନ ନେଇ ଶତ ପ୍ରତିଶତ ଫିଟ ଦର୍ଶାଉଛନ୍ତି। ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଛନ୍ତି, କିନ୍ତୁ ଏହା କୌଣସି ପେନ କିଲର ନୁହେଁ । ଏହି ଇଞ୍ଜେକ୍ସନ ମଧ୍ୟ ଡୋପ ଟେଷ୍ଟରେ ଧରା ପଡିନଥାଏ। ଖେଳାଳିମାନେ ବ୍ୟକ୍ତିଗତ ଡାକ୍ତର ରଖି ଏହି ଇଞ୍ଜେକ୍ସନ ସେମାନଙ୍କ ପରାମର୍ଶରେ ନେଇଥାନ୍ତି। ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ମଧ୍ୟ କହିଥିଲେ କି, ବିରାଟ କୋହଲିଙ୍କୁ ଲାଗିଥିଲା କି ସୌରଭଙ୍କ ପାଇଁ ତାଙ୍କୁ ଅଧିନାୟକ ପଦ ହରାଇବାକୁ ହୋଇଥିଲା। କିନ୍ତୁ ଘଟଣାଟି ସେମିତି ନ ଥିଲା। କ୍ୟାପ୍ଟେନସିପ ଛାଡିବାକୁ ନେଇ କୋହଲିଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ମଧ୍ୟ କହିଥିଲେ ସୌରଭ । ହୁଏତ ସୌରଭଙ୍କ କଥା କୋହଲି ଶୁଣି ନ ଥାଇ ପାରନ୍ତି। ହେଲେ ଉଭୟଙ୍କ ମଧ୍ୟରେ ଅହଂ ୱାର ଥିଲା। ସେହିପରି ନୂଆ ଖେଳାଳିଙ୍କୁ ମୌକା ଦେବାକୁ ବଡ ବଡ ଖେଳାଳିଙ୍କୁ ବ୍ରେକ ନାମରେ ବାହାର କରିଦିଆଯାଉଛି ପରି ବହୁ ଖୁଲାସା କରିଥିଲେ ଚେତନ।

ତେବେ ଚେତନ ଶର୍ମା ଭାରତୀୟ କ୍ରିକେଟ ଜଗତର ଜଣେ ଉଚ୍ଚକୋଟିର ଖେଳାଳି। ତାଙ୍କ ନାମରେ ରହିଛି ଏକାଧିକ ସଫଳତା। ୧୯୮୭ ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ କପ ଖେଳି ଇତିହାସ ରଚିଥିଲେ। ମ୍ୟାଚରେ ପ୍ରଥମ ହାଟ୍ରିକ୍ ଶର୍ମାଙ୍କ ନାମରେ ଥିଲା। ତାଙ୍କ କ୍ୟାରିୟରରେ ମୋଟ ୨୪ ଟେଷ୍ଟ ମ୍ୟାଚ ଖେଳି ୬୧ ୱିକେଟ ନେଇଥିବା ବେଳେ ୬୫ ୱାନଡେରେ ୬୭ ୱିକେଟ ହାତେଇ ଥିଲେ।  ସେହିପରି ୨୦୨୦ ଡିସେମ୍ବରରୁ ୨୦୨୨ ନଭେମ୍ବର  ମଧ୍ୟରେ ସେ ଥିଲେ ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା। 

ଶିଳାସ୍ମିତା ରୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *